୬୮ କୋଟିର ମହାଘୋଟାଲା? ପ୍ରଥମ ବର୍ଷାରେ ଖୋଲିଲା ବଲାଙ୍ଗୀର ରାହୁଲ ବ୍ୟାରେଜ୍ର ଅସଲ ରୂପ, ଗାର୍ଡୱାଲ୍ରେ ବଡ଼ ଫାଟ, ଧୋଇଗଲା ପଥର ପ୍ୟାକିଂ ।
ବଲାଙ୍ଗୀର, ୧୪।୭: ମାତ୍ର କିଛି ମିଲିମିଟରର ବର୍ଷା, ଆଉ ପ୍ରଥମ ବର୍ଷା ପାଣିର ପ୍ରବାହରେ ଭୁଶୁଡ଼ି ପଡ଼ିଲା ଜନସାଧାରଣଙ୍କ ରକ୍ତଝାଳ ନିଗାଡ଼ା ଟିକସ ଟଙ୍କାରେ ନିର୍ମିତ ରାହୁଲ ବ୍ୟାରେଜ ପ୍ରକଳ୍ପ। ଠିକାଦାର-ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଏବଂ ନିମ୍ନମାନର ପିସି କାରବାରର ଏକ ବଡ଼ ନମୁନା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। କନ୍ଧମାଳ ଜିଲ୍ଲାରୁ ବହିଆସି ବଲାଙ୍ଗୀର ଗୁଡ଼ଭେଲା ବ୍ଲକରେ ପ୍ରବାହିତ ଚିରସ୍ରୋତା ରାହୁଲ ନଦୀ ଶଯ୍ୟାରେ ନିର୍ମିତ ଏହି ବହୁ ପ୍ରତୀକ୍ଷିତ ବ୍ୟାରେଜର ନିର୍ମାଣ ଶେଷ ହେବା ପୂର୍ବରୁ ହିଁ ଏହାର ସ୍ଥାୟିତ୍ୱ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଥମ ବନ୍ୟା ମାଡ଼ରେ ବ୍ୟାରେଜର ଗାର୍ଡୱାଲ ଫାଟି ଆଁ କରିଥିବା ବେଳେ ଦୁଇ ପାର୍ଶ୍ୱରେ ଥିବା ପଥର ପ୍ୟାକିଂ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି, ଯାହା ବିଭାଗୀୟ ଦୁର୍ନୀତିର କାହାଣୀକୁ ନିଜେ ବଖାଣୁଛି।
ଜଳସମ୍ପଦ ବିଭାଗର ସରକାରୀ ତଥ୍ୟ ଅନୁଯାୟୀ, ଗୁଡ଼ଭେଲା ବ୍ଲକର ଆଠଖଣ୍ଡ ଗାଁର ହଜାର ହଜାର ଚାଷୀଙ୍କୁ ପାଣି ଯୋଗାଇବା ଏବଂ ଜଳସ୍ତର ବୃଦ୍ଧି ପାଇଁ ୨୦୨୧ ମସିହାରେ ଏହି ମେଗା ବ୍ୟାରେଜର କାମ ଆରମ୍ଭ ହୋଇଥିଲା। ଏହି ଯୋଜନା ପାଇଁ ସରକାରୀ ପାଣ୍ଠିରୁ ୬୮ କୋଟି ଟଙ୍କାର ମୋଟା ଅଙ୍କର ବଜେଟ ମଞ୍ଜୁର ହୋଇଥିଲା। ସରକାରୀ ଚୁକ୍ତିନାମା ଓ କାର୍ଯ୍ୟାଳୟ ବୋର୍ଡ ମୁତାବକ, ଏହି ପ୍ରକଳ୍ପ ୨୦୨୪ ଜୁଲାଇ ୧୦ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଶେଷ ହେବା କଥା।
କିନ୍ତୁ ଆଶ୍ଚର୍ଯ୍ୟର କଥା, ବନ୍ଧା ହୋଇଥିବା ସମୟସୀମା ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନା ସମସ୍ତ ସ୍ଲୁଇସ ଗେଟ ଲାଗିପାରିଛି, ନା ଜଳଧାରଣ କ୍ଷମତାର ଟେଷ୍ଟିଂ ହୋଇପାରିଛି। ନିର୍ମାଣ ଶେଷ ନହେଉଣୁ ୬୮ କୋଟି ଟଙ୍କାର ଅଧିକାଂଶ ପାଣ୍ଠି ହରିଲୁଟ ସରିଥିବା ବେଳେ ବର୍ଷା ପ୍ରବାହରେ କାମର ଦୁର୍ବଳ ଭିତ୍ତିଭୂମି ଉଲଗ୍ନ ହୋଇ ସାମ୍ନାକୁ ଆସିଛି।
ଏହି ବ୍ୟାରେଜ୍ ସମ୍ପୂର୍ଣ୍ଣ ହେଲେ ଗୁଡ଼ଭେଲା, ଘୁନା, ବୀରମୁଣ୍ଡା, ମେଡେକାଲ୍, ଦେଉଳଗୁଡ଼ି ଏବଂ ତେନ୍ତୁଳିଖୁଣ୍ଟି ଭଳି ଏକାଧିକ ପଞ୍ଚାୟତର ହଜାର ହଜାର ଚାଷୀ ଜଳସେଚନ ପାଇଁ ଲାଭବାନ ହେବାର ଆଶା ରଖିଥିଲେ। କିନ୍ତୁ ପ୍ରଥମ ବର୍ଷାରେ ଯଦି କଂକ୍ରିଟ ଗାର୍ଡୱାଲ ଖଣ୍ଡ ଖଣ୍ଡ ହୋଇ ଫାଟିଯାଉଛି ଓ ମାଟି ଦବିଯାଉଛି, ତେବେ ଆଗକୁ ବଡ଼ ବନ୍ୟା କିମ୍ବା ଲଘୁଚାପ ବର୍ଷା ଆସିଲେ ପରିସ୍ଥିତି କ’ଣ ହେବ, ତାହା ସହଜେ ଅନୁମେୟ।
ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଏବଂ ଚାଷୀମାନଙ୍କ ମନରେ ଏବେ ଏକ ଆତଙ୍କ ଖେଳିଯାଇଛି। ସେମାନଙ୍କ ଅଭିଯୋଗ ହେଉଛି “ଠିକାଦାର ସରକାରୀ ଟଙ୍କା ଲୁଟି ଚାଲିଗଲା, ହେଲେ ଏହି ଦୁର୍ବଳ ବ୍ୟାରେଜ ଯଦି ଭୁଶୁଡ଼ି ଯାଏ ତେବେ ପାଣି ଆମ ଜମିରେ ସିଞ୍ଚନ ହେବା ବଦଳରେ ଆମ ଜୀବନ, ଚାଷଜମି ଏବଂ ସମ୍ପୂର୍ଣ୍ଣ ଗାଁକୁ ଧୋଇ ନେବ।”
ଏଭଳି ସ୍ପର୍ଶକାତର ଏବଂ ବିପଜ୍ଜନକ ସ୍ଥିତିରେ ବଲାଙ୍ଗୀର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ନରେଶ ଚନ୍ଦ୍ର ବାରିକଙ୍କ ସଫେଇ ଏବେ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଯନ୍ତ୍ରୀ ମହାଶୟ କ୍ୟାମେରା ଆଗରେ କହିଛନ୍ତି ଯେ “କାମରେ କୌଣସି ଅନିୟମିତତା ହୋଇନି ଏବଂ କେବଳ ସାମାନ୍ୟ ସୁପରଫିସିଆଲ୍ (ବାହ୍ୟ) ଫାଟ ସୃଷ୍ଟି ହୋଇଥିଲା, ଯାହାର ମରାମତି ଶେଷ ହୋଇଛି।”
ଏଠାରେ ପ୍ରଶ୍ନ ଉଠୁଛି:-
୧. ଯଦି କାମରେ କୌଣସି ଅନିୟମିତତା ନାହିଁ, ତେବେ ଚାରି ବର୍ଷର କଠିନ ନିର୍ମାଣ କାର୍ଯ୍ୟ ପ୍ରଥମ ସାମାନ୍ୟ ବର୍ଷାରେ କାହିଁକି ଏଭଳି ଭୁଶୁଡ଼ି ପଡ଼ିଲା?
୨. ୬୮ କୋଟି ଟଙ୍କାର ବ୍ୟାରେଜରେ ଗାର୍ଡୱାଲ ପର୍ଯ୍ୟନ୍ତ ଦୀର୍ଘ ଚଉଡ଼ା ଫାଟ ସୃଷ୍ଟି ହେବାକୁ ଯନ୍ତ୍ରୀ କିପରି “ସାମାନ୍ୟ ବାହ୍ୟ ଫାଟ” କହି ଠିକାଦାରକୁ ଛତ୍ରଛାୟା ଯୋଗାଉଛନ୍ତି?
୩. ଜଳଭଣ୍ଡାରର ଜଳଧାରଣ ପରୀକ୍ଷା ନହେଉଣୁ ଯଦି କଂକ୍ରିଟ୍ ଚାପ ସହିପାରୁନି, ତେବେ ଲକ୍ଷ ଲକ୍ଷ ଗ୍ୟାଲନ୍ ପାଣି ଜମା ହେଲେ ଏହା କିଭଳି ସୁରକ୍ଷିତ ରହିବ?
ସ୍ଥାନୀୟ ବୁଦ୍ଧିଜୀବୀ ଓ ଚାଷୀମାନେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଏହି ଗଳାବାଟ ଦେଖାଇବା ପରି ସଫେଇକୁ ଦୃଢ଼ ବିରୋଧ କରିଛନ୍ତି। ସେମାନଙ୍କ ଅନୁଯାୟୀ, ଠିକାଦାର ସହିତ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଥିବା ବଡ଼ ଆର୍ଥିକ ସମ୍ପର୍କକୁ ଢାଙ୍କିବା ପାଇଁ ଏପରି ଅଜବ ଯୁକ୍ତି ବଢ଼ାଯାଉଛି।
ଏହି ଜନହିତକର ପ୍ରକଳ୍ପକୁ ବିନାଶକାରୀ ବିପତ୍ତିରେ ପରିଣତ ହେବା ପୂର୍ବରୁ, ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ଜଳସମ୍ପଦ ବିଭାଗର ଉଚ୍ଚ ବୈଷୟିକ ଦଳ କିମ୍ବା ଭିଜିଲାନ୍ସ ବିଭାଗ ଦ୍ୱାରା ନିରପେକ୍ଷ ତଦନ୍ତ କରିବା ଉଚିତ। ଦୋଷୀ ଠିକାଦାରଙ୍କୁ ବ୍ଲାକଲିଷ୍ଟ କରିବା ସହ ଲାଞ୍ଚଖୋର ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଜନତା ଦାବି କରିଛନ୍ତି।

