ସ୍ୱତନ୍ତ୍ର ଭୋଟର ସୂଚୀ ସଂଶୋଧନ ପ୍ରଶିକ୍ଷଣ ଶିବିର: ସାମିଲ ହେଲେ ୧୦୬ ସ୍ୱେଚ୍ଛାସେବୀ
ଝାରସୁଗୁଡ଼ା, ୪/୬ (ଓଡ଼ିଶା ନ୍ୟୁଜ୍): ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ, ନିର୍ଭୁଲ ଓ ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟରେ ଝାରସୁଗୁଡ଼ା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଏକ ସ୍ୱତନ୍ତ୍ର ଭୋଟର ସୂଚୀ ସଂଶୋଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ୦୭-ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ପୌରାଞ୍ଚଳର ଭୋଟର ସୂଚୀ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମ ପାଇଁ ଏହି ପ୍ରଶିକ୍ଷଣ ଆୟୋଜିତ ହୋଇଥିଲା।
ଡେପୁଟି କଲେକ୍ଟର ହରେକୃଷ୍ଣ ବରିହାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଝାରସୁଗୁଡ଼ା ପୌରାଞ୍ଚଳର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ସହକାରୀ ଶିକ୍ଷକ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ମିଶାଇ ମୋଟ ୧୦୬ ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ଉକ୍ତ ପ୍ରଶିକ୍ଷଣ ଶିବିରରେ ଭୋଟର ସୂଚୀରେ ଥିବା ତ୍ରୁଟି ଚିହ୍ନଟ ଓ ସଂଶୋଧନ, ନୂତନ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ କରିବା,ତଥ୍ୟ ଯାଞ୍ଚ ପ୍ରକ୍ରିୟା ଏବଂ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ କରିବା ସମ୍ପର୍କରେ ସ୍ୱେଚ୍ଛାସେବୀ ମାନଙ୍କୁ ବିସ୍ତୃତ ଭାବେ ଅବଗତ କରା ଯାଇଥିଲା।
ଏହା ସହିତ ସ୍ୱେଚ୍ଛାସେବୀ ମାନଙ୍କୁ ବୁଥ ସ୍ତରୀୟ ଅଧିକାରୀ (ବିଏଲ୍ଓ)ମାନଙ୍କ ସହ ସମନ୍ୱୟ ରକ୍ଷା କରି କ୍ଷେତ୍ର ସ୍ତରରେ କାର୍ଯ୍ୟ କରିବା, ଘରକୁ ଘର ବୁଲି ଜନଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବା, ତଥା ସଠିକ୍ ତଥ୍ୟ ସଂକଳନ କରିବା ନେଇ ବ୍ୟବହାରିକ ପ୍ରଶିକ୍ଷଣ ଦିଆ ଯାଇଥିଲା। ଶିବିରରେ ୭ ଜଣ ବିଏଲ୍ଓ ସୁପରଭାଇଜର ଉପସ୍ଥିତ ରହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଆଗାମୀ ଦିନରେ ଏହି ସ୍ୱେଚ୍ଛାସେବୀ ମାନେ ଭୋଟର ସୂଚୀ ସଂଶୋଧନ କାର୍ଯ୍ୟକୁ ସଫଳ କରିବା ସହ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ ଓ ବିଶ୍ୱସନୀୟ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି।

