ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର:ଜୀବନରେ ସଫଳ ହେବା ପାଇଁ ଆତ୍ମବିଶ୍ୱାସର ଲୋଡ଼ା
ସମ୍ବଲପୁର:ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର ଆନୁକୂଲ୍ୟରେ ଆୟୋଜିତ “ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ” ଶିବିରର ଷଷ୍ଠ ରବିବାରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୪ଟି ବିଦ୍ୟାଳୟର ୪୯ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରାର୍ଥନାସଭା ପରେ ସ୍ୱଳ୍ପ ସମୟ ପାଇଁ ବିଶିଷ୍ଟ ଯୋଗଗୁରୁ ଡାକ୍ତର ଜୟଦେବ ମେହେର ‘ଯୋଗ ଓ ପ୍ରାଣାୟାମ’ ଶିକ୍ଷା ଦେଇଥିଲେ।
ଏହାପରେ ଡାଏଟ୍,ବରଗଡ଼ର ପ୍ରାକ୍ତନ ଅଧ୍ୟକ୍ଷ ଅକ୍ଷୟ କୁମାର ବାରିକ ଜୀବନ-କୌଶଳ ଶିକ୍ଷା ଅନ୍ତର୍ଗତ ‘ଆତ୍ମ ବିଶ୍ୱାସ’ ସମ୍ପର୍କରେ ଆଲୋଚନା କରିଥିଲେ।ଦୈନନ୍ଦିନ ଜୀବନର ବିଭିନ୍ନ ଉଦାହରଣ ତଥା ଛୋଟ ଛୋଟ ଭିଡ଼ିଓ ଦେଖାଇ ଜୀବନରେ ସଫଳ ହେବା ପାଇଁ ଆତ୍ମବିଶ୍ୱାସର ଆବଶ୍ୟକତା ସମ୍ପର୍କରେ ବୁଝାଇ ଥିଲେ l
ଦ୍ଵିତୀୟ ଅଧିବେଶନରେ ‘ଅଣ-ସଂକ୍ରାମକ ରୋଗ ତଥା ପ୍ରାଥମିକ ଚିକିତ୍ସl’ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ବିଶିଷ୍ଟ ଚିକିତ୍ସକ ଡ଼କ୍ଟର ଅଶୋକ କୁମାର ସିଂ।ଘରେ ବା ବାହାରେ ହଠାତ୍ କେହି ଅସୁସ୍ଥ ହୋଇଗଲେ ଡାକ୍ତରଖାନା ନେବା ପୂର୍ବରୁ ଯେଉଁ ପ୍ରାଥମିକ ଚିକିତ୍ସlର ଆବଶ୍ୟକତା ରହିଛି, ସେ ସମ୍ପର୍କରେ ଉଦାହରଣ ସହ ବୁଝାଇ ଥିଲେ।
ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାରର ସଭ୍ୟ-ସଂପାଦକ ରଘୁନାଥ ମିଶ୍ର, ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର, ଇ. ସୁଶାନ୍ତ କୁମାର ଗୁରୁ, ପୃଥ୍ଵୀରାଜ ମିଶ୍ର ଓ ଡକ୍ଟର ଗିରିଧାରୀ ହୋତା ଉପସ୍ଥିତ ରହି ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ।
ସଂଯୋଜକ ଶିବ ଶଙ୍କର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ହରି ନାରାୟଣ ପଣ୍ଡା ତଥା ଗ୍ରନ୍ଥାଗାରର ସହକାରୀ ବିଜୟ କୁମାର ସାହୁ ଓ ଭୁବନ କୁମୁରା ଏଥିରେ ବୈଷୟିକ ସହଯୋଗ କରିଥିଲେ।

