ଝାରପଡ଼ା ଜେଲରେ ୮ ଅନ୍ତେବାସୀ HIV ପଜିଟିଭ୍ ଚିହ୍ନଟ, ବଢ଼ିଲା ଚିନ୍ତା
ଭୁବନେଶ୍ୱର ଝାରପଡ଼ା ସ୍ପେଶାଲ୍ ଜେଲରେ ଏଚ୍ଆଇଭି (HIV) ସଂକ୍ରମିତ ଅନ୍ତେବାସୀଙ୍କ ସଂଖ୍ୟା ବଢ଼ିବା ପରେ ଜେଲ୍ ପ୍ରଶାସନର ଚିନ୍ତା ବଢ଼ିଛି। ବର୍ତ୍ତମାନ ସୁଦ୍ଧା ୮ ଜଣ ଅନ୍ତେବାସୀ ଏଚ୍ଆଇଭି ପଜିଟିଭ୍ ଥିବା ଜଣାପଡ଼ିଛି। ଏହି ସୂଚନା ସାମ୍ନାକୁ ଆସିବା ପରେ ଜେଲ୍ ଭିତରେ ସତର୍କତା ବଢ଼ାଇ ଦିଆଯାଇଛି।
ନିକଟରେ କୋଚିଂ ସେଣ୍ଟରରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ଏଚ୍ଆଇଭି ସଂକ୍ରମିତ ଥିବା ଜଣାପଡ଼ିଥିଲା। ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପରେ ମହିଳା ଥାନା ପୁଲିସ ଝାରପଡ଼ା ଜେଲ୍ କର୍ତ୍ତୃପକ୍ଷଙ୍କୁ ଏନେଇ ଲିଖିତ ଭାବେ ସୂଚନା ଦେଇଥିଲା। ସେହିପରି, ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଓ ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା।
ବର୍ତ୍ତମାନ ଜେଲରେ ୮ ଜଣ ଅନ୍ତେବାସୀ ଏଚ୍ଆଇଭି ପଜିଟିଭ୍ ଥିବା ସ୍ପଷ୍ଟ ହେବା ପରେ ଜେଲ୍ ପରିସରରେ ଭୟ ଓ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି। ପରିସ୍ଥିତିର ସମୀକ୍ଷା ପାଇଁ ବରିଷ୍ଠ ଅଧିକାରୀମାନେ ବାରମ୍ବାର ବୈଠକ କରୁଥିବା ବେଳେ ସଂକ୍ରମଣ ନିୟନ୍ତ୍ରଣ ଓ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

