Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଦ୍ଧ ପରିସ୍ଥିତି ଆଶଙ୍କା: ପେଟ୍ରୋଲ ପମ୍ପ ପାଇଁ ଜିଲ୍ଲା ପ୍ରଶାସନର କଡ଼ା ନିର୍ଦ୍ଦେଶ,କଳାବଜାରୀ କଲେ କଠୋର କାର୍ଯ୍ୟାନୁଷ୍ଠାନ, ପ୍ଲାଷ୍ଟିକ କଣ୍ଟେନରରେ ତେଲ ବିକ୍ରି ନିଷିଦ୍ଧ

ଝାରସୁଗୁଡ଼ା, ୪/୬ (ଓଡ଼ିଶା ନ୍ୟୁଜ୍) ପଶ୍ଚିମ ଏସିଆରେ ଦେଖା ଦେଇଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ଇନ୍ଧନ ଯୋଗାଣ ବ୍ୟବସ୍ଥା ସୁଚାରୁ ରଖିବା ଏବଂ କୃତ୍ରିମ ଅଭାବ ରୋକିବା ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ ଡିଲର, ବିଭିନ୍ନ ତୈଳ କମ୍ପାନୀର ସେଲ୍ସ ଅଧିକାରୀ ଏବଂ ଯୋଗାଣ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।
ବୈଠକରେ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ, ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ଯୋଗାଣରେ କୌଣସି ପ୍ରକାର ବାଧା ସୃଷ୍ଟି କରାଯିବ ନାହିଁ। କୃତ୍ରିମ ଅଭାବ ସୃଷ୍ଟି, ମହଜୁଦଦାରୀ କିମ୍ବା କଳା ବଜାରୀ ଭଳି କାର୍ଯ୍ୟରେ ଲିପ୍ତ ଥିବା ପେଟ୍ରୋଲ ପମ୍ପ ବିରୋଧରେ ଜରୁରୀକାଳୀନ ସେବା ଆଇନ ଅନୁଯାୟୀ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।ଜରୁରୀ କାଳୀନ ସେବାକୁ ପ୍ରାଥମିକତା ଦେଇ ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ୨୦୦୦ ଲିଟର ଡିଜେଲ ଓ ୧୦୦୦ ଲିଟର ପେଟ୍ରୋଲ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ଏହି ଇନ୍ଧନ କେବଳ ଆମ୍ବୁଲାନ୍ସ, ଦୁଗ୍ଧ ପରିବହନ ଗାଡ଼ି ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ପାଇଁ ବ୍ୟବହୃତ ହେବ।
ସେହିପରି ପ୍ରତ୍ୟେକ ପେଟ୍ରୋଲ ପମ୍ପକୁ ପ୍ରତିଦିନର ବିକ୍ରି ଏବଂ ମହଜୁଦ ଇନ୍ଧନ ସମ୍ପର୍କିତ ରିପୋର୍ଟ ଜିଲ୍ଲା ଯୋଗାଣ ବିଭାଗ ନିକଟରେ ଦାଖଲ କରିବା ବାଧ୍ୟତାମୂଳକ କରା ଯାଇଛି। ନିର୍ଦ୍ଦେଶନାମା ଅବହେଳା କରିଲେ ସମ୍ପୃକ୍ତ ପମ୍ପ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରାଯାଇଛି।
ସୁରକ୍ଷା ଦୃଷ୍ଟିରୁ ପ୍ଲାଷ୍ଟିକ କଣ୍ଟେନରରେ ପେଟ୍ରୋଲ କିମ୍ବା ଡିଜେଲ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରା ଯାଇଛି। କୌଣସି ଅତ୍ୟାବଶ୍ୟକ ପରିସ୍ଥିତିରେ ପ୍ଲାଷ୍ଟିକ କଣ୍ଟେନରରେ ତେଲ ନେବାକୁ ହେଲେ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅନୁମତି ପତ୍ର ଦେଖାଇବା ପରେ ତେଲ ପ୍ରଦାନ କରାଯିବ।
ଏଥିସହ ପେଟ୍ରୋଲ ପମ୍ପ ଗୁଡ଼ିକର ବୈଧ ଲାଇସେନ୍ସ ଓ ଅଗ୍ନିଶମ ସୁରକ୍ଷା ପ୍ରମାଣପତ୍ରର ନବୀକରଣ, ସିସିଟିଭି କ୍ୟାମେରାକୁ ସଦା କାର୍ଯ୍ୟକ୍ଷମ ରଖିବା ଏବଂ ମାସିକ ରିଟର୍ଣ୍ଣ ଦାଖଲ କରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଚାଷୀ ମାନଙ୍କ ଟ୍ରାକ୍ଟର ପାଇଁ ଆବଶ୍ୟକ ଇନ୍ଧନ ଯୋଗାଣ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଜିଲ୍ଲା କୃଷି ଅଧିକାରୀଙ୍କ ସହ ଆଲୋଚନା କରି ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆ ଯାଇଛି।
ବୈଠକରେ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଦୁର୍ଗା ଚରଣ ବେଶ୍ରା, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ପୀତାମ୍ବର ସେଠୀ, ଆଇଓସିଏଲ୍‌ର ବରିଷ୍ଠ ଅଧିକାରୀ, ବିଭିନ୍ନ ବିଭାଗର ପ୍ରତିନିଧି ଏବଂ ଜିଲ୍ଲା ପେଟ୍ରୋଲ ପମ୍ପ ଆସୋସିଏସନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ