ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ
ସମ୍ୱଲପୁର:ଆସନ୍ତା ବର୍ଷା ଋତୁ ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଆଜି ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ କୁମୁଦିନୀ ନାୟକ, ସମ୍ବଲପୁର ବିଧାୟକ ଙ୍କ ପ୍ରତିନିଧି ସମୀର ରଞ୍ଜନ ବାବୁ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୁଧାଂଶୁ କୁମାର ଭୋଇ, ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ରେହାନ କ୍ଷତ୍ରି ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।
ଉକ୍ତ ବୈଠକରେ ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ସମସ୍ତ ଦୁର୍ବଳ ନଦୀ ବନ୍ଧ ଓ ଘାଇ ଶୀଘ୍ର ଚିହ୍ନଟ କରି ମରାମତି, କେନାଲ ଓ ନାଳ ସଫେଇ ଡ୍ରେନେଜ ବ୍ୟବସ୍ଥାର ସଫେଇ, ବନ୍ୟାଜଳର ନିର୍ବିଘ୍ନ ପ୍ରବାହ, ୨୪ ଘଂଟିଆ କଂଟ୍ରୋଲ ରୁମ, ବର୍ଷା ପରିମାପ ଓ ଦୈନିକ ପରିସ୍ଥିତି ରିପୋର୍ଟ ପ୍ରେରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପାଣିପାଗ ସତର୍କବାଣୀ ଓ ବନ୍ୟା ବୁଲେଟିନ୍ ର ତ୍ୱରିତ ପ୍ରଚାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ବନ୍ୟାପ୍ରବଣ ଅଂଚଳରେ ଆଗୁଆ ଖାଦ୍ୟ ସାମଗ୍ରୀ, ଶୁଖିଲା ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ସହ ସୁରକ୍ଷିତ ପାନୀୟ ଜଳ, ସ୍ୱାସ୍ଥ୍ୟ, ପରିଛନତା, ପଶୁ ଚିକିତ୍ସା ଓ କୃଷି ସହାୟତା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦେଶ ଦିଆଯାଇଥିଲା । ବନ୍ୟା ଆଶ୍ରୟସ୍ଥଳ ଗୁଡିକ ପ୍ରସ୍ତୁତ ରଖିବା ସହିତ,ପାନୀୟ ଜଳ, ତଳିଆ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଉଦ୍ଧାର ଯୋଜନା, ରାସ୍ତା ଓ ପରିବହନ ବ୍ୟବସ୍ଥା ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା ।
ଏଥିସହିତ ଓଡ୍ରାଫ, ଏନଡିଆରଏଫ ଓ ସୁରକ୍ଷା ବାହିନୀ ମୁତୟନ ପାଇଁ ପୂର୍ବ ପ୍ରସ୍ତୁତି ଏବଂ ବନ୍ୟା ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ପ୍ରଶିକ୍ଷିତ ରିଲିଫ ଟିମ ଗଠନ ଉପରେ ଆଲୋଚନା କରାଯାଇଥିଲା । ବିପର୍ଯ୍ୟୟ ସମୟରେ ବିଦ୍ୟୁତ, ଦୂରସଂଚାର, ସଡକ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସେବାର ଶୀଘ୍ର ପୁନଃସ୍ଥାପନ ପ୍ରସ୍ତୁତିକୁ ଆହୁରି ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଜିଲ୍ଲାପାଳ ଏହି ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସଂବେଦନଶୀଳ ବୋଲି ଅଭିହିତ କରି କହିଛନ୍ତି ଯେ, ଏହା କେବଳ ଏକ ଔପଚାରିକ ବୈଠକ ନୁହେଁ। ପ୍ରବଳ ବର୍ଷା ବା ବନ୍ୟା ସମୟରେ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା କରିବା ଆମର ପ୍ରାଥମିକତା। ଏଥିରେ ସାମାନ୍ୟ ଅବହେଳା ବା ବିଳମ୍ବ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିପାରେ, ତେଣୁ ଜନଜୀବନ ଓ ସମ୍ପତିର ସୁରକ୍ଷା ପାଇଁ ସମସ୍ତ ବିଭାଗକୁ ସତର୍କ ରହିବା ସହିତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲାପାଳ ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ତହସିଲଦାର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି ।
ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସମସ୍ତ ଛୋଟ ବଡ଼ ନାଳ ଏବଂ ମୁଖ୍ୟ ଡ୍ରେନଗୁଡ଼ିକୁ ମୌସୁମୀ ପୂର୍ବରୁ ସମ୍ପୂର୍ଣ୍ଣ ସଫା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଏସଏମସିର ଡେପୁଟି କମିଶନର (ସାନିଟେସନ) ,କୁ ନିଜେ ଉପସ୍ଥିତ ରହି ଏହି ସଫେଇ କାର୍ଯ୍ୟର ତଦାରଖ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଖରାଦିନେ ପୋତି ହୋଇଥିବା ବୋତଲ, ଓ ବିଭିନ୍ନ ଖାଦ୍ୟ ଷ୍ଟଲ ଯୋଗୁଁ ଡ୍ରେନ ଜାମ ହେବାର ସମ୍ଭାବନା ଥିବାରୁ, ଏହାକୁ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବାଲିବନ୍ଧା ଏବଂ ବିନାଖଣ୍ଡି ଭଳି ତଳିଆ ଅଞ୍ଚଳରେ ଥିବା ସମସ୍ତ ଜଳ ନିଷ୍କାସନ ପମ୍ପଗୁଡ଼ିକର କାର୍ଯ୍ୟକାରିତା ଯାଞ୍ଚ କରିବା ପାଇଁ ତୁରନ୍ତ ‘ଟ୍ରାଏଲ୍ ରନ୍’ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବ ବର୍ଷଗୁଡ଼ିକର ଅଭିଜ୍ଞତାକୁ ଆଧାର କରି ସମ୍ବଲପୁର ମହାନଗର ନିଗମର ସମସ୍ତ ଜଳପ୍ଲାବିତ ଏବଂ ସଂବେଦନଶୀଳ ଅଞ୍ଚଳର ତାଲିକା ପ୍ରସ୍ତୁତ ରଖାଯାଇଛି। ସେହିପରି ଗତବର୍ଷ ବାମରା ଏବଂ କୁଚିଣ୍ଡା ଅଞ୍ଚଳରେ ହୋଇଥିବା ଅପ୍ରତ୍ୟାଶିତ ବନ୍ୟା ଓ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରେଢ଼ାଖୋଲ ଓ କୁଚିଣ୍ଡା ସବ୍-ଡିଭିଜନ ଉପରେ ମଧ୍ୟ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯିବ।
ଜିଲ୍ଲାରେ ଥିବା ସମସ୍ତ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳୀର ଯନ୍ତ୍ରପାତି ଏବଂ ବ୍ୟବସ୍ଥାଗୁଡ଼ିକୁ ଠିକ୍ ଭାବେ କାର୍ଯ୍ୟକ୍ଷମ ରଖିବାକୁ ଏବଂ ଯାହା ଅଚଳ ଅଛି, ତାହାକୁ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସ୍ଲୁଇସ୍ ଗେଟ୍ ରୁ ଜଳ ନିଷ୍କାସନରେ ହୋଇଥିବା ସମସ୍ୟାର ସମାଧାନ ପାଇଁ ମ୍ୟୁନିସିପାଲିଟି ଏବଂ ଜଳସେଚନ ବିଭାଗକୁ ମିଳିତ ଭାବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିପର୍ଯ୍ୟୟ ପରିଚାଳନା ସମୟରେ କୌଣସି ପ୍ରକାରର ଅବହେଳା ନ କରିବା ପାଇଁ ଆଦେଶ ଦେଇଥିଲା ଏବଂ କୌଣସି ପ୍ରକାର ର ଅବହେଳା କରୁଥିବା ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ମୌସୁମୀ ଆସିବା ପୂର୍ବରୁ ସମସ୍ତ ପ୍ରତିଷେଧମୂଳକ ବ୍ୟବସ୍ଥା ଶେଷ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

