‘ମରିବୁ ପଛେ ଗାଁ ଛାଡ଼ିବୁନାହିଁ’: ଜିଦ୍ରେ ଅଟଳ କୁମିଆଁପାଲିର ୮୪ ଆଦିବାସୀ ପରିବାର, ବଢ଼ିଲା ଲୋୟର ସୁକତେଲର ଟେନସନ ।
ବଲାଙ୍ଗିର,୭।୭: ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ‘ଲୋୟର ସୁକତେଲ ପ୍ରକଳ୍ପ’କୁ ନେଇ ପୁଣି ଥରେ ଟେନସନ ବଢ଼ିବାରେ ଲାଗିଛି। ଏଥର ପ୍ରଶାସନ ପାଇଁ ଚିନ୍ତା ବଢ଼ାଇଛନ୍ତି ପ୍ରକଳ୍ପ ଅଧୀନରେ ଥିବା କୁମିଆଁପାଲି ଗ୍ରାମର ବାସିନ୍ଦା। ଗ୍ରାମବାସୀଙ୍କ ସ୍ପଷ୍ଟ ଚେତାବନୀ— “ମରିବୁ ପଛେ, ଗାଁ ଛାଡ଼ିବୁ ନାହିଁ।” ସରକାରୀ ନିଷ୍ପତ୍ତି ମୁତାବକ, ଚଳିତ ବର୍ଷ ଡ୍ୟାମରେ ସମ୍ପୂର୍ଣ୍ଣ ଜଳ ସଂରକ୍ଷଣ କରାଯିବ। ଆସନ୍ତା ସେପ୍ଟେମ୍ବର ମାସରେ ଚାଷ ଜମିକୁ ଜଳସେଚନ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବନ୍ୟାଞ୍ଚଳ ଖାଲି କରିବା ପ୍ରଶାସନ ପାଇଁ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ସରକାର ଓ ପ୍ରଶାସନ ଜଳସେଚନ ପାଇଁ ଡେଡ୍ଲାଇନ ପ୍ରସ୍ତୁତ କରୁଥିବା ବେଳେ, କୁମିଆଁପାଲି ଗ୍ରାମର ୮୪ଟି ଆଦିବାସୀ ପରିବାର ନିଜ ଭିଟାମାଟି ଛାଡ଼ିବାକୁ ସଫା ସଫା ମନା କରିଦେଇଛନ୍ତି। ବିସ୍ଥାପିତଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କର ନ୍ୟାର୍ଯ୍ୟ ଦାବି ଏବଂ କ୍ଷତିପୂରଣ ଏ ପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜୀବନ ଚାଲିଗଲେ ବି ଗାଁରୁ ପାଦେ ହେଲେ ନଘୁଞ୍ଚିବାକୁ ସେମାନେ ଜିଦ୍ ଧରିଛନ୍ତି। ପାଣି ଜମିବା ସମୟ ପାଖେଇ ଆସୁଥିବାରୁ ଏହି ୮୪ ପରିବାରଙ୍କ ସୁରକ୍ଷା ଓ ବିସ୍ଥାପନ ପ୍ରଶାସନ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋଟିଏ ପଟେ ଚାଷୀଙ୍କୁ ପାଣି ଦେବାର ପ୍ରତିଶ୍ରୁତି ଏବଂ ଅନ୍ୟପଟେ ଭିଟାମାଟିରୁ ନଉଠିବାକୁ ଆଦିବାସୀଙ୍କ ସଂଗ୍ରାମ ଏହି ଦୁଇ ସ୍ଥିତି ମଧ୍ୟରେ ଲୋୟର ସୁକତେଲ ପ୍ରକଳ୍ପର ଭବିଷ୍ୟତ କେଉଁ ମୋଡ଼ ନେଉଛି, ତାହା ଏବେ ଦେଖିବାକୁ ବାକି ରହିଲା।

