ଅଚଳ ସୌର ପ୍ରକଳ୍ପ ସାଜିଛି ପ୍ରହସନ ; ଜଳ ପାଇଁ ହାହାକାର ମୁରିବାହାଲ ବ୍ଲକ୍ ଇଛାପରା ପଞ୍ଚାୟତ ଭଣ୍ଡାରବାଞ୍ଜି ଗାଁର ଦଳିତ ପଡ଼ାବାସୀ
ବଲାଙ୍ଗିର,୦୩/୦୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏବେଠାରୁ ଜଳକଷ୍ଟ ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି। ସରକାର ପ୍ରତିଟି ଗାଁକୁ ପାନୀୟ ଜଳ ଯୋଗାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସୌର ଚାଳିତ ଜଳ ଯୋଗାଣ ପ୍ରକଳ୍ପ ମାନ ସ୍ଥାପନ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଅନେକ ସ୍ଥାନରେ ଏହି ପ୍ରକଳ୍ପଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଅଚଳ ହୋଇ ପଡ଼ିରହିଛି। ଫଳରେ ଗ୍ରୀଷ୍ମର ଏହି ପ୍ରକୋପ ସମୟରେ ଲୋକେ ଟୋପାଏ ପାଣି ପାଇଁ ଡହକବିକଳ ହେଉଛନ୍ତି।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଇଛାପରା ପଞ୍ଚାୟତ ଭଣ୍ଡାରବାଞ୍ଜି ଗାଁର ଦଳିତ ପଡ଼ାର ଲୋକଙ୍କ ସୁବିଧା ପାଇଁ ସେହି ପଡ଼ାରେ ସୌର ଚାଳିତ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ କରାଯାଇଥିଲା। କିନ୍ତୁ ଗତ କିଛି ମାସ ହେବ ବ୍ୟାଟେରୀ ଖରାପ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା କାମ କରୁନାହିଁ। ବର୍ତ୍ତମାନ ସାରା ରାଜ୍ୟରେ ସୂର୍ଯ୍ୟ ଦେବତା ନିଆଁ ବର୍ଷୁଥିବା ବେଳେ ସୌର ଶକ୍ତିରେ ଚାଲୁଥିବା ଏହି ମେସିନ୍ ବିଭାଗୀୟ ଅବହେଳା ଯୋଗୁଁ ‘ଶୋଭାବର୍ଦ୍ଧନକାରୀ ବସ୍ତୁ’ ପାଲଟିଛି।
ଗାଁରେ ଥିବା ନଳକୂପ ଗୁଡ଼ିକ ମଧ୍ୟରୁ ଅଧିକାଂଶରୁ ପାଣି ବାହାରୁ ନଥିବା ବେଳେ, ସୌର ପ୍ରକଳ୍ପ ଅଚଳ ହେବା ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ପାନୀୟ ଜଳ ଟିକିଏ ପାଇଁ ଗାଁର ମହିଳାମାନେ ଖରାତରାରେ ବହୁ ଦୂରକୁ କୁ ଯାଇ ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ଏହି ପଡ଼ାର ଲୋକେ ଏବେ ନଳକୂପରୁ ଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି, ଯାହା ଆଗକୁ ମାରାତ୍ମକ ଜଳବାହିତ ରୋଗର ଆଶଙ୍କା ସୃଷ୍ଟି କରୁଛି।
ଏହି ସମସ୍ୟାକୁ ନେଇ ଇଛାପରା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ତୋଫାନ୍ ନାଗ ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଏବଂ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ନିକଟରେ ଜଣାଇବା ସହ ଏହାକୁ ତୁରନ୍ତ ମରାମତି କରିବାକୁ ଅନୁରୋଧ କରିଛନ୍ତି । ଏନେଇ ମୁରିବାହାଲ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ବିଶ୍ୱଜିତ୍ ଜେନାଙ୍କୁ ଜଣାଇବାକୁ ତାଙ୍କ ମୋବାଇଲ ଯୋଗେ ଯୋଗାଯୋଗ କରାଯାଇଥିବା ବେଳେ ସେ ଫୋନ୍ କଲ୍ ରିସିଭ୍ କରିନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

