ହୀରାକୁଦ ବୁଡ଼ି ଅଞ୍ଚଳରୁ ଧାନ ସଂଗ୍ରହ ବିଚାରଯୋଗ୍ୟ: ମୁଖ୍ୟମନ୍ତ୍ରୀ ଚାହିଁଲେ ସୁଫଳ ପାଇବେ ଚାଷୀ- ଯୋଗାଣ ମନ୍ତ୍ରୀ
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବୁଡ଼ି ଅଞ୍ଚଳରେ ଚାଷ କରୁଥିବା ହଜାର ହଜାର ଚାଷୀଙ୍କ ପାଇଁ ଏକ ଆଶାର କିରଣ ଦେଖାଦେଇଛି। ବୁଡ଼ି ଅଞ୍ଚଳ ଜମିରୁ ଧାନ ସଂଗ୍ରହ ପ୍ରସଙ୍ଗ ଏବେ ସରକାରଙ୍କ ବିଚାରଯୋଗ୍ୟ ରହିଛି ଏବଂ ମୁଖ୍ୟମନ୍ତ୍ରୀ ଚାହିଁଲେ ଏଠାରୁ ଧାନ ସଂଗ୍ରହ ହୋଇପାରିବ ବୋଲି ଖାଦ୍ୟ ଯୋଗାଣ ଓ ଗ୍ରାହକ କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଏହାଦ୍ୱାରା ଦୀର୍ଘ ଦିନ ଧରି ସମସ୍ୟାର ସମ୍ମୁଖୀନ ହେଉଥିବା ବିସ୍ଥାପିତ ଚାଷୀଙ୍କ ମଧ୍ୟରେ ସମ୍ଭାବନାର ନୂଆ ଉଜ୍ଜ୍ବଳ ଆଲୋକ ଦେଖାଦେଇଛି।
ସୂଚନା ଅନୁଯାୟୀ, ୬୩୨ ଫୁଟ୍ ବିଶିଷ୍ଟ ହୀରାକୁଦ ଜଳଭଣ୍ଡାର ପାଇଁ ଚାଷୀଙ୍କ ଜମି ଅଧିଗ୍ରହଣ କରାଯାଇଥିଲା। କିନ୍ତୁ ଜଳସ୍ତର ୬୩୦ ଫୁଟ ମଧ୍ୟରେ ସୀମିତ ରହିବାରୁ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକର ବସନ୍ତପୁର ଏବଂ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଞ୍ଚଳର ବହୁ ଚାଷ ଜମି ଅବ୍ୟବହୃତ ହୋଇ ରହିଯାଇଥିଲା। ବିକଳ୍ପ ବ୍ୟବସ୍ଥା ନଥିବାରୁ ବିସ୍ଥାପିତ ଚାଷୀମାନେ ଗତ ୭୦ ବର୍ଷ ହେବ ଏହି ବଳକା ଜମିରେ କଷ୍ଟେମଷ୍ଟେ ଚାଷ କରି ଗୁଜରାଣ ମେଣ୍ଟାଉଛନ୍ତି। ମାତ୍ର ଜମିର ପଟ୍ଟା (ଆରଓଆର) ନଥିବା ଦର୍ଶାଇ ସରକାରୀ ସ୍ତରରେ ଏହି ବୁଡ଼ି ଅଞ୍ଚଳରୁ ଧାନ ସଂଗ୍ରହ ଉପରେ କଟକଣା ଜାରି କରାଯାଇଛି, ଯାହା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି।
ଏହି ଜମିରେ ପଟ୍ଟା ପ୍ରଦାନ ଏବଂ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଦୀର୍ଘ ବର୍ଷ ହେଲା ଆନ୍ଦୋଳନ ଚାଲିଆସୁଛି। ସିପିଆଇ ନେତା ପ୍ରସନ୍ନ ପଣ୍ଡାଙ୍କ ନେତୃତ୍ୱରୁ ଆରମ୍ଭ ହୋଇଥିବା ଏହି ଲଢ଼େଇକୁ ବିଭିନ୍ନ ସମୟରେ ଅନେକ ବଡ଼ ନେତା ସମର୍ଥନ ଦେଇଛନ୍ତି। ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବରଗଡ଼ ସାଂସଦ ଥିବା ସମୟରେ ମଧ୍ୟ ଏହି ଦାବିକୁ ଜୋରଦାର କରିଥିଲେ। ପୂର୍ବରୁ ସ୍ୱତନ୍ତ୍ର ଅନୁମତି ବଳରେ କିଛି ସମୟ ଧାନ ସଂଗ୍ରହ କରାଯାଉଥିଲେ ସୁଦ୍ଧା, ଗତ ବର୍ଷେ ହେବ ଏହା ସମ୍ପୂର୍ଣ୍ଣ ବନ୍ଦ ରହିଛି।
ଜମି ପଟ୍ଟା ନଥିବା କାରଣରୁ ଧାନ ସଂଗ୍ରହ ପ୍ରକ୍ରିୟାରେ ବୈଷୟିକ ଅସୁବିଧା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାଦେଶ ଚାଲିଛି। ଯଦି ମୁଖ୍ୟମନ୍ତ୍ରୀ ଏହା ଉପରେ ସ୍ୱତନ୍ତ୍ର ବିଚାର କରନ୍ତି, ତେବେ ବୁଡ଼ି ଅଞ୍ଚଳର ଚାଷୀଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ପୁଣି ସହଜ ହୋଇପାରିବ।
ବର୍ତ୍ତମାନ ଯୋଗାଣ ମନ୍ତ୍ରୀଙ୍କ ଏହି ଆଶ୍ୱାସନାପୂର୍ଣ୍ଣ ବକ୍ତବ୍ୟ ପରେ, ନୂଆ ସରକାର ହୀରାକୁଦ ବୁଡ଼ି ଅଞ୍ଚଳର ଭୂମିପୁତ୍ରଙ୍କୁ ସେମାନଙ୍କର ପ୍ରାପ୍ୟ ହକ୍ ଦେଉଛନ୍ତି କି ନାହିଁ ଏବଂ ଆଗାମୀ ଦିନରେ ଏହି ପ୍ରସଙ୍ଗ କେଉଁ ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା।

