ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ, ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ
ଝାରସୁଗୁଡ଼ା, ୩୦/୫ (ଓଡ଼ିଶା ନ୍ୟୁଜ୍): ଝାରସୁଗୁଡ଼ା ଜିଲ୍ଲାରେ ସଡ଼କ ସୁରକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଓ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଜିଲ୍ଲା ସଡ଼କ ସୁରକ୍ଷା ସମିତି (ଡିଆରଏସସି)ର ସମୀକ୍ଷା ବୈଠକ ଶୁକ୍ରବାର କଲେକ୍ଟରେଟ୍ ସ୍ଥିତ ଡିଏମଏଫ୍ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ କୁଣାଳ ମୋତିରାମ ଚୱାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଏନ୍ଏଚଏଆଇ ପିଡି ଅମିତ ଗୁପ୍ତା, ଅତିରିକ୍ତ ଏସପି ଜ୍ୟୋତ୍ସ୍ନାୟୀ ପ୍ରଧାନ, ଆରଟିଓ ପ୍ରଣୟ କୁମାର ମିଶ୍ର, ସହକାରୀ ଆରଟିଓ ତପନ କୁମାର ବିଶ୍ୱାଳ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଜିଲ୍ଲାପାଳ ଶ୍ରୀ ଚହ୍ୱାଣ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର କମାଇବା ପାଇଁ ସମସ୍ତ ବିଭାଗ ଏବଂ ସମ୍ପୃକ୍ତ ସଂସ୍ଥା ମାନଙ୍କ ମଧ୍ୟରେ ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ରାସ୍ତା ପାର୍ଶ୍ୱରେ ବେଆଇନ ପାର୍କିଂ ଉପରେ କଡ଼ା ଏନଫୋର୍ସମେଣ୍ଟ କରିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା।
ସେହିପରି ଜିଲ୍ଲାର ସମସ୍ତ ଶିଳ୍ପ ସଂସ୍ଥାକୁ ରାସ୍ତା ପାର୍ଶ୍ୱ ଅଞ୍ଚଳରେ ନିୟମିତ ଡି-ଡଷ୍ଟିଂ ଓ ପରିଷ୍କାର-ପରିଚ୍ଛନ୍ନତା କାର୍ଯ୍ୟ କରି ଧୂଳି ପ୍ରଦୂଷଣ ନିୟନ୍ତ୍ରଣ ସହ ପରିବେଶ ସ୍ୱଚ୍ଛତା ବଜାୟ ରଖିବାକୁ କୁହା ଯାଇଥିଲା। ଏଥିସହ ଇବ୍ ବ୍ରିଜ୍ ନିକଟରେ ଖରାପ ହୋଇଥିବା ଯାନବାହନକୁ ତୁରନ୍ତ ହଟାଇବା ପାଇଁ ଏନଏଚଏଆଇ ଓ ଓଏମପିଏଲ୍ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ସମୟରେ କ୍ରେନ୍ ସେବା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଏହା ସହିତ ପ୍ରସନ୍ନ ପଣ୍ଡା ଛକରୁ ଓଏଭି ଏଚ୍. କଣ୍ଟାପାଲି ପର୍ଯ୍ୟନ୍ତ ରମ୍ବଲ୍ ଷ୍ଟ୍ରିପ୍ ସ୍ଥାପନ ଓ କୁଡ଼ାଲୋଇ ଛକରେ ହାଇମାଷ୍ଟ ଲାଇଟ୍ ବସାଇବାକୁ ଏନଏଚଏଆଇକୁ ନିର୍ଦ୍ଦେଶ ଦିଆ ଯାଇଥିଲା।
ଜିଲ୍ଲାପାଳ ଶ୍ରୀ ଚହ୍ୱାଣ ଏନଏଚଏଆଇ ଓ ଆରଟିଓ ଙ୍କୁ ପ୍ରସନ୍ନ ପଣ୍ଡା ଛକରୁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ଯୁଗ୍ମ ଯାଞ୍ଚ କରି ରମ୍ବଲ୍ ଷ୍ଟ୍ରିପ୍ ସ୍ଥାପନ ପାଇଁ ପଦକ୍ଷେପ ନେବା ସହ ଆରଟିଓ ଛକରୁ ଇବ୍ ବ୍ରିଜ୍ ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ସୁଦୃଢ଼ କରିବାକୁ କହିଥିଲେ।ଏହାଛଡ଼ା, ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାର୍କିଂ ସ୍ଥଳ ଗୁଡ଼ିକରେ କୁଲିଂ ପଏଣ୍ଟ ଓ କୁଲିଂ ସେଡ୍ ସ୍ଥାପନ ସମ୍ଭାବନା ଯାଞ୍ଚ କରିବାକୁ ମଧ୍ୟ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା।ଜିଲ୍ଲା ସଡ଼କ ସୁରକ୍ଷା ସମିତିର ଏହି ବୈଠକରେ ଗୃହୀତ ପଦକ୍ଷେପ ଗୁଡ଼ିକ ଆଗାମୀ ଦିନରେ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତାୟାତ ବ୍ୟବସ୍ଥାର ସୁରକ୍ଷା ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରା ଯାଉଛି।

