ଧନୁପାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାପା-ଝିଅଙ୍କ ମୃତ୍ୟୁ
ସମ୍ବଲପୁର: ସହରର ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝାଙ୍କର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି।ଏକ ଦ୍ରୁତଗାମୀ ଟାଟା ସଫାରୀ ଅଟୋକୁ ପଛପଟୁ ଜୋରଦାର ଧକ୍କା ଦେବାରୁ ଦୁର୍ଘଟଣାରେ ବାପା ଓ ନାବାଳିକା ଝିଅଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ମିଳିଥିବା ସୂଚନା ଅନୁସାରେ, ସୁରେନ୍ଦ୍ର ଓରଫ କାଳିଆ ବେହେରା ନାମକ ଜଣେ ବ୍ୟକ୍ତି ତାଙ୍କ ନାବାଳିକା ଝିଅ ସହ ଇଲେକଟ୍ରିକ ଅଟୋ ଓଡି ୧୫ଏବି ୨୨୩୨ରେ ଯାଉଥିବା ସମୟରେ ପଛପଟୁ ଏକ ଟାଟା ସଫାରୀ ଓଡି ୦୨ ବିୟୁ ୩୬୧୧ ଆସି ସେମାନଙ୍କ ଅଟୋକୁ ଧକ୍କା ଦେଇଥିଲା l ଫଳରେ ଅଟୋ ଚାଳକଙ୍କ ସମେତ ବାପ-ଝିଅ ଗୁରୁତର ଆହତ ହୋଇଥିଲେ l ଦୁର୍ଘଟଣାସ୍ଥଳରେ ପାଖରେ ଉପସ୍ଥିତ ଥିବା ବିଜେପି ର ସାକ୍ଷୀ ଗୋପୀନାଥ ମଣ୍ଡଳ ସଭାପତି ବଳରାମ ମହାପାତ୍ର ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ସହ ଗୁରୁତର ନାବାଳିକାଙ୍କୁ ନିଜ ବାଇକ୍ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ l ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପରେ ଗୁରୁତର ବାପା ସୁରେନ୍ଦ୍ର ବେହେରା ଓରଫ କାଲିଆ ୩୯ବର୍ଷ ଓ ଝିଅ ଶୁଭଶ୍ରୀ ବେହେରା ୫ ବର୍ଷ ଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ସେ ମଧ୍ୟ ଆଖି ବୁଜିଥିବା ଜଣାପଡ଼ିଛି l
ଖବର ପାଇ ଧନୁପାଲି ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି l ଗୁରୁବାର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି l ଅନ୍ୟପଟେ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି l ଧନୁପାଲି ପୋଲିସ ପକ୍ଷରୁ ଏହି ଦୁର୍ଘଟଣା ଉପରେ ତଦନ୍ତ ଜାରିରହିଛି l

