ପାଟଣାଗଡ଼ ବନ ବିଭାଗର ବଡ଼ ସଫଳତା: ଜାମବାହାଲ ନିକଟରୁ ୩୦ କ୍ୱିଣ୍ଟାଲ୍ ଖଇର କାଠ ବୋଝେଇ ଗାଡ଼ି ଜବତ ।
ବଲାଙ୍ଗୀର,୨୯।୬: ବଲାଙ୍ଗୀର ବନଖଣ୍ଡ ଅଧୀନ ପାଟଣାଗଡ଼ ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ବନ ବିଭାଗ କର୍ମଚାରୀମାନେ ପ୍ରାୟ ୩୦ କ୍ୱିଣ୍ଟାଲ୍ ବେଆଇନ ଖଇର ଜାଳେଣି କାଠ ବୋଝେଇ ଏକ ଗାଡ଼ି ଜବତ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତରାତି ଭୋର ପ୍ରାୟ ୨ଟା ସମୟରେ ପାଟଣାଗଡ଼ ରେଞ୍ଜ୍ର କର୍ମଚାରୀମାନେ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ପାଟଣାଗଡ଼ ସେକ୍ସନ ଅନ୍ତର୍ଗତ ଜାମବାହାଲ ଗ୍ରାମ ନିକଟରେ ଏକ ସନ୍ଦିଗ୍ଧ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ତଲାସି ବେଳେ CG05AT0981ନମ୍ବର ବିଶିଷ୍ଟ ଉକ୍ତ ଗାଡ଼ି ଭିତରୁ ବିପୁଳ ପରିମାଣର ଖଇର ଜାଳେଣି କାଠ ମିଳିଥିଲା, ଯାହାର ଆନୁମାନିକ ଓଜନ ପ୍ରାୟ ୩୦ କ୍ୱିଣ୍ଟାଲ୍ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ବନ ବିଭାଗ ସେହି କାଠ ବୋଝେଇ ଗାଡ଼ି ସମେତ ସମସ୍ତ ସାମଗ୍ରୀକୁ ଜବତ କରି ପାଟଣାଗଡ଼ ସେକ୍ସନ ଅଫିସ ପରିସରକୁ ଆଣିଛି। ଏହି କାଠ ଚୋରା ଚାଲାଣ ପଛରେ କାହାର ହାତ ରହିଛି ଏବଂ ଏହା କେଉଁଆଡ଼େ ନିଆଯାଉଥିଲା, ସେ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

