Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର: ସାମ୍ବାଦିକ ଅଶୋକ ଭୋଇଙ୍କ ଅକାଳ ବିୟୋଗରେ କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା ।

ବଲାଙ୍ଗୀର,୩୦।୬: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ପୂର୍ବତନ ଉପସଭାପତି ତଥା ବିଶିଷ୍ଟ ଯୁବ ସାମ୍ବାଦିକ ଅଶୋକ ଭୋଇଙ୍କ ଅକାଳ ବିୟୋଗରେ ସ୍ଥାନୀୟ ସାମ୍ବାଦିକ ସଂଘ ପକ୍ଷରୁ ଏକ ଗଭୀର ଶୋକସଭା ଅନୁଷ୍ଠିତ ହୋଇଯାଇଛି।
ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୨୨ ତାରିଖ ଦିନ ରାୟପୁରର ଏକ ଘରୋଇ ଚିକିତ୍ସାଳୟରେ ମସ୍ତିଷ୍କ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ସ୍ୱର୍ଗତ ଭୋଇଙ୍କ ପରଲୋକ ଘଟିଥିଲା। ସେ ଜଣେ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ ଏବଂ ସର୍ବଜନପ୍ରିୟ ବ୍ୟକ୍ତିତ୍ୱ ଥିଲେ। ନିଜର ଦୀର୍ଘ ସାମ୍ବାଦିକ ଜୀବନ ମଧ୍ୟରେ ସେ ବିଭିନ୍ନ ପ୍ରତିଷ୍ଠିତ ପତ୍ରପତ୍ରିକାରେ କାର୍ଯ୍ୟ କରିବା ସହ ‘ଦୈନିକ ସମାଜ’ର ବଙ୍ଗୋମୁଣ୍ଡା ପ୍ରତିନିଧି ଏବଂ ‘ପ୍ରମେୟ ନ୍ୟୁଜ୍ ୭’ର କଣ୍ଟାବାଞ୍ଜି ପ୍ରତିନିଧି ଭାବେ ନିଷ୍ଠାର ସହ ଦାୟିତ୍ୱ ତୁଲାଇ ଆସୁଥିଲେ।
କଣ୍ଟାବାଞ୍ଜି ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ସ୍ୱର୍ଗତ ଭୋଇଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରିଥିଲେ। ଏଥିସହ ତାଙ୍କର ସାମ୍ବାଦିକତା କ୍ଷେତ୍ରରେ ଥିବା ଅବଦାନ ଏବଂ ଲୋକାଭିମୁଖୀ କାର୍ଯ୍ୟଧାରାକୁ ସ୍ମରଣ କରି ସ୍ମୃତିଚାରଣ କରାଯାଇଥିଲା। ଏହି ଦୁଃଖଦ ସମୟରେ ଭଗବାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ସଂଘ ପକ୍ଷରୁ ପ୍ରାର୍ଥନା କରାଯାଇଛି।
ଏହି ଗୁରୁତ୍ୱପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭାରେ ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ସୁବାସ ବେହେରା, ସଭାପତି ମୋହନ ସୋନି, କାର୍ଯ୍ୟକାରୀ ସଭାପତି ଜୀବନାନନ୍ଦ ମହାନ୍ତି, ସମ୍ପାଦକ ଗୁରୁ ଦୟାଲ ହଂସ, ବିଶିଷ୍ଟ ସାମ୍ବାଦିକ ଏସ କେ ସମିମ୍, କୃତିକର ବାଗ ଏବଂ କୁଶଲ ଠାକୁର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସ୍ୱର୍ଗତ ଭୋଇଙ୍କ ବିୟୋଗ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି ବୋଲି ସଂଘ ପ୍ରକାଶ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories