କୋଡ଼ିଙ୍ଗା ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଯୁବତୀଙ୍କ ହତ୍ୟା ମାମଲାରେ ଜଣେ ଗିରଫ
ନବରଙ୍ଗପୁର ଜିଲ୍ଲାର କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡ଼ା ଗ୍ରାମରେ ଜଣେ ଯୁବତୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ମାମଲାରେ ଗ୍ରାମର ଦଶରଥ ମାଝୀଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ପାର୍ଥ ଜଗଦୀଶ କଶ୍ୟପ ଏହି ସୂଚନା ଦେଇଛନ୍ତି। ମୃତ ଯୁବତୀ ଚନ୍ଦ୍ରା ଭତ୍ରା (୨୨) ରଜ ପାଳନ ପାଇଁ ଘରୁ ବାହାରିଥିବା ବେଳେ ପରଦିନ ସକାଳେ ତାଙ୍କ ମୃତଦେହ ଘର ସମ୍ମୁଖରେ ପଡ଼ିଥିବା ଅବସ୍ଥାରେ ମିଳିଥିଲା।
ଘଟଣା ପରେ କୋଡ଼ିଙ୍ଗା ଥାନାରେ ମାମଲା ରୁଜୁ ହୋଇଥିଲା ଏବଂ ପାପଡାହାଣ୍ଡି ଏସ୍ଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଥିଲା। ବୈଷୟିକ ତଥ୍ୟ ଓ ତଦନ୍ତ ଆଧାରରେ ପୁଲିସ ଅଭିଯୁକ୍ତ ଦଶରଥ ମାଝୀଙ୍କୁ ଚିହ୍ନଟ କରି ଗିରଫ କରିଥିଲା। ପଚରାଉଚରା ବେଳେ ସେ ଅପରାଧ ସ୍ୱୀକାର କରିଥିବା ପୁଲିସ କହିଛି।
ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଓ ମୃତ ଯୁବତୀ ପରସ୍ପର ପରିଚିତ ଥିଲେ। ଘଟଣା ରାତିରେ ଉଭୟଙ୍କ ମଧ୍ୟରେ ତୀବ୍ର ବଚସା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଦଶରଥ ମାଝୀ ଯୁବତୀଙ୍କୁ ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ କରିବା ଓ ତଦନ୍ତକୁ ବିଭ୍ରାନ୍ତ କରିବା ପାଇଁ ମୃତଦେହକୁ ଅନ୍ୟ ସ୍ଥାନରେ ରଖି ଦେଇଥିବା ଅଭିଯୋଗ ରହିଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

