Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝିଅ ବିବାହ ନଦେବାରୁ ପ୍ରତିଶୋଧର ନିଆଁ: ବିଶ୍ୱାସ କରି ଘରେ ଶୋଇବାକୁ ଦେଇଥିଲେ, ରାତି ଅଧରେ ଠେଙ୍ଗାରେ ପିଟି ପିଟି ସଡ଼ୁକୁ ହତ୍ୟା କଲା ଯୁବକ ।

ବଲାଙ୍ଗୀର, ୪। ୭: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ମଲିକମୁଣ୍ଡା ଗାଁରେ ଏକ ଅଭାବନୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ ହେବାରୁ ପ୍ରତିଶୋଧ ପରାୟଣ ହୋଇ ଜଣେ ଯୁବକ, ତାଙ୍କୁ ଆଶ୍ରୟ ଦେଇଥିବା ସମ୍ପର୍କୀୟଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ମଲିକମୁଣ୍ଡା ଗାଁର ବିନୋଦ ସାହୁ। ଏହି ଆକ୍ରମଣରେ ବିନୋଦଙ୍କ ସ୍ତ୍ରୀ, ପୁଅ ଓ ଝିଅ ମଧ୍ୟ ଗୁରୁତର ଆହତ ହୋଇ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ, ଗତ ବର୍ଷ ରାମୁଡ଼ ଗାଁର ସୁରେନ୍ଦ୍ର ନାମକ ଜଣେ ଯୁବକ ଯାମବାହାଲ ଗାଁର ମନୋବୋଧ ସାହୁଙ୍କ ଝିଅକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର କୌଣସି କାରଣବଶତଃ ଝିଅ ଘର ପକ୍ଷରୁ ଏହି ବିବାହ ପ୍ରସ୍ତାବକୁ ସିଧାସଳଖ ମନା କରିଦିଆଯାଇଥିଲା। ବିବାହ ଭାଙ୍ଗିଯିବା ପଛରେ ମନୋବୋଧଙ୍କ ସଡ଼ୁ ବିନୋଦ ସାହୁଙ୍କ ହାତ ଥିବା ସନ୍ଦେହ କରି ସୁରେନ୍ଦ୍ର ମନେ ମନେ ଆକ୍ରୋଶ ରଖିଥିଲା। ଗତକାଲି ହଠାତ୍ ସୁରେନ୍ଦ୍ର ନିଜ ମା’ଙ୍କ ସହିତ ମଲିକମୁଣ୍ଡା ଗାଁରେ ରହୁଥିବା ମନୋବୋଧଙ୍କ ସଡ଼ୁ ବିନୋଦଙ୍କ ଘରକୁ ଆସିଥିଲା। ସମ୍ପର୍କୀୟ ହିସାବରେ ବିନୋଦଙ୍କ ପରିବାର ଲୋକେ ସେମାନଙ୍କୁ ଆଦରର ସହ ରାତ୍ରି ଭୋଜନ ଦେଇ ଘରେ ଶୋଇବାକୁ ଆଶ୍ରୟ ଦେଇଥିଲେ। କିନ୍ତୁ ସୁରେନ୍ଦ୍ର ମନରେ ପୂର୍ବରୁ ହିଁ ହତ୍ୟାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ଥିଲା। ସମସ୍ତେ ଗଭୀର ନିଦ୍ରାରେ ଶୋଇଥିବା ବେଳେ ରାତି ପ୍ରାୟ ଅଧରେ ସୁରେନ୍ଦ୍ର ଏକ ଠେଙ୍ଗା ଧରି ଶୋଇଥିବା ଅବସ୍ଥାରେ ବିନୋଦଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ମୁଣ୍ଡ ଏବଂ ଶରୀରରେ ପ୍ରହାର ଯୋଗୁଁ ଘଟଣାସ୍ଥଳରେ ହିଁ ବିନୋଦଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ ତାଙ୍କୁ ବଞ୍ଚାଇବାକୁ ଆସି ବିନୋଦଙ୍କ ସ୍ତ୍ରୀ, ପୁଅ ଓ ଝିଅ ମଧ୍ୟ ସୁରେନ୍ଦ୍ରଙ୍କ ନିର୍ମମ ମାଡ଼ର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚିବା ବେଳକୁ ସବୁ ଶେଷ ହୋଇଯାଇଥିଲା। ଗ୍ରାମବାସୀଙ୍କ ସହାୟତାରେ ଆହତ ପରିବାରକୁ ତୁରନ୍ତ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପାଟଣାଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି। ଏହି ବର୍ବରୋଚିତ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories