ବୀରମହାରାଜପୁର ଅଞ୍ଚଳରେ ଆବଶ୍ୟକ ମୁତାବକ ଜୁନ୍ ମାସରେ ବର୍ଷା ନ ହୋଇଥିବାରୁ ଚାଷୀ ମାନଙ୍କ ମନରେ ମରୁଡି ଭୟ
ବୀରମହାରାଜପୁର : ସାଧାରଣତଃ ଜୁନ୍ ମାସର ପ୍ରଥମ ସପ୍ତାହରେ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ । ଏହା ସହିତ ଚାଷୀମାନେ ଜମି ହଳ କରି ଧାନ ବୁଣା ଓ ତଳି ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ହୋଇପଡ଼ନ୍ତି। ମାତ୍ର ଚଳିତ ବର୍ଷ ଜୁନ୍ ମାସ ସରିବାକୁ ବସିଥିବା ବେଳେ ନା ଲଘୁଚାପଜନିତ ବର୍ଷା ହୋଇଛି, ନା ମୌସୁମୀ ବର୍ଷାର ସେଭଳି ପ୍ରଭାବ ଦେଖିବାକୁ ମିଳିଛି। ଫଳରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଚାଷକାର୍ଯ୍ୟ ଗୁରୁତର ଭାବେ ବିଳମ୍ବିତ ହୋଇଥିବା ବେଳେ ଚାଷୀମାନଙ୍କ ମଧ୍ୟରେ ମରୁଡ଼ି ଆଶଙ୍କା ବଢ଼ିଛି।ବୀରମହାରାଜପୁର କୃଷିପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ଏଠାରେ ପ୍ରାୟତଃ ଧାନ ଚାଷ ଉପରେ ଚାଷୀମାନେ ନିର୍ଭରଶୀଳ। ତେବେ ଅଞ୍ଚଳରେ ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଚାଷୀମାନେ ମୁଖ୍ୟତଃ ଲଘୁଚାପ ଓ ମୌସୁମୀ ବର୍ଷାକୁ ଭରସା କରି ଚାଷ କରିଥାନ୍ତି। ହରିହର ଯୋର ଉପରେ ନିର୍ମିତ ଠେଙ୍ଗୋ ଡ୍ୟାମ ମଧ୍ୟମ ଜଳସେଚନ ପ୍ରକଳ୍ପ ଥିଲେ ମଧ୍ୟ ଏହାର ସୁବିଧା ଅତି କମ୍ ଅଞ୍ଚଳକୁ ମିଳୁଛି। ବର୍ଷାର ଅଭାବ ଯୋଗୁଁ ଅଧିକାଂଶ ଜମିରେ ଏପର୍ଯ୍ୟନ୍ତ ହଳ ହୋଇନଥିବା ବେଳେ ଧାନ ତଳି ପ୍ରସ୍ତୁତି ମଧ୍ୟ ପ୍ରଭାବିତ ହୋଇଛି। ଚାଷ ଋତୁର ଗୁରୁତ୍ୱପୂର୍ଣ୍ଣ ସମୟ ଅତିକ୍ରମ ହେଉଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞମାନଙ୍କ ମତାନୁସାରେ, ଚଳିତ ବର୍ଷ ଏଲ୍-ନିନୋ ପ୍ରଭାବ ଯୋଗୁଁ ସ୍ୱାଭାବିକ ତୁଳନାରେ କମ୍ ବର୍ଷା ହେବାର ସମ୍ଭାବନା ରହିଛି। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଅଞ୍ଚଳରେ ଜୁନ ମାସରେ ସାଧାରଣତଃ ୧୫୦–୨୦୦ ମିଲିମିଟର (ମି.ମି.) ବର୍ଷା ହେବା କଥା। ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାର ପ୍ରାରମ୍ଭିକ ପର୍ଯ୍ୟାୟ ହୋଇଥିବାରୁ ଖରିଫ ଚାଷ ପାଇଁ ଏହି ସମୟର ବର୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୃଷି ଦୃଷ୍ଟିରୁ ୫୦–୭୫ ମି.ମି. ବର୍ଷା ହେଲେ ଚାଷ ପାଇଁ ଜମି ପ୍ରସ୍ତୁତି ଆରମ୍ଭ ହୋଇପାରେ। ୧୫୦ ମି.ମି.ରୁ ଅଧିକ ବର୍ଷା ହେଲେ ଧାନ ବୁଣା ଓ ତଳି ପ୍ରସ୍ତୁତି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୁଏ । ଜୁନ ଶେଷ ସୁଦ୍ଧା ବର୍ଷାର ପରିମାଣ ବହୁତ କମ୍ ରହିଲେ ଖରିଫ ଚାଷ ବିଳମ୍ବିତ ହୋଇଥାଏ। ଅମରପାଲି ଗ୍ରାମର ଚାଷୀ ବିମ୍ବାଧର ସାହୁ ଙ୍କ କହିବା ଅନୁସାରେ ଚଳିତ ବର୍ଷ ବର୍ଷା ନ ହେବା ଯୋଗୁଁ ଚାଷ କାମ ଏଯାଏ ଆରମ୍ଭ ହୋଇପାରି ନାହିଁ। ସେହିପରି ପିତାମହୁଲ ଗ୍ରାମର ଯୁବ ଚାଷୀ ଦିବ୍ୟ ଲୋଚନ ଗଡୁଆ ଚଳିତ ବର୍ଷ ର ବର୍ଷା କୁ ଦେଖି ମରୁଡ଼ି ଆଶଙ୍କା କରିଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ବର୍ଷ ଜୁନ ମାସରେ ଆଜି ପର୍ଯ୍ୟନ୍ତ କେବଳ ତିନି ଦିନ ବର୍ଷା ହୋଇଥିବା ରେକର୍ଡ ହୋଇଛି। ବୀରମହାରାଜପୁର ବ୍ଲକ ରେ ଗତ ଜୁନ ୧୦ ତାରିଖରେ ୧୭ମି. ମି ବର୍ଷା ହୋଇଥିବା ବେଳେ ୧୭ ତାରିଖ ରେ ୪୭ ମି.ମି ଓ ୧୮ ତାରିଖରେ ୧୨ମି.ମି ଏହିପରି ସମୁଦାୟ ୭୬ ମି.ମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏପରି ସ୍ଥିତିରେ ଆଗାମୀ ଦିନରେ ମରୁଡ଼ି ପରିସ୍ଥିତି ଦେଖାଦେବା ନେଇ ଚାଷୀମାନଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି।ଏଭଳି ପରିସ୍ଥିତିରେ ଚଳିତ ଖରିଫ ଋତୁ ପାଇଁ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ବିକଳ୍ପ ଫସଲ, ବିଳମ୍ବିତ ଚାଷ ପଦ୍ଧତି ଏବଂ ଜଳ ସଂରକ୍ଷଣ ସମ୍ପର୍କିତ ବିଶେଷ ପରାମର୍ଶ ପ୍ରଦାନ କରିବାକୁ ଦାବି ହେଉଛି। ଏଥିସହ ଆବଶ୍ୟକ ପଡ଼ିଲେ ସରକାର ପକ୍ଷରୁ ମରୁଡ଼ି ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ନେବାକୁ ଚାଷୀମାନେ ଦାବି କରିଛନ୍ତି l

