“ଝାଏଁରେ” ପତ୍ରିକା ର ବାର୍ଷିକ ଉତ୍ସବ,ସମ୍ବର୍ଦ୍ଧିତ ହେଲେ ହାସ୍ୟ ବ୍ୟଙ୍ଗ ପ୍ରତିଭା
ସମ୍ବଲପୁର:ସମ୍ବଲପୁରୀ ଓଡ଼ିଆ ହାସ୍ୟବ୍ୟଙ୍ଗ ପତ୍ରିକା ର ବାର୍ଷିକ ଉତ୍ସବ ଇତିମଧ୍ୟରେ ଓଡିଶା ସାଂସ୍କୃତିକ ସମାଜ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ଯେ, ବ୍ୟଙ୍ଗ ହେଉଛି ଅନ୍ଧାରକୁ ଭେଦ କରିବାର ଏକ ଆଲୋକିତ ତୀର l ଆମେ ହସୁଛୁ କାରଣ ଆମେ ଭାବୁଛୁ। ଆମେ ବ୍ୟଙ୍ଗ କରୁଛୁ କାରଣ ଆମେ ପରିବର୍ତ୍ତନ ଚାହୁଁଛୁ l “ଝାଏଁରେ” ତେବେ ନିଜ ପ୍ରତି ବ୍ୟଙ୍ଗ କରି ପାରିଲେ ଜଣେ ସଫଳ ବ୍ୟଙ୍ଗକାର ହୋଇପାରିବ l ରଚନା ଶୈଳୀ, ଶବ୍ଦ ସଂଯୋଜନା ପାଇଁ ବ୍ୟଙ୍ଗ ସାହିତ୍ୟର ଏକ ସ୍ବତନ୍ତ୍ର ସ୍ଥାନ ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି l
ହାସ୍ୟ ବ୍ୟଙ୍ଗ ପତ୍ରିକା ‘ଝାଏଁରେ’ ପକ୍ଷରୁ ଆୟୋଜିତ ଏକାଦଶ ସାହିତ୍ୟ ସମ୍ମାନ ଓ ସମ୍ବର୍ଦ୍ଧନା ଉତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବାଗ୍ମୀ ପ୍ରଫେସର ଡ. କାଳିଦାସ ମିଶ୍ର ଓ ବିଶିଷ୍ଟ ସାହିତ୍ୟିକ ତଥା ବ୍ୟଙ୍ଗକାର ଡ. ମୃଣାଳ ଚାଟାର୍ଜି ଅତିଥି ଭାବେ ଯୋଗ ଦେଇଥିଲେ l ପତ୍ରିକାର ମୁଖ୍ୟ ସମ୍ପାଦକ ପ୍ରଶାନ୍ତ ମାଝୀ ଓ ସମ୍ପାଦକ ପ୍ରଶାନ୍ତ ମହାକୁର ମଞ୍ଚାସୀନ ଥିଲେ l
ଏ ଅବସରେ ‘ଝାଏଁରେ’ର ନୂତନ ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ l ଏହି ଅବସରରେ ରସରାଜ ଅଚ୍ୟୁତ ପୁରୋହିତ ଓ ପଶୁକବି ସୁଶୀଲ ମିଶ୍ରଙ୍କୁ ଝାଏଁରେ ସମ୍ମାନ- ୨୦୨୬ ପ୍ରଦାନ କରାଯାଇଥିଲା। ଝାଏଁରେର ନିୟମିତ ଲେଖକ ଲକ୍ଷ୍ମୀନାରାୟଣ ପଣ୍ଡା ଓ ସୁଧାଂଶୁ ଶେଖର ମହାପାତ୍ର ଏବଂ ହାସ୍ୟ ଅଭିନେତା ସନ୍ତୋଷ ରାୟଗୁରୁ ଓ ସଂଜୀବ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସୁଶ୍ରୀ ଶ୍ରୀୟା ନାୟକ ଓ ଅଭିଷେକ ମିଶ୍ର ମାନପତ୍ର ପାଠ କରିଥିଲେ l
ଏହି ସାରସ୍ୱତ ସମାରୋହରେ ନାଟ୍ୟକାର ବ୍ରଜେନ୍ଦ୍ର ନାୟକ, ପ୍ରଧ୍ୟାପକ ଅଖିଳ ବିଶ୍ବାଳ ଓ ପ୍ରଶାସନିକ ଅଧିକାରୀ ଶମ୍ଭୁ ଭୂଷଣ ମିଶ୍ର ବ୍ୟଙ୍ଗର ପରିଭାଷା ଉପରେ ବକ୍ତବ୍ୟ ରଖିଥିଲେ l କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ମୁରଲୀଧର ସେଠୀ ପରିଚାଳନା କରିଥିବା ବେଳେ ଇଂ. ସନାତନ କଟା ଅତିଥି ପରିଚୟ ପ୍ରଦାନ କରିଥିଲେ l ସମ୍ବର୍ଦ୍ଧନା ପର୍ବକୁ ପରିଚାଳନା କରିଥିବା ବେଳେ ହେମକାନ୍ତ ସାହୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ, ବଳରାମ ହୋତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

