କଟଙ୍ଗପାଣି ନିକଟରେ ୩୩ କେଭି ବିଦ୍ୟୁତ ତାର ଉପରେ ଗଛ ପଡ଼ିଲା: ବିଦ୍ୟୁତ ସେବା ବାଧାପ୍ରାପ୍ତ
ଜମନକିରା : ଜମନକିରା ବ୍ଲକ କଟଙ୍ଗପାଣି ନିକଟରେ ଏକ ବଡ଼ ଅଘଟଣ ଘଟିଯାଇଛି।
ସୂଚନା ଅନୁସାରେ, ଜାମନକିରା ୩୩ କେଭି ଫିଡରର ମୁଖ୍ୟ ବିଦ୍ୟୁତ ତାର (କଣ୍ଡକ୍ଟର) ଉପରେ ଏକ ବିରାଟ ଗଛ ଭାଙ୍ଗି ପଡ଼ିଛି। ଗଛଟି ତାର ଉପରେ ପଡ଼ିବା ଫଳରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି।
ଏହି ଦୁର୍ଘଟଣା ଯୋଗୁଁ ଜାମନକିରା ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ଭାବେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି। ସ୍ଥାନୀୟ ଲୋକେ ଅନ୍ଧାରରେ ରହିବା ସହ ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଖବର ଲେଖାହେବା ସୁଦ୍ଧା ବିଦ୍ୟୁତ ବିଭାଗର କର୍ମଚାରୀମାନଙ୍କୁ ଏ ନେଇ ଅବଗତ କରାଯାଇଛି ଏବଂ ତୁରନ୍ତ ଗଛ କଟାଯାଇ ଲାଇନ ମରାମତି କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ବିଦ୍ୟୁତ ତାର ଉପରେ ଗଛ ପଡ଼ିଥିବାରୁ ସେହି ସ୍ଥାନରେ କୌଣସି ପ୍ରକାରର ବିପଦକୁ ଏଡ଼ାଇବା ପାଇଁ ସର୍ବସାଧାରଣଙ୍କୁ ଦୂରରେ ରହିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

