Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶାସନ ନିଦ୍ରାରେ, ବିପଦରେ ଜନଜୀବନ: ବେଲପଡା ବ୍ଲକ ଖଲିପଥର ଗ୍ରାମର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା ।

ବଲାଙ୍ଗୀର,୧୮।୭: ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ବେଲପଡା ବ୍ଲକ ପ୍ରଶାସନର ଚରମ ଅବହେଳା ଯୋଗୁଁ ଆଜି ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ। କୌଣସି ବଡ଼ ଅଘଟଣକୁ ପ୍ରଶାସନ ଅପେକ୍ଷା କରିଛି କି? ଏମିତି ଏକ ସଙ୍ଗୀନ ପ୍ରଶ୍ନ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବେଲପଡା ବ୍ଲକ ଅନ୍ତର୍ଗତ ଯୁବା ପଞ୍ଚାୟତର ଖଲିପଥର ଗ୍ରାମରୁ ପୋଡ଼ପାଲି ପାଳିକୁ ଯିବା ପାଇଁ ଥିବା ମୁଖ୍ୟ ରାସ୍ତାଟି ଏବେ ମରଣଯନ୍ତା ସଦୃଶ ହୋଇପଡ଼ିଛି, ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ, ପୋଡ଼ପାଲି ପାଳିରେ ପ୍ରାୟ ୪୦ ରୁ ୫୦ ପରିବାର ବସବାସ କରୁଛନ୍ତି। ବାହ୍ୟ ଜଗତ ସହ ଯୋଡ଼ି ହେବା ପାଇଁ ଏହି ରାସ୍ତାଟି ହିଁ ସେମାନଙ୍କର ଏକମାତ୍ର ସହାରା ବା ଜୀବନରେଖା। ପ୍ରତିଦିନ ଏହି ରାସ୍ତା ଦେଇ କୋମଳମତି ଶିଶୁ ଏବଂ ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜକୁ ଯାତାୟାତ କରିଥାନ୍ତି। ଗୁରୁତର ରୋଗୀଙ୍କୁ ହସ୍ପିଟାଲ ନେବା ହେଉ କିମ୍ବା ସାଧାରଣ ଲୋକେ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ବ୍ଲକ, ପଞ୍ଚାୟତ, ପାଟଣାଗଡ଼ ଓ ବଲାଙ୍ଗୀର ସହରକୁ ଯିବା ହେଉ — ସମସ୍ତଙ୍କୁ ଏହି ଖରାପ ରାସ୍ତା ଉପରେ ହିଁ ନିର୍ଭର କରିବାକୁ ପଡ଼ିଥାଏ।
ସାମ୍ପ୍ରତିକ ଲଗାଣ ବର୍ଷା ଯୋଗୁଁ ଏହି ମାଟି/ମୋରମ ରାସ୍ତାଟି ବିଭିନ୍ନ ସ୍ଥାନରେ ଭୁଶୁଡ଼ିବା ସହ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି। ରାସ୍ତା ମଝିରେ ମଝିରେ ଖାଲଖମା ଓ ବିପଜ୍ଜନକ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ବାଇକ୍‌ ଚାଳକ କିମ୍ବା ପ पाଦଚଲା ଲୋକେ ଯେକୌଣସି ସମୟରେ ଭୟଙ୍କର ଦୁର୍ଘଟଣାର ଶିକାର ହେବାର ଆଶଙ୍କା ରହିଛି। ଯଦି ତୁରନ୍ତ ଏହାର ପ୍ରତିକାର କରାନଯାଏ, ତେବେ ଆଗାମୀ ଦିନରେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବ ଏବଂ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହେବା ସୁନିଶ୍ଚିତ।
ସବୁଠାରୁ ଆଶ୍ଚର୍ଯ୍ୟ ଓ ଦୁଃଖର ବିଷୟ ହେଉଛି, ଏହି ସମସ୍ୟା ବାବଦରେ ଗ୍ରାମବାସୀମାନେ ବାରମ୍ବାର ବ୍ଲକ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଗୁହାରି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ କରାଯାଇନାହିଁ। ପ୍ରଶାସନର ଏଭଳି ନିଷ୍କ୍ରିୟତା ଗ୍ରାମବାସୀଙ୍କୁ ବେଶ୍‌ ଆନ୍ଦୋଳିତ କରିଛି। ଲୋକଙ୍କ ସୁରକ୍ଷା ଓ ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାର ବଡ଼ ବଡ଼ ଡିଣ୍ଡିମ ପିଟୁଥିବା ବେଳେ ବେଲପଡା ବ୍ଲକର ଏହି ଦୃଶ୍ୟ ପ୍ରଶାସନିକ ସ୍ଥାଣୁତାର ନଗ୍ନ ଚିତ୍ର ପଦାରେ ପକାଇଛି।
ବର୍ଷା ଋତୁକୁ ଦୃଷ୍ଟିରେ ରଖି ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଏହି ମୁଖ୍ୟ ରାସ୍ତାର ଜରୁରୀ ମରାମତି କରିବା ସହ ଏହାକୁ ଏକ ସ୍ଥାୟୀ ପକ୍କା ରାସ୍ତାରେ ପରିଣତ କରିବାକୁ ଅଞ୍ଚଳବାସୀ ଜିଲ୍ଲା ପାଳ ଓ ବ୍ଲକ ପ୍ରଶାସନଙ୍କୁ ବିନମ୍ର ଅନୁରୋଧ କରିଛନ୍ତି। ଯଦି ଆଗାମୀ ଦିନରେ କୌଣସି ଅଘଟଣ ଘଟେ କିମ୍ବା ଯାତାୟାତ ବନ୍ଦ ହୁଏ, ତେବେ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ସ୍ଥାନୀୟ ପ୍ରଶାସନ ଦାୟୀ ରହିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories