ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ
ବାଲିଗୁଡା, ତା, ୨୫/୦୬ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଗାର୍ଡିଙ୍ଗିଆ ଶାଖା ଡାକଘର ରେ ଏକ ବଡ଼ଧରଣର ଆର୍ଥିକ ହେରଫେର ଓ ସରକାରୀ ଅର୍ଥ ଆତ୍ମସାତ ମାମଲା ସାମ୍ନାକୁ ଆସିଛି। ଗ୍ରାହକଙ୍କ ସଞ୍ଚୟ ଖାତା ଟଙ୍କା ହଡ଼ପ କରିବା ସହ ଅଫିସ୍ ନଗଦ ଅର୍ଥ ନେଇ ଫେରାର ଥିବା ଅଭିଯୋଗରେ ଟିକାବାଲି ପୋଲିସ ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଡାକପାଲା ଗ୍ରାମର ଗିରୀଶ ଚନ୍ଦ୍ର ଦିଗାଲ (୩୯)। ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଗିରୀଶ ଚନ୍ଦ୍ର ଦିଗାଲ ୨୦୧୪ ମସିହାରୁ ପାବୁରିଆ ସବ୍-ପୋଷ୍ଟ ଅଫିସ୍ ଅଧୀନରେ ଥିବା ଗାର୍ଡିଙ୍ଗିଆ ଶାଖା ଡାକଘରର ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟ କରି ଆସୁଥିଲେ। ଗତ ଜୁନ୍ ୧୫ ତାରିଖ ଅପରାହ୍ନ ୨ ଟାରେ ସେ ହଠାତ୍ ପୋଷ୍ଟ ଅଫିସରେ ତାଲା ପକାଇ କେଉଁଆଡ଼େ ଚାଲି ଯାଇଥିଲେ। ସେହିଦିନର କ୍ଲୋଜିଂ ବାଲାନ୍ସ ବାବଦ ପ୍ରାୟ ୬୪, ୧୫୪ ଟଙ୍କା ଏବଂ କାର୍ଯ୍ୟାଳୟର ସରକାରୀ ମୋବାଇଲ୍ ଟ୍ୟାବ୍ କୁ ସେ ପାବୁରିଆ ମୁଖ୍ୟ କାର୍ଯ୍ୟାଳୟରେ ଜମା ନକରି ନିଜ ସହିତ ନେଇ ପଳାଇଥିଲେ। ଏହାପରେ ସେ ଆଉ କାର୍ଯ୍ୟାଳୟକୁ ଆସିନଥିଲେ। ସନ୍ଦେହ ହେବାରୁ ଜି.ଉଦୟଗିରି ଡାକ ସବ୍ଡିଭିଜନର ଇନ୍ସପେକ୍ଟର ବିର କିଶୋର ନାୟକଙ୍କ ଦ୍ୱାରା ଉକ୍ତ ଡାକଘରର କାଗଜପତ୍ର ଓ ଆକାଉଣ୍ଟ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଜୁନ୍ ୧୬, ୧୭ ଏବଂ ୧୮ ତାରିଖ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅର୍ଥ ବିଭିନ୍ନ ବ୍ୟକ୍ତିଗତ ଆକାଉଣ୍ଟକୁ ବେଆଇନ ଭାବେ ଟ୍ରାନ୍ସଫର କରାଯାଇଥିବା ଜଣାପଡ଼ିଥିଲା। ଏଥି ସହିତ ସ୍ଥାନୀୟ ଗ୍ରାହକ ମାନଙ୍କ ପାସ୍ବୁକ୍ ଯାଞ୍ଚ କରିବା ପରେ ଏକ ସଂଗୀନ ଠକେଇର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତ ପୋଷ୍ଟ ମାଷ୍ଟର ଜଣକ ଦୀର୍ଘ ଦିନ ଧରି ଗ୍ରାହକଙ୍କ ସଞ୍ଚୟ ଖାତାରେ ଟଙ୍କା ଜମା ହୋଇଥିବା ନେଇ ପାସ୍ବୁକ୍ରେ ଏଣ୍ଟ୍ରି କରୁଥିଲେ ସତ, କିନ୍ତୁ ସେହି ଟଙ୍କାକୁ ଅଫିସିଆଲ୍ ଆକାଉଣ୍ଟରେ ଜମା ନକରି ନିଜେ ଆତ୍ମସାତ କରୁଥିଲେ। ଏହି ବ୍ୟାପକ ଆର୍ଥିକ ଅନିୟମିତତା ନେଇ ଡାକ ପରିଦର୍ଶକ ଶ୍ରୀ ନାୟକ ଟିକାବାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ କେସ୍ ନଂ. ୧୩୬/୨୬, ଧାରା ୩୧୬ (୪) ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

