Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତୀତର ସଂରକ୍ଷଣ, ଭବିଷ୍ୟତର ନିର୍ମାଣ :ସ୍ମୃତି ଅଢୁଆଳରେ ରକ୍ତତୀର୍ଥ କୁଦୋପାଲି

ସମ୍ବଲପୁର:ସମ୍ବଲପୁରର ପବିତ୍ର ମାଟି, ଭାରତର ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସର ଏକ ଜୀବନ୍ତ ସାକ୍ଷୀ। ବୀର ସୁରେନ୍ଦ୍ର ସାଏ ବ୍ରିଟିଶ ସେନାର ଗତିବିଧି ଉପରେ ନଜର ରଖିବା ପାଇଁ କୁଦୋପାଲି ଘାଟିକୁ ଏକ ଗୁରୁତ୍ୱପୂର୍ଣ୍ଣ କୌଶଳଗତ କେନ୍ଦ୍ର ଭାବେ ବିକଶିତ କରିଥିଲେ। ଏହି ଅଞ୍ଚଳର ଦାୟିତ୍ୱ ତାଙ୍କର ସାନଭାଇ ବୀର ଛବିଲ ସାଏଙ୍କ ହାତରେ ନ୍ୟସ୍ତ ଥିଲା।
୧୮୫୭ ମସିହାର ସ୍ୱାଧୀନତା ସଂଗ୍ରାମ ସମୟରେ ଯୁଜୁମୁରା ଅଞ୍ଚଳରେ ମଧୁ ଗଡ଼ତିଆଙ୍କ ନେତୃତ୍ୱରେ ବୀର ସୁରେନ୍ଦ୍ର ସାଏଙ୍କ ଗରିଲା ଯୋଦ୍ଧାମାନେ ବ୍ରିଟିଶ ସେନା ଉପରେ ଅଚାନକ ଆକ୍ରମଣ କରିଥିଲେ। ଏହି ସଂଘର୍ଷରେ ଅନେକ ଇଂରେଜ ସୈନିକ ଗୁରୁତର ଆହତ ହୋଇଥିଲେ ଏବଂ ଡାକ୍ତର ମୁରଙ୍କ ମୃତ୍ୟୁ ଘଟିଥିଲା। ଏହାର ପ୍ରତିଶୋଧ ସ୍ୱରୂପ ୧୭ ଡିସେମ୍ବର ୧୮୫୭ ରେ ବ୍ରିଟିଶ ସେନା କୁଦୋପାଲି ଘାଟି ଉପରେ ଆକ୍ରମଣ କରିଥିଲେ । ପ୍ରଥମ ଯୁଦ୍ଧରେ ଇଂରେଜମାନେ ପରାଜିତ ହୋଇଥିଲେ, ଯଦିଓ ଚାରିଜଣ ସ୍ୱାଧୀନତା ସଂଗ୍ରାମୀ ବୀରଗତି ପ୍ରାପ୍ତ କରିଥିଲେ।
ପରାଜୟ ପରେ ଇଂରେଜମାନେ ନୂତନ ରଣନୀତି ପ୍ରସ୍ତୁତ କରି ମଦ୍ରାସ ଓ ନାଗପୁରରୁ ଅତିରିକ୍ତ ସୈନ୍ୟ ଆଣିଥିଲେ। ୩୦ ଡିସେମ୍ବର ୧୮୫୭ ର ତୀବ୍ର ଶୀତରେ, ଯେତେବେଳେ ବିପ୍ଳବୀମାନେ ପାହାଡ଼ରୁ ତଳକୁ ଓହ୍ଲାଇ ଏକ ଆମ୍ବ ବଗିଚାରେ ବିଶ୍ରାମ କରୁଥିଲେ, ସେତେବେଳେ ବ୍ରିଟିଶ ସେନା ଚାରିପଟୁ ଘେରି ଆକ୍ରମଣ କରିଥିଲେ।କୁଦୋପାଲି ଗ୍ରାମ ମଧ୍ୟରେ ବୀର ଛବିଲା ସାଏ ଗୁଳିବିଦ୍ଧ ହୋଇ ଶହୀଦ ହୋଇଥିଲେ। ତାଙ୍କ ସହିତ ଆଉ ୫୩ ଜଣ ବୀର ଯୋଦ୍ଧା ମାତୃଭୂମି ପାଇଁ ନିଜ ପ୍ରାଣ ଉତ୍ସର୍ଗ କରିଥିଲେ ଏହି କୁଦୋପାଳିରେ। ରକ୍ତ ରଞ୍ଜିତ ହୋଇଥିଲା କୁଦୋପାଲି। ଯାହାକି ଆଜି ରକ୍ତତୀର୍ଥ ନାମରେ ପରିଚିତ। ସେହି ସମୟରେ ୧୧ ଜଣ ବିପ୍ଳବୀ ଗିରଫ ହୋଇଥିଲେ, ଯେଉଁମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଫାଶୀ ଓ ଅନ୍ୟମାନଙ୍କୁ କଠୋର କାରାଦଣ୍ଡ ଦିଆଯାଇଥିଲା। ଏପରି ଭାବରେ ମୋଟ ୫୭ ଜଣ ବୀର ସନ୍ତାନ ଦେଶ ଓ ମାତୃଭୂମି ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ।
ସ୍ୱାଧୀନତା ପ୍ରାପ୍ତି ପରେ ଅନେକ ସରକାର ଆସିଥିଲେ ଓ ଯାଇଥିଲେ, କିନ୍ତୁ ଦୀର୍ଘ ସମୟ ଧରି ଏହି ଗୌରବମୟ ଓ ରକ୍ତରଞ୍ଜିତ ଇତିହାସର ସଂରକ୍ଷଣ, ଶହୀଦମାନଙ୍କ ସମ୍ମାନ ଓ ତାଙ୍କ ପରିବାରମାନଙ୍କ ପରିଚୟ ଏବଂ ପୁନଃସ୍ଥାପନ ପାଇଁ ପର୍ଯ୍ୟାପ୍ତ ପ୍ରୟାସ ହୋଇନଥିଲା। ତଥାପି ସ୍ଥାନୀୟ ସ୍ତରରେ ବର୍ଷ ବର୍ଷ ଧରି ୩୦ ଡିସେମ୍ବରରେ ଶହୀଦ ଶ୍ରଦ୍ଧାଞ୍ଜଳି ସମାରୋହ ଏବଂ ୨୩ ଜାନୁଆରୀରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ କରାଯାଉଥିଲା।
ବରିଷ୍ଠ ସାମ୍ବାଦିକ ବାମାପଦ ତ୍ରିପାଠୀ, ଦଶରଥୀ ସାହୁ, ଲକ୍ଷ୍ମଣ ଦେହୁରୀ, ସୋନୁରାଜ ଡ଼ନସେନା ଏବଂ ସ୍ୱର୍ଗତ ପ୍ରଦ୍ୟୁମ୍ନ ସେଠଙ୍କ ଭଳି ସମର୍ପିତ ବ୍ୟକ୍ତିମାନେ କୁଦୋପାଲି ରଣଭୂମିର ଇତିହାସକୁ ଜନମାନସରେ ପହଞ୍ଚାଇବା ଏବଂ ଏହି ଶହୀଦ ସ୍ଥଳର ବିକାଶ ପାଇଁ ଉଲ୍ଲେଖନୀୟ ଅବଦାନ ରଖିଥିଲେ।ପରବର୍ତ୍ତୀ ସମୟରେ ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ କୁଦୋପାଲି ର ଇତିହାସକୁ ସଂରକ୍ଷଣ ଓ ଭବିଷ୍ୟତ ନିର୍ମାଣ ପାଇଁ ଆଗେଇ ଆସିଛନ୍ତି।
‘ଆଜାଦୀ କା ଅମୃତ ମହୋତ୍ସବ’ ବର୍ଷ ୨୦୨୨ ଏହି ଇତିହାସକୁ ଜାତୀୟ ସ୍ତରରେ ପରିଚିତ କରାଇବାର ଏକ ସୁବର୍ଣ୍ଣ ସୁଯୋଗ ହୋଇଥିଲା। ଏହି ବର୍ଷ “ବୀର ଛବିଲା ସାଏ ସ୍ମୃତି ସମିତି” ଗଠନ କରିଥିଲା । ସମିତିର ଉଦ୍ଦେଶ୍ୟ ଥିଲା ବୀର ଛବିଲା ସାଏ ଏବଂ ୫୭ ଅମର ଶହୀଦଙ୍କ ବଳିଦାନକୁ ଜନମାନସରେ ପହଞ୍ଚାଇବା, କୁଦୋପାଲିର ଐତିହାସିକ ଗୁରୁତ୍ୱକୁ ପ୍ରତିଷ୍ଠିତ କରିବା ଏବଂ ଶହୀଦ ସ୍ଥଳର ବିକାଶ ପାଇଁ ବ୍ୟାପକ ଜନସହଭାଗିତାକୁ ସୁନିଶ୍ଚିତ କରିବା।ଏହି ସମିତି ଗଠନ ପଛରେ ଜୟବ୍ରତ ଦେ, ପ୍ରଦୀପ ବହିଦାର,କିଶୋର ଦେହୁରୀ ସନୁର୍ଜନ ଡନସେନା, କିଶୋର ମହାକୁଡ଼, ଡା. ରାଜାରାମ ଷଡ଼ଙ୍ଗୀଙ୍କ ପରି ଅନେକ ଗୁଣି ଜ୍ଞାନୀ ଆଗେଇ ଆସିଥିଲେ।
ସେହି ବର୍ଷ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଥିବା ବିଶ୍ୱଭୂଷଣ ହରିଚନ୍ଦନ ଏହି ବୀରଗାଥାର ପ୍ରଚାର-ପ୍ରସାର ଏବଂ ଭବ୍ୟ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରେରଣା ଦେଇଥିଲେ। ତତ୍କାଳୀନ ରେଙ୍ଗାଲି ବିଧାୟକ ନାଉରୀ ନାଏକ ମଧ୍ୟ ଏହି ପ୍ରୟାସକୁ ସମର୍ଥନ କରିଥିଲେ। ଏହା ପରେ ଗାଁ ଗାଁରେ ଜନଜାଗରଣ ଅଭିଯାନ ଚାଲିଥିଲା। ପ୍ରାୟ ୧୫୦–୨୦୦ ମହିଳା ଏବଂ ୬୦–୭୦ କର୍ମୀ ବିଭିନ୍ନ ଗାଁ ଓ ସମ୍ବଲପୁର ସହରରେ ସଭା ଆୟୋଜନ କରିଥିଲେ, ଘରେ ଘରେ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ଏହି ଗୌରବମୟ ଇତିହାସ ସହ ପରିଚିତ କରାଇଥିଲେ।
୧୭ ଡିସେମ୍ବର ୨୦୨୨ ରେ ପ୍ରଥମ ଯୁଦ୍ଧର ବିଜୟ ଓ ଚାରି ଅମର ଶହୀଦଙ୍କ ସ୍ମୃତିରେ ଐତିହାସିକ ମଶାଲ ଓ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଥିଲା। ୩୦ରୁ ଅଧିକ ଗାଁରୁ ହଜାର ହଜାର ମହିଳା, ପୁରୁଷ, ଯୁବକ ଓ ଶିଶୁ ଏଥିରେ ଯୋଗଦେଇଥିଲେ। ସୂର୍ଯ୍ୟାସ୍ତ ସମୟରେ ଚାରିଦିଗରୁ ରଣଭୂମି ଅଭିମୁଖେ ଆସୁଥିବା ମଶାଲର ଦୃଶ୍ୟ ଅତ୍ୟନ୍ତ ପ୍ରେରଣାଦାୟକ ଥିଲା।୨୫ ରୁ ୨୯ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବିତର୍କ, ଭାଷଣ, ପ୍ରବନ୍ଧ, ରଙ୍ଗୋଳି, ଦେଶାତ୍ମବୋଧକ ଗୀତ ଏବଂ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଯେଉଁଥିରେ ୮୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହାର ମୂଳ ଉଦ୍ଦେଶ୍ୟ ଥିଲା ନୂତନ ପିଢ଼ୀଙ୍କୁ ବୀର ଛବିଲା ସାଏ ଏବଂ ୫୭ ଅମର ଶହୀଦଙ୍କ ବଳିଦାନ ସହ ପରିଚିତ କରାଇବା।
୨୦୨୩ ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଉପସ୍ଥିତି ଏହି ଆୟୋଜନକୁ ଜାତୀୟ ପରିଚୟ ପ୍ରଦାନ କରିଥିଲା।
ବର୍ଷ ୨୦୨୪ ରେ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ଐତିହାସିକ ପ୍ରୟାସକୁ ସହଯୋଗ ପ୍ରଦାନ କରିଥିଲେ । ଶହୀଦ ସ୍ମାରକ ନିର୍ମାଣ, ପାଥୱେ ବିକାଶ ଏବଂ ବୀର ଛବିଲା ସାଏଙ୍କ ସମେତ ୫୭ ଅମର ଶହୀଦଙ୍କୁ ୨୧ ତୋପ ସଲାମୀ ମାଧ୍ୟମରେ ସମ୍ମାନିତ କରାଯାଇଥିଲା।ସେହି ଦିନ ଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜୟନ୍ତୀ ପାଳନ ହୋଇଆସୁଛି।
ଆଜି କୁଦୋପାଲି କେବଳ ଏକ ଐତିହାସିକ ସ୍ଥାନ ନୁହେଁ, ବରଂ ରାଷ୍ଟ୍ରଭକ୍ତି, ଜନସହଭାଗିତା, ସାଂସ୍କୃତିକ ପୁନର୍ଜାଗରଣ ଏବଂ ପ୍ରଶାସନିକ ଦୂରଦୃଷ୍ଟିର ଏକ ଉଜ୍ଜ୍ୱଳ ପ୍ରତୀକ ହୋଇଉଠିଛି। ଅତୀତର ଏହି ଅମୂଲ୍ୟ ଐତିହ୍ୟକୁ ସଂରକ୍ଷଣ କରି ଭବିଷ୍ୟତ ପିଢ଼ୀଙ୍କୁ ପ୍ରେରିତ କରିବା ହିଁ ଅତୀତର ସଂରକ୍ଷଣ, ଭବିଷ୍ୟତର ନିର୍ମାଣ ପାଇଁ ଏକ ଆହ୍ୱାନ ହୋଇ ହୋଇ ଠିଆ ହୋଇଛି। ଯାହାର ଇତିହାସ କିଛି କମ ନୁହେଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ