ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବଡ଼ ପଦକ୍ଷେପ: ଆସିଲା ନୂଆ ପାର୍କିଂ ପଲିସି!
ଭୁବନେଶ୍ୱର, ୧୫|୪ : ରାଜ୍ୟରେ ବୃଦ୍ଧି ପାଉଥିବା ଗାଡ଼ି ସଂଖ୍ୟା ଓ ଟ୍ରାଫିକ୍ ଜାମ୍ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସହରରେ ନୂଆ ପାର୍କିଂ ପଲିସି ଲାଗୁ କରିବାକୁ ଯାଉଛନ୍ତି । ଏହା ମାଧ୍ୟମରେ ଅନିୟନ୍ତ୍ରିତ ପାର୍କିଂକୁ ନିୟମିତ କରି ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ କରାଯିବ ।
ନୂଆ ପଲିସି ଅନୁଯାୟୀ, ରାସ୍ତା ପାଖରେ ଅନିୟମିତ ପାର୍କିଂକୁ ରୋକାଯିବା ସହ ଅଫ୍-ଷ୍ଟ୍ରିଟ୍ ପାର୍କିଂକୁ ପ୍ରୋତ୍ସାହନ ଦିଆଯିବ । ବିଭିନ୍ନ ସହରର ଚାହିଦା ଅନୁସାରେ ପାର୍କିଂ ଫି ଲାଗୁ ହେବା ସହିତ ଭିଡ଼ ଅଞ୍ଚଳରେ ଅଧିକ ଶୁଳ୍କ ନିର୍ଧାରଣ ହେବ । ଏହା ସହିତ ବ୍ୟସ୍ତ ଅଞ୍ଚଳରେ ଦୀର୍ଘ ସମୟ ପାଇଁ ଗାଡ଼ି ରଖିବା ଉପରେ ଲାଗିବ କଟକଣା। ନିୟମ ଭଙ୍ଗ କରିଲେ ଜରିମାନା, ଓ ଟୋଇଂ ଭଳି କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ । ସହର ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ରେସିଡେନ୍ସିଆଲ୍ ପାର୍କିଂ ପରମିଟ୍ ବ୍ୟବସ୍ଥା ଆଣାଯିବା ସହ ନୂଆ ଗାଡ଼ି ରେଜିଷ୍ଟ୍ରେସନ୍ ପାଇଁ ପାର୍କିଂ ସ୍ପେସ୍ ପ୍ରମାଣ ଦରକାର ପଡ଼ିପାରେ ।
ରାଜ୍ୟରେ ଦ୍ରୁତ ଗତିରେ ବଢ଼ୁଥିବା ଗାଡ଼ି ଓ ସହରୀକରଣ ଦେଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ନୂଆ ପଲିସି ଲାଗୁ ହେଲେ ଟ୍ରାଫିକ୍ ଜାମ୍ କମିବା ସହିତ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଯାତାୟାତ ବ୍ୟବସ୍ଥା ଗଢ଼ିଉଠିବ ବୋଲି ଆଶା କରାଯାଉଛି ।

