Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ୨ ସରକାରୀ ଶିକ୍ଷକ: ୩୩ କେଜି ଗଞ୍ଜେଇ ସହ କାର୍ ଜବତ, ୩ ଅଟକ ।

ବଲାଙ୍ଗିର,୨୬।୬: ବଲାଙ୍ଗିର ଜିଲ୍ଲା ସଇଁତଳା ଅଞ୍ଚଳରେ ଏକ ବଡ଼ଧରଣର ଗଞ୍ଜେଇ ଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣ ସରକାରୀ ଶିକ୍ଷକଙ୍କ ସମେତ ୩ ଜଣଙ୍କୁ ଅବକାରୀ ବିଭାଗ ଅଟକ ରଖିଛି। ସେମାନଙ୍କ ନିକଟରୁ ପ୍ରାୟ ୩୩ କେଜି ଗଞ୍ଜେଇ ସହ ଚାଲାଣରେ ବ୍ୟବହୃତ ହେଉଥିବା ଏକ କାର୍‌କୁ ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାରୁ ଏକ କାର୍ ଯୋଗେ ବଲାଙ୍ଗିର ଅଭିମୁଖେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଟିଟିଲାଗଡ଼ ଓ ତୁଷୁରା ଅବକାରୀ ବିଭାଗର ଏକ ମିଳିତ ଟିମ୍ ୨୬ ନମ୍ବର ଜାତୀୟ ରାଜପଥର ବରଗାଁ ଛକ ନିକଟରେ ଜଗି ରହିଥିଲେ। ସନ୍ଦେହଜନକ କାର୍‌ଟି ସେଠାରେ ପହଞ୍ଚିବା ପରେ ଅବକାରୀ ଦଳ ତାହାକୁ ଅଟକାଇ ଯାଞ୍ଚ କରିଥିଲେ।
ଯାଞ୍ଚ ସମୟରେ କାର୍ ଭିତରୁ ୩୩ କେଜି ଗଞ୍ଜେଇ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଅବକାରୀ ଟିମ୍ ଗାଡ଼ିରେ ଥିବା ୩ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଅଟକ ୩ ଜଣଙ୍କ ମଧ୍ୟରୁ ୨ ଜଣ ସରକାରୀ ବିଦ୍ୟାଳୟର ଶିକ୍ଷକ ବୋଲି ଜଣାପଡ଼ିଛି। ସେମାନେ କଳାହାଣ୍ଡି ଜିଲ୍ଲା ଏମ୍‌.ରାମପୁର ଥାନା ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ସୂଚନା ମିଳିଛି। ସମାଜର ଗଠନକାରୀ କୁହାଯାଉଥିବା ଶିକ୍ଷକମାନେ ଏଭଳି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅବକାରୀ ବିଭାଗ ଗଞ୍ଜେଇ ଓ କାର୍ ଜବତ କରିବା ସହ ଏହି ସ୍ମଗଲିଂ ଲିଙ୍କ୍‌ରେ ଆଉ କାହାର ହାତ ରହିଛି, ସେ ନେଇ ଅଧିକ ତଦନ୍ତ ଚଳାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories