ସଇଁତଳାରେ ଅଘଟଣ: ଲାନ୍ଥ ନଦୀରେ ହଠାତ୍ ମାଡ଼ିଆସିଲା ବନ୍ୟା ଜଳ; ୫୦ରୁ ଅଧିକ ଗୋରୁ-ଛେଳିଙ୍କ ସହ ଫସି ରହିଥିବା ୮ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ।
ବଲାଙ୍ଗିର,୫। ୭: ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଟୁର୍ଚା ଦେଇ ଯାଇଥିବା ଲାନ୍ଥ ନଦୀରେ ଆଜି ଏକ ବଡ଼ ବିପତ୍ତି ସୃଷ୍ଟି ହୋଇଥିଲା। ନଦୀ ପଠାରେ ଗୋରୁ ଓ ଛେଳି ଚରାଉଥିବା ସମୟରେ ହଠାତ୍ ନଦୀରେ ବନ୍ୟା ଜଳ ମାଡ଼ି ଆସିବାରୁ ୮ ଜଣ ଗୋପାଳକଙ୍କ ସମେତ ୫୦ରୁ ଅଧିକ ଗୋରୁ-ଛେଳି ନଦୀ ଗଣ୍ଡରେ ଫସି ରହିଥିଲେ। ତେବେ ସଇଁତଳା ଅଗ୍ନିଶମ ବାହିନୀର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଆଜି ସ୍ଥାନୀୟ ଟୁର୍ଚା ଅଞ୍ଚଳର କିଛି ଗୋପାଳକ ଲାନ୍ଥ ନଦୀ ପଠାକୁ ଗୋରୁ ଓ ଛେଳି ଚରାଇବାକୁ ନେଇଥିଲେ। ମାତ୍ର କୌଣସି କାରଣରୁ ନଦୀରେ ହଠାତ୍ ଜଳସ୍ତର ବୃଦ୍ଧି ପାଇବା ସହ ପ୍ରଖର ସ୍ରୋତ ମାଡ଼ି ଆସିଥିଲା। ପାଣିର ବେଗ ଏତେ ଅଧିକ ଥିଲା ଯେ, ଗୋପାଳକମାନେ ଗୋରୁ-ଛେଳିଙ୍କୁ ଧରି ସୁରକ୍ଷିତ ସ୍ଥାନକୁ ଫେରିବା ପୂର୍ବରୁ ଚାରିପଟୁ ପାଣି ଘେରି ଯାଇଥିଲା। ଫଳରେ ୮ ଜଣ ଲୋକ ଓ ୫୦ରୁ ଅଧିକ ଗୋରୁ-ଛେଳି ନଦୀ ମଝିରେ ଦୀର୍ଘ ସମୟ ଧରି ଫସି ରହି ସାଂଘାତିକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ।
ଏହି ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ହେବା ପରେ, ସଙ୍ଗେ ସଙ୍ଗେ ସଇଁତଳା ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର ଏକ ସ୍ପେଶାଲ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ନଦୀ ଭିତରକୁ ଯାଇ ଫସି ରହିଥିବା ସମସ୍ତ ୮ ଜଣ ଲୋକଙ୍କ ସହ ୫୦ରୁ ଅଧିକ ଗୋରୁ ଓ ଛେଳିଙ୍କୁ ସୁରକ୍ଷିତ ଭାବେ ନଦୀ ପାର୍ କରି ବାହାରକୁ ଆଣିଥିଲେ।
ଅଗ୍ନିଶମ ବାହିନୀର ଏଭଳି ସମୟୋଚିତ ଓ ସାହସିକ ପଦକ୍ଷେପକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଏବଂ ଗୋପାଳକଙ୍କ ପରିବାରବର୍ଗ ଗଭୀର କୃତଜ୍ଞତା ଜଣାଇଛନ୍ତି।

