Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର: ସହରର ବିଭିନ୍ନ ୱାର୍ଡ ଜଳମଗ୍ନ, ସ୍ଥିତି ସମୀକ୍ଷା କଲେ ପୌରାଧ୍ୟକ୍ଷା ।

ବଲାଙ୍ଗୀର,୫।୭: ଗତରାତିରୁ ସହରରେ ଜାରି ରହିଥିବା ଅବିଶ୍ରାନ୍ତ ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀର ପୌରାଞ୍ଚଳର ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ପ୍ରଭାବରେ ସହରର ବିଭିନ୍ନ ୱାର୍ଡରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରମୁଖ ରାସ୍ତାଘାଟ ଗୁଡ଼ିକ ଜଳମଗ୍ନ ହୋଇ ରହିଛି। ଅନେକ ତଳିଆ ଅଞ୍ଚଳରେ ଲୋକଙ୍କ ଘର ଭିତରକୁ ବର୍ଷା ପାଣି ପଶିଯାଇଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ସାଧାରଣ ଜନତା ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି।
ସହରର ଏଭଳି ସଙ୍କଟଜନକ ସ୍ଥିତି ବିଷୟରେ ସୂଚନା ପାଇବା ମାତ୍ରେ ବଲାଙ୍ଗୀର ପୌର ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ଏବଂ ପୌରପାଳିକାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ସହରର ବିଭିନ୍ନ ପ୍ରଭାବିତ ୱାର୍ଡ ଏବଂ ଜଳମଗ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ସେମାନେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସ୍ଥିତିର ସମୀକ୍ଷା କରିବା ସହ ତୁରନ୍ତ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଭାବିତ ଅଞ୍ଚଳରୁ ପାଣି ଛଡ଼ାଇବା ଏବଂ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପୌରପାଳିକା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଡ୍ରେନେଜ୍‌ ସଫା କରିବା ସହ ହାଇ-ପାୱାର ମୋଟର ପମ୍ପ ସାହାଯ୍ୟରେ ବିଭିନ୍ନ ସାହି ଓ ରାସ୍ତାରୁ ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି। ଏହା ସହ ବର୍ଷା ବିପନ୍ନଙ୍କ ସମସ୍ୟାର ତୁରନ୍ତ ସମାଧାନ ଏବଂ ଆବଶ୍ୟକ ସ୍ଥଳେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମଗ୍ର ପୌର ଟିମ୍‌ ସମ୍ପୂର୍ଣ୍ଣ ସଜାଗ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories