Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାମ ନକରି ବିଧାୟକ ପାଣ୍ଠିର ୫ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ; BDO ଓ ଯନ୍ତ୍ରୀଙ୍କ ସମେତ ୪ ଜଣଙ୍କ ବିରୋଧରେ ଥାନାରେ ଏତଲା ।

ବଲାଙ୍ଗୀର,୩।୭: ବଲାଙ୍ଗୀର ସଦର ବ୍ଲକ୍‌ ଅଞ୍ଚଳରେ ସରକାରୀ ଅର୍ଥ ହରିଲୁଟ୍‌ର ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ସଦାଇପାଲି-ପାଟଣାଗଡ଼ ବାଇପାସ ରାସ୍ତାରୁ ନରସିଂହ ନଗର ପର୍ଯ୍ୟନ୍ତ ବିଧାୟକ ପାଣ୍ଠି ଅନୁଦାନରେ ହେବାକୁ ଥିବା ମାଟିକାମ ରାସ୍ତା ନିର୍ମାଣରେ ବ୍ୟାପକ ଚଞ୍ଚକତା କରାଯାଇଥିବା ନେଇ ସଦର ଥାନାରେ ଏକ ଏତଲା ଦାୟର ହୋଇଛି। କାମ ନକରି ପ୍ରାୟ ୫ ଲକ୍ଷ ଟଙ୍କା ଅସାଧୁ ଉପାୟରେ ଆତ୍ମସାତ କରାଯାଇଥିବା ନେଇ ସଦର ବ୍ଲକ BDO, ସହକାରୀ ଯନ୍ତ୍ରୀ (AE), କନିଷ୍ଠ ଯନ୍ତ୍ରୀ (JE) ଏବଂ ଉନ୍ନୟନ ଶାଖାର ବରିଷ୍ଠ କିରାଣିଙ୍କ ବିରୋଧରେ ସଙ୍ଗୀନ ମାମଲା ରୁଜୁ ପାଇଁ ଦାବି ହୋଇଛି
ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ ମସିହା ପୂର୍ବରୁ କେସ୍ ରେଫରେନ୍ସ ସଂଖ୍ୟା 929/2023-24 ଅଧୀନରେ ଫକିର ମୋହନ ଥାଟିଙ୍କ ନାମରେ ଉକ୍ତ ରାସ୍ତା କାମ ପାଇଁ ୫ ଲକ୍ଷ ଟଙ୍କାର ଏକ କାର୍ଯ୍ୟାଦେଶ (Work Order) ଜାରି କରାଯାଇଥିଲା। ଅଭିଯୋଗକାରୀ ଶ୍ରୀ ଥାଟିଙ୍କ କହିବା ଅନୁସାରେ, ଧାର୍ଯ୍ୟ ରାସ୍ତା କାମକୁ ସମ୍ପୂର୍ଣ୍ଣ କରାଯାଇ ନାହିଁ। ମାତ୍ର ସଦର ବ୍ଲକ BDO ହୃଷିକେଶ ଗଣ୍ଡ, ସହକାରୀ ଯନ୍ତ୍ରୀ ନେନସିରାଣୀ ପୂର୍ତ୍ତି, କନିଷ୍ଠ ଯନ୍ତ୍ରୀ ରଶ୍ମିତା ମହାନ୍ତି ଏବଂ ବରିଷ୍ଠ କିରାଣି କିଶୋର ଚନ୍ଦ୍ର ବରିହା ଆପୋଷ ଷଡ଼ଯନ୍ତ୍ର ରଚନା କରି ଏହି ସରକାରୀ ଅର୍ଥକୁ ବାଟମାରଣା କରିଛନ୍ତି । ଉକ୍ତ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ସନ୍ଦେହ ହେବାରୁ ଅଭିଯୋଗକାରୀ ଶ୍ରୀ ଥାଟି ସୂଚନା ଅଧିକାର ଆଇନ (RTI)ର ସହଯୋଗ ନେଇଥିଲେ। ସେ କାର୍ଯ୍ୟର ମାପ ଓ ଚେକ୍ ମେଜରମେଣ୍ଟ ବୁକ୍‌, ବିଲ୍‌, ଭାଉଚର ଏବଂ ୟୁଟିଲାଇଜେସନ ସାର୍ଟିଫିକେଟ୍ (UC) ସହ ଅନ୍ୟାନ୍ୟ ସରକାରୀ ନଥିପତ୍ର ମାଗିଥିଲେ। ଆଶ୍ଚର୍ଯ୍ୟର ବିଷୟ ଯେ, ସମ୍ପୃକ୍ତ କର୍ତ୍ତୃପକ୍ଷ ଉତ୍ତରରେ “ଏହି ସଂକ୍ରାନ୍ତୀୟ କୌଣସି ରେକର୍ଡ କାର୍ଯ୍ୟାଳୟରେ ନାହିଁ” ବୋଲି ଲିଖିତ ଭାବେ ଜଣାଇଥିଲେ। ସରକାରୀ ଉନ୍ନୟନମୂଳକ କାର୍ଯ୍ୟର ସରକାରୀ ରେକର୍ଡ ଗାୟବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏତଲାରେ ଶ୍ରୀ ଥାଟି ଦର୍ଶାଇଛନ୍ତି ଯେ:”ସରକାରୀ ଅଧିକାରୀମାନେ ନିଜ ପଦବୀର ଅପବ୍ୟବହାର କରି ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ଆତ୍ମସାତ କରିଛନ୍ତି। କାର୍ଯ୍ୟାଳୟରେ ରେକର୍ଡ ନାହିଁ ବୋଲି କହିବା ସ୍ପଷ୍ଟ କରୁଛି ଯେ ସେମାନେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ଦସ୍ତାବିଜଗୁଡ଼ିକୁ ଲୁଚାଇଛନ୍ତି କିମ୍ବା ନଷ୍ଟ କରିଦେଇଛନ୍ତି।”
ସରକାରୀ କର୍ମଚାରୀଙ୍କ ଏଭଳି କାର୍ଯ୍ୟକଳାପ ଭାରତୀୟ ନ୍ୟାୟ ସଂହିତା (BNS) ୨୦୨୩ ଅନୁଯାୟୀ ଏକ ଦଣ୍ଡନୀୟ ଓ ସଂଜ୍ଞେୟ ଅପରାଧ ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଘଟଣାର ଏକ ନିରପେକ୍ଷ ତଦନ୍ତ କରିବା ସହ, କାର୍ଯ୍ୟସ୍ଥଳର ଭୌତିକ ପରିଦର୍ଶନ, କାର୍ଯ୍ୟାଳୟର ସମସ୍ତ ସନ୍ଦେହଜନକ ରେକର୍ଡ ଜବତ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ପଚରାଉଚରା କରିବା ପାଇଁ ପୋଲିସ ନିକଟରେ ଦାବି ହୋଇଛି। ଏଥିସହିତ ହରିଲୁଟ୍ ହୋଇଥିବା ସରକାରୀ ଅର୍ଥକୁ ତୁରନ୍ତ ଆଦାୟ କରିବା ସହ ମାମଲାର ଆର୍ଥିକ କାରବାର (Financial Transactions) ଏବଂ କାର୍ଯ୍ୟାଦେଶର ଯାଞ୍ଚ କରିବାକୁ ପୋଲିସ ପ୍ରଶାସନକୁ ଅନୁରୋଧ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories