ଗୁରୁ ସତ୍ୟନାରାୟଣଙ୍କୁ ସରକାର ଉଚିତ ସମ୍ମାନ ମିଳିନି,ସମ୍ବଲପୁରରେ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ପ୍ରସ୍ତୁତି ବୈଠକ
ସମ୍ବଲପୁର:ସମ୍ବଳପୁରୀ ଭାଷା ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ଏକ ଅବସରରେ ସମ୍ବଲପୁରରେ ୧୪ ତମ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ରବିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଅନୁଷ୍ଠିତ ଏହି ବୈଠକରେ ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଗୁରୁ ସତ୍ୟନାରାୟଣଙ୍କ ଅତୁଳନୀୟ ଅବଦାନ ବିଷୟରେ ଆଳୋଚନା କରାଯାଇଥିଲା । ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଭବାନୀଶ ଭୋଇ ଏହି ବୈଠକରେ ସଭାପତିତ୍ବ କରିଥିଲେ। ଆଜି ସମ୍ବଲପୁରୀ ପାଇଁ ସାରା ଓଡିଶାବାସୀ ଗର୍ବ ଅନୁଭବ କରୁଛନ୍ତି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ତେବେ ଗୁରୁ ସତ୍ୟନାରାୟଣଙ୍କୁ ସରକାରୀ ସ୍ତରରେ ଯେଭଲି ସମ୍ମାନ ଦିଆଯିବା କଥା ତାହା ଆଜି ପର୍ଯ୍ୟନ୍ତ ହୋଇ ପାରିନଥିବାରୁ ଦୁ:ଖ ପ୍ରକାଶ କରାଯାଇଥିଲା।ଏହାସହ ଗୁରୁ ବହିଦାରଙ୍କ ସ୍ମୃତିରେ ସମ୍ବଲପୁର ଜେଲ ଛକ ନିକଟରେ ସ୍ଥାପିତ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାକୁ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଦର୍ଶନ ଏବଂ ଗୁରୁଙ୍କ ସ୍ମୃତି ରକ୍ଷା ଏବଂ ସମ୍ବଲପୁରୀ ର ପ୍ରଦର୍ଶନ ପାଇଁ ବିକାଶ କରାଯିବାକୁ ପଦକ୍ଷେପ ନେବାକୁ ବୈଠକରେ ଦାବି କରାଯାଇଥିଲା । ଏନେଇ ଏକ ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଦାବି ଜଣାଇବାକୁ ବୈଠକରେ ସ୍ଥିର କରାଯାଇଥିଲା । ଏହାସହ ଡେରା ପରିସରରେ ସମ୍ବଲପୁରୀ ସମ୍ବଲପୁରୀ ପୁସ୍ତକାଳୟ ଏବଂ ସମ୍ବଲପୁରୀ ସଂସ୍କୃତିର ସଂଗ୍ରହାଳୟ ପାଇଁ ବହୁତଳ ପ୍ରସାଦ ନିର୍ମାଣ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଇଥିଲା । ୨୦୧୩ ମସିହାରେ ପଶ୍ଚିମାଞ୍ଚଲ ଏକତା ମଞ୍ଚର ପ୍ରୟାସରେ ଗୁରୁ ବହିଦାରଙ୍କ ଜନ୍ମ ଶତବାର୍ଷିକୀ ପାଳନ ବର୍ଷ ଠାରୁ ଅଗଷ୍ଟ ଏକ ତାରିଖରେ ସମ୍ବଲପୁରୀ ଦିନ ପାଳନ କରାଯାଇ ଆସୁଛି । ସମ୍ବଲପୁରୀ ଦିନ ପାଳନ ପରଠାରୁ ସମ୍ବଲପୁରୀ କପଡାର ଚାହିଦା ବହୁମାତ୍ରାରେ ବୃଦ୍ଧି ପାଇଥିବା ବେଲେ ସମ୍ବଲପୁରୀ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ବହୁ ସଙ୍ଗଠନ ଆଗଭର ହୋଇଛନ୍ତି । ସମ୍ବଳପୁରୀ ଦିନ ଏବେ ଆର୍ନ୍ତଜାତୀୟ ସ୍ତରକୁ ପହଞ୍ଚି ସାରିଥିବା ଏକତା ମଞ୍ଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ କହିଥିଲେ । ସମ୍ବଲପୁରୀ ଦିନରେ ଲୋକ ନିହାତି ନୁଆଁ ସମ୍ବଲପୁରୀ କପଡା ପିନ୍ଧୁ ଥିବାରୁ ବୁଣାକାର ମାନେ ଲାଭବାନ ହୋଇ ପାରୁଛନ୍ତି । ଯାହାଦ୍ୱାରା ପ୍ରତିବର୍ଷ ସମ୍ବଲପୁରୀ ଦିନର ଆକର୍ଷଣ ବୃଦ୍ଧି ପାଇବା ସହ କୋଟି କୋଟି ଟଙ୍କାର ସମ୍ବଲପୁରୀ କପଡା ବିକ୍ରୀ ହୋଇ ପାରୁଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ପ୍ରସ୍ତୁତି ବୈଠକରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲାରେ ଆୟୋଜନ ହେଉଥିବା ସମ୍ବଲପୁରୀ ଦିନ କାର୍ଯ୍ଯକ୍ରମ ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ଏଥିପାଇଁ ସମ୍ବଲପୁରୀ ସଙ୍ଗଠନ ଗୁଡିକ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଗଠନ କରାଯାଇଥିବା ସମ୍ବଲପୁରୀ ମଚାନକୁ ସୁଦୃଢ କରିବା ପାଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବୈଠକରେ ଲଲିତା ଭୋଇ, ଭୂମିସୁତା ମେହେର,ସୁଷମା ପ୍ରଧାନ, ରୀନା ସ୍ବାଇଁ, ପଙ୍କଜିନୀ ମେହେର, ଅମିତାଭ ମାଝୀ, ସୁବୋଧ କୁମାର ଦୋରା, ଦଶରଥ ମେହେର, ରଂଜିତ ସାହୁ, ଦେବୀ ପ୍ରସାଦ ଭୋଇ, ବିରଞ୍ଚି ନାରାୟଣ ନାୟକ, ଅମନ ଚିରଗୁନ, ସୁଭମ ସାହୁ, ଅମିତ୍ ଦାଶ, ଗୋପବନ୍ଧୁ ସେନାପତି, ଡ଼ ସ୍ଵୟଂ ପ୍ରକାଶ ପଣ୍ଡା, ସୁବୋଧ କୁମାର ଦୋରା, ପ୍ରେମ ସାହାଣୀ,ସୁବ୍ରତ ପ୍ରଧାନ, ସୁରେନ୍ଦ୍ର ବଗର୍ତ୍ତି ପ୍ରମୁଖ ସାମିଲ ରହିଥିଲେ ।

