ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାଣ୍ଟିଲେ ୫୧,୦୦୦ ରୁ ଅଧିକ ନିଯୁକ୍ତି ପତ୍ର
ସମ୍ବଲପୁର:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୧୯ତମ ଜାତୀୟ ରୋଜଗାର ମେଳାର ଅଂଶସ୍ୱରୂପ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବନିଯୁକ୍ତ ଯୁବକଯୁବତୀମାନଙ୍କୁ ୫୧,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି l ଦେଶବ୍ୟାପୀ ୪୭ଟି ସ୍ଥାନରେ ଏକକାଳୀନ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ, ନିଯୁକ୍ତି ସୃଷ୍ଟି ଏବଂ ଯୁବ ସଶକ୍ତିକରଣ ପ୍ରତି ଭାରତ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି l
ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ “ନାଗରିକ ଦେବୋ ଭବଃ” (ନାଗରିକ ହିଁ ଭଗବାନ) ମନ୍ତ୍ର ପ୍ରଦାନ କରିଥିଲେ। ସେ ଏହା ଉପରେ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରତ୍ୟେକ ଜନସେବକଙ୍କ ମୂଳ ଲକ୍ଷ୍ୟ “ନାଗରିକ କଲ୍ୟାଣ” (ଜନସାଧାରଣଙ୍କ ସେବା) ରହିବା ଉଚିତ୍ l ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ଦିଗରେ ଦେଶର ଯାତ୍ରାରେ ସକ୍ରିୟ ଭାବରେ ଯୋଗଦାନ କରିବା ପାଇଁ ଏହି ସୁଯୋଗର ସଦୁପଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ଆହ୍ୱାନ କରିଥିଲେ l
ସମ୍ବଲପୁରରେ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମ ଠାରେ ଆଞ୍ଚଳିକ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ବିଭିନ୍ନ ସରକାରୀ ପଦବୀ ପାଇଁ ମୋଟ ୪୦ ଜଣ ପ୍ରାର୍ଥୀ ସେମାନଙ୍କର ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି l ଏହି ନବନିଯୁକ୍ତ ପ୍ରାର୍ଥୀମାନେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ଯୋଗଦେବେ l
ସମ୍ବଲପୁରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ଅତିଥି ଯୋଗ ଦେଇଥିଲେ, ଯେଉଁମାନଙ୍କ ମଧ୍ୟରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ସୁବାଷ ଚନ୍ଦ୍ର ଚୌଧରୀ, ଏସ. କେ. ଠାକରେ, ଡିପିଏସ, ସମ୍ବଲପୁର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ l
ରୋଜଗାର ମେଳା ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ, ଯାହାର ଲକ୍ଷ୍ୟ ହେଉଛି ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଏବଂ ଦେଶର ଯୁବବର୍ଗଙ୍କୁ ଅର୍ଥପୂର୍ଣ୍ଣ ଜୀବିକା ନିର୍ବାହର ସୁଯୋଗ ପ୍ରଦାନ କରିବା l ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ଦେଶବ୍ୟାପୀ ଆୟୋଜିତ ୧୯ଟି ରୋଜଗାର ମେଳା ମାଧ୍ୟମରେ ପ୍ରାୟ ୧୨ ଲକ୍ଷ ନିଯୁକ୍ତିପତ୍ର ବଣ୍ଟନ କରାଯାଇସାରିଛି, ଯାହା ଏକ ସଶକ୍ତ କାର୍ଯ୍ୟଶକ୍ତି ଗଠନ ପାଇଁ ସରକାରଙ୍କ ନିରନ୍ତର ଉତ୍ସର୍ଗୀକୃତ ଭାବନାକୁ ପ୍ରକାଶ କରୁଛି l

