ବଲାଙ୍ଗୀର ଜିଲ୍ଲା ସଭାପତି ଦାୟିତ୍ୱରେ ରୂପେଶ ବେହେରା: ଓଡ଼ିଶା ଜନତା କଂଗ୍ରେସର ବଡ଼ ସାଂଗଠନିକ ପରିବର୍ତ୍ତନ ।
ବଲାଙ୍ଗୀର,୨୮।୬: ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଦଳର ସାଂଗଠନିକ ଜିଲ୍ଲା କମିଟିରେ ଏକ ବଡ଼ ଧରଣର ଅଦଲବଦଲ କରାଯାଇଛି। ରାଜ୍ୟ ସଭାପତିଙ୍କ ସ୍ୱୀକୃତି ଓ ଅନୁମୋଦନ କ୍ରମେ ଦଳର ୯ ଜଣ ପ୍ରମୁଖ ନେତାଙ୍କୁ ବିଭିନ୍ନ ସାଂଗଠନିକ ଜିଲ୍ଲାର ସଭାପତି ଭାବେ ନୂତନ ନିଯୁକ୍ତି ମିଳିଛି। ଏହି କ୍ରମରେ ବଲାଙ୍ଗୀର ସାଂଗଠନିକ ଜିଲ୍ଲାର ନୂତନ ସଭାପତି ଭାବେ ଯୁବନେତା ରୂପେଶ କୁମାର ବେହେରାଙ୍କୁ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି।
ଦଳ ପକ୍ଷରୁ ଜାରି ସରକାରୀ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ୯ଟି ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଜିଲ୍ଲା ଯଥା— ବଲାଙ୍ଗୀର, କୋରାପୁଟ, କଳାହାଣ୍ଡି, ଭୁବନେଶ୍ୱର, କଟକ ସହର, କଟକ, ଯାଜପୁର, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ପାଇଁ ଏହି ନୂତନ ଜିଲ୍ଲା ସଭାପତିମାନଙ୍କ ନାମ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ରୂପେଶ କୁମାର ବେହେରାଙ୍କୁ ପ୍ରଥମେ ଦଳର ବଲାଙ୍ଗୀର ଜିଲ୍ଲା ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଥିଲା। ମାତ୍ର କିଛି ମାସର ସ୍ୱଳ୍ପ ଅବଧି ମଧ୍ୟରେ ସେ ଦଳୀୟ ବ୍ୟାନରରେ ୧୫ରୁ ଅଧିକ ସଫଳ କାର୍ଯ୍ୟକ୍ରମ ଆୟୋଜନ କରି ନିଜର ସାଂଗଠନିକ ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି। ବିଶେଷ କରି ଜିଲ୍ଲାରେ ତାଙ୍କ ନେତୃତ୍ୱରେ ଚାଲିଥିବା ‘ମଦ ମୁକ୍ତ ଅଭିଯାନ’ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜନପ୍ରିୟତା ହାସଲ କରିବା ସହ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥିଲା। ତାଙ୍କର ଏହି ନିଷ୍ଠା ଓ କାର୍ଯ୍ୟଦକ୍ଷତାକୁ ଦେଖି ଦଳ ତାଙ୍କ ଉପରେ ଭରସା ପ୍ରକଟ କରି ସଭାପତି ଆସନ ସମ୍ପିଛି।
ନବନିଯୁକ୍ତ ସମସ୍ତ ଜିଲ୍ଲା ସଭାପତି ମାନଙ୍କୁ ଦଳକୁ ଅଧିକ ସଶକ୍ତ କରିବା ସହ ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ହାଇକମାଣ୍ଡଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନୂତନ ନିଯୁକ୍ତି ଫଳରେ ଆଗାମୀ ଦିନରେ ଓଡ଼ିଶା ଜନତା କଂଗ୍ରେସର ସାଂଗଠନିକ କାର୍ଯ୍ୟକଳାପ ବଲାଙ୍ଗୀର ସମେତ ସମଗ୍ର ରାଜ୍ୟରେ ଅଧିକ ଗତିଶୀଳ ଓ କ୍ରିୟାଶୀଳ ହେବ ବୋଲି ଦଳୀୟ ମହଲରେ ଦୃଢ଼ ଆଶା ପ୍ରକାଶ ପାଇଛି।

