ସାବିତ୍ରୀ ବ୍ରତ ଦିନ ଅଭିଶପ୍ତ ସାଜିଲା ସଂସାର: ବଲାଙ୍ଗୀରରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।
ବଲାଙ୍ଗୀର,୧୬।୫: ସାରା ରାଜ୍ୟରେ ଯେତେବେଳେ ସଧବା ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରୁଛନ୍ତି, ସେତିକିବେଳେ ବଲାଙ୍ଗୀର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ତଥା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ସିନ୍ଧେକେଲା ଥାନା ଅନ୍ତର୍ଗତ ଗୌଡତୁଲା ଗ୍ରାମରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ମହିଳା ଜଣକ ହେଲେ ଗନ୍ଧର୍ଲା ଗ୍ରାମର ସସ୍ମିତା ରଣା। ଏହା ଆତ୍ମହତ୍ୟା ନା ହତ୍ୟା, ସେ ନେଇ ରହସ୍ୟ ବଢ଼ୁଥିବା ବେଳେ ପରିବାର ଲୋକେ ଏହାକୁ ଏକ ସୁପରିକଳ୍ପିତ ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଗୌଡତୁଲା ଗ୍ରାମର ନବୀନ ରଣାଙ୍କ ସହ ସସ୍ମିତାଙ୍କର ମାତ୍ର ଏକ ବର୍ଷ ତଳେ ବିବାହ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରଥମେ ସବୁକିଛି ଠିକ୍ ଚାଲିଥିବା ବେଳେ ବିଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଥିଲା। ସାବିତ୍ରୀ ଓଷା ପାଇଁ ଶାଢ଼ି ଏବଂ ଅଲ୍ତା କିଣିବାକୁ ନେଇ ଦୁଇ ଦିନ ପୂର୍ବରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏପରିକି ସସ୍ମିତା ନିଜ ମା’କୁ ଫୋନ୍ କରି ନିଜର ଆବଶ୍ୟକତା ବିଷୟରେ ଜଣାଇଥିଲେ। ମାତ୍ର ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଖବର ପହଞ୍ଚିବା ସମସ୍ତଙ୍କୁ ଚକିତ କରିଛି।
ସସ୍ମିତାଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମୃତ ସସ୍ମିତାଙ୍କ ସମ୍ପର୍କୀୟ ସୁଭଦ୍ରା ରଣା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ପୂର୍ବରୁ ହତ୍ୟା କରାଯାଇ ଦଉଡ଼ି ସାହାଯ୍ୟରେ ଝୁଲାଇ ତଳେ ପକାଇ ଦିଆଯାଇଥିଲା ଏବଂ ଭୋର ପ୍ରାୟ ୫ଟା ସମୟରେ ଫୋନ୍ ଯୋଗେ ସୂଚନା ଦିଆଯାଇଥିଲା। ଆମେ ପହଞ୍ଚିବା ବେଳକୁ ଶବ ତଳେ ପଡ଼ିଥିଲା। ସେହିପରି ମୃତକଙ୍କ ମା’ ଦେବକୀ ରଣା ଯୌତୁକ ନିର୍ଯାତନାକୁ ମୁଖ୍ୟ କାରଣ ଦର୍ଶାଇ କହିଛନ୍ତି, “ବିବାହ ସମୟରେ ଦିଆଯାଇଥିବା ଯୌତୁକ ସାମାନ କମ୍ ହୋଇଥିବାରୁ ସ୍ୱାମୀ, ଦେଡ଼ଶୁରଙ୍କ ସମେତ ୪ ଜଣ ମିଶି ମୋ ଝିଅକୁ ନିର୍ମମ ଭାବେ ମାରିଦେଇଛନ୍ତି। ତାଙ୍କର ଗୋଟିଏ ଆଖିକୁ ମଧ୍ୟ ନଷ୍ଟ କରିଦିଆଯାଇଛି। ପରିବାର ଲୋକେ ସମସ୍ତ ଦୋଷୀଙ୍କ ପାଇଁ ଫାଶୀ ଦଣ୍ଡ ଦାବି କରିଛନ୍ତି ମୃତକଙ୍କ ମା’ ।
ଘଟଣାର ସୂଚନା ପାଇ ସିନ୍ଧେକେଲା ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ଡାକ୍ତରଖାନାକୁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି। ଏହି ସମ୍ବେଦନଶୀଳ ମାମଲାରେ ପୋଲିସ ସ୍ଥାନୀୟ ବାସିନ୍ଦା ଏବଂ ପରିବାର ଲୋକଙ୍କ ବ୍ୟକ୍ତବ୍ୟକୁ ଆଧାର କରି ସମସ୍ତ ଦିଗକୁ ଖୋଳତାଡ଼ କରୁଛି।

