Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମର ପାଲି ଗ୍ରାମର ପୋଖରୀ ସବୁ ଶୁଖିଲା ପଡିଛି ପାଣି ଟୋପାଏ ପାଇଁ ଡହଳବିକଳ ପ୍ରାଣୀ ଜଗତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଅମରପାଲି ଗ୍ରାମରେ ଥିବା ପୋଖରୀଗୁଡ଼ିକର ଦୁରବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଗ୍ରାମରେ ମୋଟ ୭ଟି ପୋଖରୀ ଥିବାବେଳେ କୌଣସି ପୋଖରୀରେ ବର୍ଷ ବର୍ଷ ଧରି ମାଟି କାମ କିମ୍ବା ପଙ୍କୋଦ୍ଧାର କରାଯାଉ ନଥିବାରୁ ସେଗୁଡ଼ିକ ଶୁଖିଲା ପଡ଼ି ରହିଛି। ଏହା ଫଳରେ ଜଳଧାରଣ କ୍ଷମତା କ୍ରମଶଃ ହ୍ରାସ ପାଉଥିବା ସହ ଚାଷ ଓ ଜଳ ସମସ୍ୟା ମଧ୍ୟ ଉତ୍କଟ ହୋଇପଡ଼ିଛି। ଗ୍ରାମର ଝାରବନ୍ଧ ପୋଖରୀ ଏମ୍‌ଆଇପି ଅଧୀନରେ ରହିଥିବାବେଳେ ବରକଟା, ଖଜୁରୀକଟା, ନିମାଇଁବନ୍ଧ, ବଡ଼ବନ୍ଧ (ଗାଁବନ୍ଧ), ରୁଗୁଡ଼ିବନ୍ଧ, ମହତବନ୍ଧ ଓ ସାଗରୀବନ୍ଧ ପୋଖରୀ ପଞ୍ଚାୟତ ଓ ବ୍ଲକ ଅଧୀନରେ ରହିଛି। ଏହି ସମସ୍ତ ପୋଖରୀରେ ପ୍ରତିବର୍ଷ ମାଛଚାଷ ପାଇଁ ନିଲାମ କରାଯାଇ ସରକାର ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ ପଙ୍କୋଦ୍ଧାର କିମ୍ବା ମାଟି କାମ ପ୍ରତି କୌଣସି ଧ୍ୟାନ ଦିଆଯାଉ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ପୋଖରୀଗୁଡ଼ିକ ଗ୍ରାମର ଚାଷ ଜମିକୁ ଜଳସେଚନ, ଗାଧୋଇବା, ଦୈନନ୍ଦିନ ବ୍ୟବହାର ଓ ଗୃହପାଳିତ ପଶୁଙ୍କ ପାଇଁ ଜଳର ପ୍ରମୁଖ ଉତ୍ସ ହୋଇଥିବାବେଳେ ବର୍ତ୍ତମାନ ସେଗୁଡ଼ିକ ପଙ୍କରେ ପୋତି ହୋଇ ଶୁଖିଲା ପଡ଼ିଛି। ଏହା ଫଳରେ ଖରିଫ ଋତୁରେ ଚାଷୀମାନେ ପର୍ଯ୍ୟାପ୍ତ ଜଳ ପାଉନଥିବାରୁ ବିଭିନ୍ନ ସମୟରେ ପାଣି ବଣ୍ଟନକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହେଉଛି । ବିଶେଷକରି ବରକଟା ପୋଖରୀର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ପର୍ବତାଞ୍ଚଳରୁ ପାଣି ଆସୁଥିବାରୁ ଏହା ଶୀଘ୍ର ପୂର୍ଣ୍ଣ ହୋଇଥାଏ। କିନ୍ତୁ ପ୍ରାୟ ୪୦ରୁ ୫୦ ବର୍ଷ ହେଲା ଏହାର ପଙ୍କୋଦ୍ଧାର ହୋଇନଥିବାରୁ ପୋଖରୀଟି ପ୍ରାୟ ପଡ଼ିଆରେ ପରିଣତ ହୋଇଯାଇଛି। କିଛି ଦିନ ପୂର୍ବେ ଏକ ଗାଈ ପାଣି ପିଇବାକୁ ଯାଇ ପଙ୍କରେ ଫସି ରହିଥିଲା ଓ ପ୍ରାୟ ୧୪ ଘଣ୍ଟା ପରେ ତାହାକୁ ଉଦ୍ଧାର କରାଯାଇଥିଲା। ଅନ୍ୟପଟେ, ଯେଉଁ ପୋଖରୀଗୁଡ଼ିକ ଲୋକଙ୍କ ଦୈନନ୍ଦିନ ବ୍ୟବହାରରେ ଆସୁନାହିଁ ସେଠାରେ କାମ କରାଯାଉଥିବାବେଳେ ଗୁରୁତ୍ୱପୂର୍ଣ୍ଣ ପୋଖରୀଗୁଡ଼ିକୁ ଅବହେଳା କରାଯାଉଥିବାରୁ ଠିକାଦାର ପୋଷା ନୀତିରେ ସରକାରୀ ଅର୍ଥ ଅପବ୍ୟୟ ହେଉଥିବା ଅଭିଯୋଗ ମଧ୍ୟ ଉଠିଛି। ତେଣୁ ଅମରପାଲି ଗ୍ରାମର ସମସ୍ତ ପୋଖରୀର ତୁରନ୍ତ ପଙ୍କୋଦ୍ଧାର ଓ ମାଟି କାମ କରାଯାଇ ସେମାନଙ୍କର ଜଳଧାରଣ କ୍ଷମତା ବୃଦ୍ଧି କରିବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି। ଏନେଇ ବୀରମହାରାଜପୁର ବିଡିଓ ରାଜୀବ ହାଁସଦା ଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟା ରେ ଯେଉଁ ସବୁ ପୋଖରୀ ରୁ ପଙ୍କ ଉଦ୍ଧାର କରାଯାଉ ନାହିଁ ଆମେ ପର୍ଯ୍ୟାୟ କ୍ରମେ ପଙ୍କ ଉଦ୍ଧାର ଓ ମାଟି କାମ ହେବ ବୋଲି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ