ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର: ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଇଥିବା ପ୍ରେମିକ ଗିରଫ
ଜମନକିରା : ଜମନକିରା ଥାନା ଅଞ୍ଚଳ ବଡ଼ରମା ଘାଟି ନିକଟସ୍ଥ ଜଙ୍ଗଲରୁ ଜଣେ ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି। ଏନେଇ ଜମନକିରା ଓ ମଗୁଲପାଲି ଥାନାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। କୁଚିଣ୍ଡା ଏସଡିପିଓ ପ୍ରଦୀପ କୁମାର ଦାଶ ମାମଲାର ତଦନ୍ତ ଭାର ଗ୍ରହଣ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ୧୬ ତାରିଖ ଦିନ ମହୁଲପାଲି ଥାନା ଅନ୍ତର୍ଗତ ମହୁଲଗୁଡ଼ା ଗ୍ରାମର ମନୋଜ ସା ତାଙ୍କ ଝିଅ ସରିତା ସା ନିଖୋଜ ଥିବା ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ମହୁଲପାଲି ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୋଲିସ ସନ୍ଦେହ ଜନକ ଭାବେ ଯୁବତୀଙ୍କ ପୁରୁଷ ବନ୍ଧୁ (ପ୍ରେମିକ) ଅନିଲ ପୃସେଠଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପ୍ରଥମେ ଏଡ଼ାଇ ଯାଉଥିଲେ ମଧ୍ୟ ପୋଲିସର ଘନ ଘନ ଜେରା ଆଗରେ ଶେଷରେ ଅନିଲ ନିଜର ସମସ୍ତ ଦୋଷ ସ୍ୱୀକାର କରିଛି। ସେ ନିଜେ ହିଁ ସରିତାଙ୍କୁ ହତ୍ୟା କରିବା ପରେ ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ଶବକୁ ବଡ଼ରମା ଘାଟି ପାର୍ଶ୍ଵ ଜଙ୍ଗଲରେ ଫିଙ୍ଗି ଦେଇଥିବା କଥା ମାନିଛି। ଅଭିଯୁକ୍ତର ବୟାନ ଏବଂ ସୂଚନା ଆଧାରରେ କୁଚିଣ୍ଡା, ମହୁଲପାଲି ଓ ଜମନକିରା ପୋଲିସ ସମେତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଙ୍ଗଲ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତରଖାନାକୁ ପଠାଯାଇଛି। ମୃତକଙ୍କ ବାପା ମନୋଜ ସାଙ୍କ ଝିଅ ନିଖୋଜ ହେବା ପଛରେ ଅନିଲର ହାତ ଥିବା ନେଇ ସେ ପୂର୍ବରୁ ସନ୍ଦେହ କରୁଥିଲେ ଏବଂ ଏଭଳି ନିଷ୍ଠୁର କାଣ୍ଡ ଘଟାଇଥିବା ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୋଲିସ ଏହି ସମ୍ବେଦନଶୀଳ ମାମଲାରେ ହତ୍ୟାର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ପ୍ରକ୍ରିୟାକୁ ଆହୁରି ଜୋରଦାର କରିଛି।

