ପାତାଳୀ ଶ୍ରୀକ୍ଷେତ୍ର ରେ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ
ଉଲୁଣ୍ଡା :
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି I ଆଜି ସକାଳ 5.00 ଘ. ଦ୍ୱାର ଫିଟା , ମଙ୍ଗଳ ଆଳତୀ, ଖେଚୁଡ଼ି ଭୋଗ , ବେଶ , ମଙ୍ଗଳାର୍ପଣ, ପରେ ଶ୍ରୀ ଜୀଉମାନଙ୍କର ଧାଡ଼ି ପହଣ୍ଡି ଏବଂ ହୋମ ଯଜ୍ଞ ଆଦି କରାଯାଇଥିଲା I ସକାଳୁ ଗରାବଡୁ ସେବକମାନେ ଆଣିଥିବା ସୁନା କୂଅ ର ପବିତ୍ର ଜଳ କୁ କର୍ପୂର, ଚନ୍ଦନ, କେଶର, ଅଗୁରୁ ଆଦି ସୁବାସିତ ଦ୍ରବ୍ଯ ଦ୍ବାରା ବିଶୁଦ୍ଧ କରାଯାଇ ମନ୍ତ୍ର ପୂତ କରି ବଳଭଦ୍ର ଙ୍କୁ 33 ଗରା, ଜଗନ୍ନାଥ ଙ୍କୁ 35 ଗରା, ସୁଭଦ୍ରା ଙ୍କୁ 22. ଗରା ଓ ସୁଦର୍ଶନଙ୍କୁ 18 ଗରା ସ୍ନାନ କରାଯାଇଥିଲା I ତାପରେ ଶ୍ରୀଜିଉଙ୍କ ହାତୀ ବେଶ ଅନୁଷ୍ଠିତ ହୋଇଥିଲା l ପଣ୍ଡିତ ବିଶେଶ୍ଵର ପାଢୀ, ପୂଜକ ଗୁଣାକର ପଣ୍ଡା, ସେବାୟତ ସଂଘ ସଭାପତି ଶ୍ରୀ ଗୋପାଳ ପଣ୍ଡାଙ୍କ ନେତୃତ୍ଵରେ ଶତାଧିକ ସେବାୟତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଅପରାହ୍ନ 4.00 ଘ. ପରେ ଠାକୁରଙ୍କ ଅଣସର ବିଜେ ହୋଇଥିଲା I ଆଜିଠାରୁ ଶ୍ରୀ ମୁଖ ଦର୍ଶନ ନିଷେଧ ହୋଇଛି I ଆସନ୍ତା କାଲି ଠାରୁ ପଟି ଦିଅଁ ଦର୍ଶନ ଦେବେ l ଆଜି ଓଡିଶାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁମାନେ ଆସି ଠାକୁରଙ୍କୁ ଦର୍ଶନ କରିଥିଲେ I

