ତାଇୱାନର ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାଗନେବେ ଓମ ପ୍ରକାଶ ସାହୁ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଡଙ୍ଗରମୁଣ୍ଡା ଗ୍ରାମର ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ପୁଣିଥରେ ତାଇୱାନରେ ଆୟୋଜିତ ହେବାକୁ ଥିବା ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀରେ ଭାଗ ନେବା ପାଇଁ ନିମନ୍ତ୍ରଣ ପାଇଛନ୍ତି। ଆସନ୍ତା ଜୁଲାଇ ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ତାଇୱାନରେ ଅନୁଷ୍ଠିତ ହେବ।
ଓମ ପ୍ରକାଶ ସାହୁ ତାଙ୍କର ନିଆରା ବାଲୁକା କଳା ଶୈଳୀ ପାଇଁ ଆନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ଭାରତୀୟ ଦୂତାବାସର ଆନୁକୂଳ୍ୟରେ ଋଷିଆର ଏଲିସ୍ତାରେ ଆୟୋଜିତ ‘ଭାରତ ଉତ୍ସବ’ରେ ସେ ବାଲୁକାରେ ଜଣେ ବୃଦ୍ଧଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ବେଶ୍ ପ୍ରଶଂସା ସାଉଁଟିଥିଲେ। ଗତବର୍ଷ ତାଇୱାନରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ଓଡ଼ିଶାର ଜନଜାତି ସଂସ୍କୃତିକୁ ବାଲୁକା କଳା ମାଧ୍ୟମରେ ସୁନ୍ଦର ଭାବେ ଉପସ୍ଥାପନ କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଚଳିତ ବର୍ଷର ପ୍ରଦର୍ଶନୀରେ ଓମ ପ୍ରକାଶ ସାହୁ ପଶ୍ଚିମ ଓଡ଼ିଶାର ଲୋକପର୍ବ ‘ନୂଆଁଖାଇ’କୁ ଆଧାର କରି ବାଲୁକା କଳା ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି। ଏହି ଆନ୍ତର୍ଜାତୀୟ ପ୍ରଦର୍ଶନୀରେ ଭାରତ ସମେତ ତାଇୱାନ, ଚୀନ, ଇଟାଲୀ, କାନାଡା, ଜାପାନ, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ କୋରିଆର ଶିଳ୍ପୀମାନେ ଭାଗ ନେବେ। ଏହା କଳାହାଣ୍ଡି ଓ ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଦେଖାଦେଇଛି।

