ଗଛରେ ପିଟିହେଲା ବାଇକ୍: ଦୁର୍ଘଟଣାରେ ଜଣେ ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର ।
ବଲାଙ୍ଗୀର,୨୯।୬: ତୁରେକେଲା-କଣ୍ଟାବାଞ୍ଜି ରାସ୍ତାର ମହୁଲବାହାଲି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟିହେବା ଫଳରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତ ନାବାଳକ ଜଣକ ହେଲେ କଣ୍ଟାବାଞ୍ଜି ଆନନ୍ଦ ନଗରର ସୁଶିଲ ଛତ୍ରିଆଙ୍କ ପୁଅ ଦେବରାଜ ଛତ୍ରିଆ (୧୭)। ଗୁରୁତର ଆହତ ଜଣକ ହେଲେ ସେହି ସେହି ଅଞ୍ଚଳର ସୋମନାଥ ଭୋଇଙ୍କ ପୁଅ ଆଦି ଭୋଇ (୧୭)।
ସୂଚନା ଅନୁଯାୟୀ, ଦେବରାଜ ଓ ଆଦି ଦୁହେଁ ଏକ ମୋଟରସାଇକେଲ୍ ଯୋଗେ ତୁରେକେଲାରୁ କଣ୍ଟାବାଞ୍ଜି ଅଭିମୁଖେ ଆସୁଥିଲେ। ମହୁଲବାହାଲି ଗାଁ ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ ସହ ସଜୋରେ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଉଭୟ ଛିଟିକି ପଡ଼ି ଘଟଣାସ୍ଥଳରେ ହିଁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୁରୁତର ହୋଇପଡ଼ିଥିଲେ।
ଡାକ୍ତରଖାନାରେ ଜଣେ ମୃତ ଘୋଷିତ, ଅନ୍ୟ ଜଣେ ସ୍ଥାନାନ୍ତର
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ତୁରେକେଲା ପୋଲିସ ଓ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ଦେବରାଜଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଆଦିଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ବଡ଼ ମେଡ଼ିକାଲ)କୁ ସ୍ଥାନାନ୍ତର କରାଯାଇଛି।
ଏହି ଦୁର୍ଘଟଣାକୁ ନେଇ ତୁରେକେଲା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ଦୁର୍ଘଟଣା ପଛର ପ୍ରକୃତ କାରଣ ଖୋଜିବାକୁ ପୋଲିସ ଅଧିକ ତଥ୍ୟ ସଂଗ୍ରହ କରୁଛି।

