ଜୁନ ୧୫ ରୁ ସମ୍ବଲପୁରର ଶୀତଳଷଷ୍ଠୀ: ସାମୁଦାୟିକ ଏକତା ଓ ଲୋକସଂସ୍କୃତିର ହେବ ମହାମିଳନ
ସମ୍ବଲପୁର:ଜୁନ ୧୫ ରେ ହେବ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା।ପଶ୍ଚିମ ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ଓ ଐତିହ୍ୟବାହୀ ଲୋକପର୍ବମାନଙ୍କ ମଧ୍ୟରୁ ଏହା ଗୋଟିଏ। ଏହା ଭଗବାନ ଶିବ ଓ ମା ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବ ଭାବେ ଜ୍ୟେଷ୍ଠ ମାସରେ ଅତ୍ୟନ୍ତ ଆଡମ୍ବର ଓ ଭକ୍ତିଭାବର ସହିତ ପାଳିତ ହୋଇଥାଏ। ଏଥିପାଇଁ ଚାଲିଛି ମହା ପ୍ରସ୍ତୁତି।
ଶୀତଳଷଷ୍ଠୀ ଯାତ୍ରାର ରହିଛି ପୌରାଣିକ ପୃଷ୍ଠଭୂମି।ପୌରାଣିକ କଥାନୁସାରେ, ଦେବାଦିଦେବ ମହାଦେବଙ୍କ ସହ ପାର୍ବତୀଙ୍କ ବିବାହକୁ ସ୍ମରଣ କରି ଏହି ପର୍ବ ପାଳନ କରାଯାଏ। ସମ୍ବଲପୁରରେ ଏହି ବିବାହ ଉତ୍ସବକୁ ଏକ ଜୀବନ୍ତ ସାମାଜିକ ଓ ଧାର୍ମିକ ଅନୁଷ୍ଠାନର ରୂପ ଦିଆଯାଇଛି।ଯାହା ଆଜି ଦିନରେ ସମଗ୍ର ଭାରତ ବର୍ଷରେ ସମ୍ବଲପୁରର ଶୀତଳଷଷ୍ଠୀ ବେଶ ଲୋକପ୍ରିୟ ଓ ସର୍ବତ୍ର ପରିଚିତ।
ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି
ଶିବ ଓ ପାର୍ବତୀଙ୍କ ବିବାହ ଶୋଭାଯାତ୍ରା
ଢୋଲ, ନିଶାନ, ଘଣ୍ଟ ଓ ମୃଦଙ୍ଗର ଭକ୍ତିମୟ ଧ୍ୱନି ସହିତ ବିଭିନ୍ନ ରାଜ୍ୟ ଓ ଦେଶର ଲୋକନୃତ୍ୟ ଓ ଲୋକ ଗୀତ ଥାଏ ଭିନ୍ନ ଆକର୍ଷଣ।ରାତିଭରି ଚାଲୁଥିବା ଆଲୋକସଜ୍ଜା ଓ ଉତ୍ସବମୟ ପରିବେଶ
ହଜାର ହଜାର ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।ଏହି ପର୍ବର ସାମାଜିକ ମହତ୍ତ୍ୱ ମଧ୍ୟ ରହିଛି।ଶୀତଳଷଷ୍ଠୀ କେବଳ ଧାର୍ମିକ ପର୍ବ ନୁହେଁ; ଏହା ସମ୍ବଲପୁରର ସାମୁଦାୟିକ ଏକତା ଓ ଲୋକସଂସ୍କୃତିର ଏକ ମହାମିଳନ। ଏଠାରେ ବିଭିନ୍ନ ସମାଜ ଓ ବର୍ଗର ଲୋକମାନେ ଏକତ୍ରିତ ହୋଇ ଉତ୍ସବକୁ ସଫଳ କରନ୍ତି। ଶିବ-ପାର୍ବତୀ ଉଭୟଙ୍କ “କନ୍ୟା ପିତା ମାତା ସାଜି ଦେବ ଦମ୍ପତ୍ତିଙ୍କୁ ବିବାହ କରାଇବା ଭଳି ଭୂମିକା ନେବାର ପରମ୍ପରା ଏହାର ଏକ ବିଶେଷ ଆକର୍ଷଣ।
ସେହିଭଳି ଶୀତଳଷଷ୍ଠୀ ର ସାଂସ୍କୃତିକ ବିଭବ ମଧ୍ୟ ଅନନ୍ୟ।ଏହି ପର୍ବ ସମ୍ବଲପୁରୀ ସଂସ୍କୃତି, ସଙ୍ଗୀତ ଓ ପରମ୍ପରାକୁ ଜାତୀୟ ସ୍ତରରେ ପରିଚିତ କରାଇଛି। ପଶ୍ଚିମ ଓଡ଼ିଶାର ଲୋକଆସ୍ଥା ଓ ସାଂସ୍କୃତିକ ଗୌରବର ଏକ ପ୍ରତୀକ ଭାବେ ଶୀତଳଷଷ୍ଠୀର ଅସାଧାରଣ ମହତ୍ତ୍ୱ ରହିଛି।ଶୀତଳଷଷ୍ଠୀ ଯାତ୍ରା ଭକ୍ତି, ପରମ୍ପରା ଓ ଲୋକସଂସ୍କୃତିର ଏକ ଜୀବନ୍ତ ମହାପର୍ବ। ସମ୍ବଲପୁରର ଐତିହ୍ୟ ଓ ଆଧ୍ୟାତ୍ମିକ ଚେତନାକୁ ଏହା ଆଜିବି ଉଜ୍ଜ୍ୱଳ କରି ରଖିଛି।

