ବଲାଙ୍ଗିରରେ ବଡ଼ ଅଘଟଣ: ଅଙ୍ଗନବାଡ଼ି କେନ୍ଦ୍ରରୁ ଛାତ ଅତଡ଼ା ଖସି ୩ ଶିଶୁ ଗୁରୁତର, ପ୍ରଶାସନିକ ଅବହେଳାକୁ ନେଇ ଜନଅସନ୍ତୋଷ ।
ବଲାଙ୍ଗୀର,୭।୭: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିକଟସ୍ଥ କୁର୍ଲି ଅଙ୍ଗନବାଡ଼ି କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରର କୋମଳମତି ଶିଶୁମାନେ ପାଠ ପଢ଼ୁଥିବା ସମୟରେ ହଠାତ୍ ସିମେଣ୍ଟ ଛାତରୁ ବଡ଼ ଅତଡ଼ା ଖସିପଡ଼ିବାରୁ ୩ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇ ଜଣ ଛାତ୍ରୀ ଏବଂ ଜଣେ ଛାତ୍ର ଥିବା ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ସରକାରୀ ନିର୍ମାଣର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ, ଆଜି କେନ୍ଦ୍ରରେ ଦୈନନ୍ଦିନ କାର୍ଯ୍ୟକ୍ରମ ଅନୁଯାୟୀ ଶିଶୁମାନେ ପାଠ ପଢ଼ୁଥିଲେ। ଏହି ସମୟରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଛାତରୁ ଏକ ବଡ଼ ସିମେଣ୍ଟ ଅତଡ଼ା ସେମାନଙ୍କ ଉପରେ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଚିତ୍କାର ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଅଙ୍ଗନବାଡ଼ି କର୍ମୀ ଓ ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ତତ୍ପରତା ଦେଖାଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିଶୁମାନଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ସେଠାରେ ସେମାନଙ୍କର ଜରୁରୀକାଳୀନ ଚିକିତ୍ସା ଜାରି ରହିଛି।
ଏହି ଅଘଟଣ ପରେ କୁର୍ଲି ଗ୍ରାମବାସୀ ଏବଂ ଅଭିଭାବକଙ୍କ ମଧ୍ୟରେ ପ୍ରବଳ ଜନଅସନ୍ତୋଷ ଦେଖାଦେଇଛି। ସରକାରୀ ଅନୁଦାନରେ ସୃଷ୍ଟି ହୋଇଥିବା ଏହି କୋଠାର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଏବଂ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ସିଧାସଳଖ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟମଧୁ ଚନ୍ଦ୍ରିକା ଯୋଗୁଁ କୋମଳମତି ଶିଶୁଙ୍କ ଜୀବନକୁ ବାଜି ଲଗାଯାଇଥିବା ନେଇ ସ୍ଥାନୀୟ ଲୋକେ ଆକ୍ରୋଶ ପ୍ରକାଶ କରିଛନ୍ତି।
“କୋଠାର ସ୍ଥାୟିତ୍ୱ ଓ ନିର୍ମାଣକୁ ନେଇ ପୂର୍ବରୁ ଆଶଙ୍କା ଥିଲା, ଯାହା ଆଜି ସତ ପ୍ରମାଣିତ ହୋଇଛି। ପ୍ରଶାସନ ତୁରନ୍ତ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରୁ ଏବଂ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଏଥିସହ ଜିଲ୍ଲାର ସମସ୍ତ ବିପଦସଙ୍କୁଳ ଅଙ୍ଗନବାଡ଼ି କେନ୍ଦ୍ରର ସୁରକ୍ଷା ଯାଞ୍ଚ କରାଯାଉ।”
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ କିମ୍ବା ମହିଳା ଓ ଶିଶୁ ବିକାଶ ବିଭାଗର କୌଣସି ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ସାଧାରଣରେ ଦାବି ହେଉଛି କି, କେବଳ ତଦନ୍ତ ପ୍ରତିଶ୍ରୁତି ନୁହେଁ, ବରଂ ଶିଶୁମାନଙ୍କ ସୁରକ୍ଷା ପାଇଁ ଏକ ଦୃଢ଼ ଓ ସ୍ଥାୟୀ ପଦକ୍ଷେପ ନିଆଯାଉ।

