Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଜିକୃତ ଅନୁଷ୍ଠାନ ଗୁଡିକର ନବୀକରଣ ସମସ୍ୟାକୁ ନେଇ ପ୍ରତିବାଦ ସଭା

ସମ୍ବଲପୁର,: ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ସମ୍ବଲପୁରର ସମସ୍ତ ପଞ୍ଜିକୃତ ଅନୁଷ୍ଠାନମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସ୍କୃତିକ ସମାଜ ଅନୁଷ୍ଠାନର ସଭାପତି ଡଃ ପରେଶ ଚନ୍ଦ୍ର ଦାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ବଲପୁର ମହାନଗରର ସେତୁ,ସମ୍ବଲପୁର ନାଟ୍ୟକଳା ପରିଷଦ,ଜିଲ୍ଲା କ୍ରୀଡା ସଂଘ, ବାର୍‌ ଏସୋସିଏସନ,ଆଙ୍ଗୋଟା,ଚିତ୍ରଗୁପ୍ତ କଲ୍ୟାଣ ସଂଘ ,ଓଡିଶା ଲୋକ ସଂସ୍କୃତି ଗବେଷଣା ପରିଷଦ, ମଞ୍ଚ ନାୟକ, କଖଗ,ଶ୍ରୀ କଲଚରାଲ ଏସୋସିଏସନ,ଭାରତୀ କଳା ବିକାଶ କେନ୍ଦ୍ର,ସମ୍ବଲପୁର କଳା ପରିଷଦ, ହୀରାଖଣ୍ଡ ନାଗରିକ ପରିଷଦ,ଜିଲ୍ଲା ବାରିକ ସମାଜ, ଜ୍ୟୋତି,ନାରୀ ସେବା ସଂଘ,ବୁର୍ଲା ଏଥେଲେଟିକ ଏସୋସିଏସନ, ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ, କାଲିବାଡି ଟ୍ରଷ୍ଟ, ଜୱାନ ଏ ହିନ୍ଦ୍‌ କ୍ଲବ,
ଲହରୀ, ରଙ୍ଗ ଫରୁଆ, ଭାରତୀ ସମାଜ, ଉକିଆ, କଳା ଓ କଳାକାର, ଶକ୍ତି ସଂଘ, କହର, ସଣ୍ଡେ ଗ୍ରୁପ,ସମ୍ବଲ,ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ,ଉତ୍ସର୍ଗ,ଦିବ୍ୟ ଜୀବନ ସଂଘ ଭଳି ୪୦ରୁ ଊର୍ଦ୍ଧ୍ୱ ପଞ୍ଜିକୃତ ଅନୁଷ୍ଠାନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସଭାରେ ସରକାରଙ୍କ ପକ୍ଷରୁ ପଞ୍ଜିକୃତ ଅନୁଷ୍ଠାନ ମାନଙ୍କର ପଞ୍ଜିକରଣର ନବୀକରଣ ପ୍ରକ୍ରିୟାକୁ ପ୍ରତିବାଦ କରାଯାଇଥିଲା। ପ୍ରକାଶ ଥାଉକି ଓଡିଶା ସରକାରଙ୍କ ରାଜସ୍ୱ ବୋର୍ଡ ପଞ୍ଜିକରଣ ଶାଖା ପକ୍ଷରୁ ଗତ ମାର୍ଚ୍ଚ ମାସରେ ଦିଆ ଯାଇଥିବା ସାର୍ବଜନୀନ ବିଜ୍ଞପ୍ତି ଅନୁସାରେ ୨୦୨୧ ମସିହା ପୂର୍ବରୁ ପଞ୍ଜିକୃତ ସମସ୍ତ ଅନୁଷ୍ଠାନ ଗୁଡିକୁ ଚଳିତ ମାସ ୨୧ ତାରିଖ ସୁଦ୍ଧା ପଞ୍ଜିକରଣର ବୈଧତା ନବୀକରଣ କରାଇ ନେବାକୁ କୁହାଯାଇଥିଲା ମାତ୍ର ଏହି ବିଜ୍ଞପ୍ତି ସମ୍ପର୍କରେ ରାଜ୍ୟର ଅଧିକାଂଶ ପଞ୍ଜିକୃତ ଅନୁଷ୍ଠାନ ସୂଚିତ ନଥିଲେ ପୁନଶ୍ଚ ଜଟିଳ ନବୀକରଣ ପ୍ରକ୍ରିୟା ହେତୁ ଆବଶ୍ୟକୀୟ ତଥ୍ୟମାନ ଯୋଗାଡ କରିବା ବିଶେଷ କରି ପୁରୁଣା ପଞ୍ଜିକରଣ,ସ୍ମାରକ ପତ୍ର,ଉପ-ଆଇନର ପ୍ରମାଣିକ କପି ଯୋଗାଡ କରିବା ଯାହା ଅନେକ ଗୁଡିଏ ପୁରୁଣା ଅନୁଷ୍ଠାନର ସରକାରି ରେକର୍ଡ ରୁମରେ ମଧ୍ୟ ନାହିଁ ପୁଣି ଧାର୍ଯ୍ୟ ସମୟ ସୀମା ମଧ୍ୟରେ ନବୀକରଣ ହୋଇ ନପାରିଲେ ମାସକୁ ପାଞ୍ଚ ଶହ ଟଙ୍କା ଜୋରିମାନା ଦେଇ ଛଅ ମାସ ମଧ୍ୟରେ କରିବାକୁ କୁହାଯାଇଛି ଯାହାକି ଅନେକ ଗୁଡିଏ ଅନୁଷ୍ଠାନ ନିମନ୍ତେ ଅତ୍ୟନ୍ତ କଷ୍ଟକର ପୁଣି ରାଜ୍ୟରେ ଯେପରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି ଏଥିରେ ଏଭଳି କାମ ବୋଝ ଉପରେ ନଳିତା ବିଡା ଭଳି ବୋଧ ହେଉଛି ତେଣୁ ଏହି ନବୀକରଣ ପ୍ରକ୍ରିୟାକୁ ସରଳ କରିବା ସହ ତାହା ଯେପରି ବ୍ୟୟ ସାପେକ୍ଷ ନହେବ ଏବଂ ନବୀକରଣର ଧାର୍ଯ୍ୟ ସୀମାକୁ ଅନ୍ୟୁନ ଆଉ ଛଅ ମାସ ପର୍ଯ୍ୟନ୍ତ କୋହଳ କରାଯିବାକୁ ସଭାରେ ଦୃଢ ଭାବରେ ଦାବି ପ୍ରକାଶ ପାଇଥିଲା ଏବଂ ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜସ୍ୱ ମନ୍ତ୍ରୀ ଓ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସଭାରେ ସେତୁ ଅନୁଷ୍ଠାନର ସଭାପତି ଡଃ ମୀନକେତନ ପାଠୀ ମଞ୍ଚାସୀନଥିଲେ। ସମ୍ବଲପୁର ନାଟ୍ୟକଳା ପରିଷଦର ସମ୍ପାଦକ ଡଃ ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସାଂସ୍କୃତିକ ସମାଜର ସହ ସମ୍ପାଦକ ଅଖିଳ ରଂଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ