ସାତ ବର୍ଷ ଧରି ଚିଙ୍ଗୀରାନାଲି ପ୍ରାଥମିକ ବିଦ୍ୟାଳୟ ବନ୍ଦ ଥିବାରୁ ଅସାମାଜିକ ଲୋକଙ୍କ ପାଲଟିଛି ଆଡ୍ଡାସ୍ଥଳୀ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଚିଙ୍ଗିରାନାଲି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଗତ ୭ ବର୍ଷ ଧରି ବନ୍ଦ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସ୍କୁଲଟିକୁ ପୁନଃ ଖୋଲିବା ଦାବିରେ ଗ୍ରାମବାସୀ ସମ୍ପ୍ରତି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଚିଙ୍ଗିରାନାଲି ଏକ ୱାର୍ଡ ବିଶିଷ୍ଟ ଛୋଟ ଗ୍ରାମ ହୋଇଥିବା ବେଳେ ଏଠାରେ ପ୍ରାୟ ୫୦ଟି ପରିବାରର ୪୦୦ରୁ ଅଧିକ ଲୋକ ବାସ କରନ୍ତି। ଅଧିକାଂଶ ପରିବାର ଗରିବ ଓ ଶ୍ରମିକ ଶ୍ରେଣୀର ହୋଇଥିବାରୁ ଗ୍ରାମରେ ଏକ ବିଦ୍ୟାଳୟ ସ୍ଥାପନ ପାଇଁ ଦୀର୍ଘ ଦିନ ଧରି ଦାବି ହେଉଥିଲା। ଫଳସ୍ୱରୂପ ସର୍ବଶିକ୍ଷା ଅଭିଯାନ ଆନୁକୂଳ୍ୟରେ ୧୪ ଅଗଷ୍ଟ ୨୦୧୩ରେ ଗ୍ରାମରେ ନୂତନ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ସେଠାରେ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତ କରାଯାଇଥିଲା ଏବଂ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଚାଲୁଥିଲା। ସେତେବେଳେ ୨୫ରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇ ପାଠ ପଢ଼ୁଥିଲେ।
ପରେ ୨୦୧୪ ମସିହାରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି କୋଠରୀ ବିଶିଷ୍ଟ ସ୍କୁଲ ଭବନ ଓ ଏକ ରୋଷେଇ ଘର ନିର୍ମାଣ କରାଯାଇଥିଲା। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ ଜଣେ ରୋଷେଇଆଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା।
ମାତ୍ର ଡିସେମ୍ବର ୨୦୨୦ରେ ଛାତ୍ର ସଂଖ୍ୟା କମ୍ ଥିବା ଦର୍ଶାଇ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା। ସେହି ବର୍ଷ ନୂତନଛାତ୍ର ଛାତ୍ରୀ ଙ୍କ ନାମଲେଖାକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସ୍କୁଲ ବନ୍ଦ ହେବା ପରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାୟ ଅଢ଼େଇ କିଲୋମିଟର ଦୂରରେ ଥିବା ବିଶାଲପାଲି ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇବାକୁ କୁହାଯାଇଥିଲା।
ଜଙ୍ଗଲି ଅଞ୍ଚଳ ଦେଇ ସ୍କୁଲକୁ ଯିବାକୁ ପଡ଼ୁଥିବାରୁ ଅନେକ ଅଭିଭାବକ ନିଜ ପିଲାଙ୍କୁ ଏକୁଟିଆ ପଠାଇବାକୁ ଭୟ କରୁଛନ୍ତି। ଅଧିକାଂଶ ପରିବାର ଦୈନିକ ମଜୁରିଆ ହୋଇଥିବାରୁ ପ୍ରତିଦିନ ପିଲାଙ୍କୁ ସ୍କୁଲକୁ ନେବା ଓ ଆଣିବା ସମ୍ଭବ ହେଉନଥିବା ଗ୍ରାମର ପ୍ରକାଶ ସାହୁ କହିଛନ୍ତି। ଫଳରେ କେତେକ ଛାତ୍ର ଛାତ୍ରୀ ପାଠପଢ଼ା ଛାଡ଼ି ଦେଇଥିବା ବେଳେ ଆଉ କେତେକ କେବଳ ନାମ ଲେଖାଇ ନିୟମିତ ସ୍କୁଲକୁ ଯାଉନଥିବା ଜଣାପଡ଼ିଛି।
ସ୍କୁଲ ପୁନଃ ଖୋଲିବା ପାଇଁ ଗ୍ରାମବାସୀ ବାରମ୍ବାର ଜନପ୍ରତିନିଧି ଓ ପ୍ରଶାସନଙ୍କ ନିକଟରେ ଦାବି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ବନ୍ଦ ପଡ଼ିଥିବା ସ୍କୁଲ ଭବନ ବର୍ତ୍ତମାନ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ମଧ୍ୟ ଅଭିଯୋଗ ହୋଇଛି।
ନିକଟରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ବହଳପଦର ପଞ୍ଚାୟତ ଗସ୍ତରେ ଆସିଥିବା ବେଳେ ଗ୍ରାମବାସୀ ତାଙ୍କୁ ଭେଟି ସ୍କୁଲ ପୁନଃ ଖୋଲିବା ପାଇଁ ଦାବିପତ୍ର ଦେଇଛନ୍ତୁ। ଏବେ ଗ୍ରାମର ପ୍ରାୟ ୩୦ ରୁ ଅଧିକ ଛାତ୍ର ଛାତ୍ରୀ ଥିବା ମଧ୍ୟ ସେମାନେ ଜଣାଇଛନ୍ତି। ଜିଲ୍ଲାପାଳ ଏହାର ସ୍ଥିତି ଯାଞ୍ଚ କରି ଆବଶ୍ୟକ ବ୍ୟବସ୍ଥା ଗ୍ରହଣ ପାଇଁ ବୀରମହାରାଜପୁର ଏବିଇଓ ବାର୍ଣ୍ଣା ଡୁଙ୍ଗଡୁଙ୍ଗଙ୍କୁ ନିର୍ଦ୍ଦେଶ ଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ତେବେ ଶିକ୍ଷାର ଅଧିକାର ଓ ଗ୍ରାମର ଛୋଟ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଶାସନ ଯଥାଶୀଘ୍ର ଚିଙ୍ଗିରାନାଲି ପ୍ରାଥମିକ ବିଦ୍ୟାଳୟକୁ ପୁନଃ ଚାଲୁ କରିବାକୁ ସାଧାରଣରେ ଦାବି ହେଉଛି।

