ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ, ଶେଷରେ ପ୍ରତାରଣା: ଖପ୍ରାଖୋଲ ପୋଲିସ ହାତରେ ପ୍ରତାରକ ପ୍ରେମିକ ।
ବଲାଙ୍ଗୀର,୩।୭: ପ୍ରେମ, ପ୍ରତାରଣା ଓ ପରେ ଗିରଫଦାରୀ। ବିବାହର ପ୍ରତିଶ୍ରୁତି ଦେଇ ଜଣେ ସରଳ ଆଦିବାସୀ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିବା ଏବଂ ଶେଷରେ ପ୍ରତାରଣା କରିବା ଅଭିଯୋଗରେ ଖପ୍ରାଖୋଲ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ଜଣକ ସମ୍ପୃକ୍ତ ଆଦିବାସୀ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ଦିନ ଧରି ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ମାତ୍ର ଯେତେବେଳେ ଯୁବତୀ ଜଣକ ବିବାହ କରିବା ପାଇଁ ଜିଦ୍ ଧରିଥିଲେ, ସେତେବେଳେ ଅଭିଯୁକ୍ତ ପ୍ରେମିକ ସଫା ସଫା ମନା କରିଦେବା ସହ କୌଶଳକ୍ରମେ ଅଞ୍ଚଳରୁ ଫେରାର ହୋଇଯାଇଥିଲେ ।ଏହାପରେ ପୀଡ଼ିତ ଯୁବତୀ ଜଣକ କୌଣସି ଉପାୟ ନପାଇ ନ୍ୟାୟ ଆଶାରେ ଖପ୍ରାଖୋଲ ଥାନାର ଦ୍ଵାରସ୍ଥ ହୋଇଥିଲେ। ଯୁବତୀଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଫେରାର ଥିବା ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

