ବିବାଦରେ KIIT ପ୍ରମୁଖ: କହିଲେ ପୁର୍ବ ଜନ୍ମର କୁକର୍ମ ର ଫଳ ହେଉଛି ଅଟିଜମ୍
ଅଟିଜିମ୍ ପିଲାଙ୍କୁ କିଟ୍-କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପହାସ। ଅଟିଜିମଙ୍କ ପ୍ରତି ଦେଲେ ଲଜ୍ଜାଜନକ ମନ୍ତବ୍ୟ। କହିଲେ, ପୂର୍ବ ଜନ୍ମର କର୍ମଫଳ ଆଧାରରେ ଅଟିଷ୍ଟିକ୍ ହୋଇ ଜନ୍ମ ହୁଅନ୍ତି ପିଲା। ଯାହାକୁ ନେଇ ସବୁ ମହଲରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା
ଅବସର ଥିଲା ବିଶ୍ବ ଅଟିଜିମ୍ ସଚେତନତା ଦିବସ। ସ୍ଥାନ- କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍। ସଭାରେ ବିଭାଗୀୟ ମନ୍ତ୍ରୀ ବସିଥିଲେ, ଅଟିଜିମ୍ ପିଲା ଥିଲେ ଆଉ ସେମାନଙ୍କ ପରିବାର ବି ଉପସ୍ଥିତ ଥିଲେ। ସମସ୍ତଙ୍କ ଆଗରେ, ଭରା ସଭାରେ ଅଟିଜିମଙ୍କ ପାଇଁ ଅତ୍ୟନ୍ତ ସମ୍ବେଦନହୀନ ହୋଇପଡ଼ିଥିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଦେଇଥିଲେ ଅତି ଲଜ୍ଜାଜନକ ମନ୍ତବ୍ୟ ।
କହିଥିଲେ, ପୂର୍ବଜନ୍ମ କର୍ମଫଳ ପାଇଁ ପିଲାମାନେ ଭୋଗୁଛନ୍ତି ଅଟିଜିମ୍ ଦଶା। କେହି ବିଶ୍ବାସ କରୁ କି ନକରୁ ପୂର୍ବ ଜନ୍ମର କର୍ମଫଳ ଆଧାରରେ ଶିଶୁ ଅଟିଷ୍ଟିକ୍ ହୋଇ ଜନ୍ମ ହୁଅନ୍ତି । ଦେଶର ଆଧ୍ୟାତ୍ମିକ ଗୁରୁମାନେ ମଧ୍ୟ ଏହି କଥା କହୁଛନ୍ତି । ଏତିକିରେ ଅଟକିନଥିଲା ଅଚ୍ୟୁତଙ୍କ ଅରୂଚିକର ମନ୍ତବ୍ୟ…ଆହୁରି କହିଥିଲେ, ଯେଉଁମାନେ ଦୁଷ୍ଟ ଲୋକ ତାଙ୍କୁ ମୁଁ ଏମିତି ହୁଅନା ନହେଲେ ଆର ଜନ୍ମକୁ ତୁ ବି ଅଟିଷ୍ଟିକ୍ ପିଲାହୋଇ ଜନ୍ମ ହେବୁରେ ବୋଲି କୁହେ ବୋଲି କହିବାକୁ ପଛାଇ ନାହାନ୍ତି ଅଚ୍ୟୁତ।
ସବୁ ମହଲରେ ଅଚ୍ୟୁତଙ୍କ ଅଟିଜିମ୍ କର୍ମଫଳ ଉପହାସକୁ ଘୋର ନିନ୍ଦା କରାଯାଉଛି । ଏମିତିକି ଏଭଳି ମନ୍ତବ୍ୟ ପାଇଁ ଅଚ୍ୟୁତ ସର୍ବସାଧାରଣରେ କ୍ଷମା ମାଗିବାକୁ ଦାବି ବଢ଼ିଛି।

