Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୁରେକେଲା ବ୍ଲକରେ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ: ୧୬୬ ଜଣ ନୂତନ ହିତାଧିକାରୀ ହେଲେ ଉପକୃତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବିଧାୟକ ଲକ୍ଷ୍ମଣ ବାଗ ।

ବଲାଙ୍ଗୀର,୧୮।୭: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ନୂତନ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ୧୬୬ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ଭତ୍ତା ପ୍ରଦାନ କରାଯାଇଛି।
ଏହି ବିଶେଷ ସମାରୋହରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ହାତରେ ସମସ୍ତ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଏହି ଅବସରରେ ଜନସାଧାରଣଙ୍କୁ ସମ୍ବୋଧିତ କରି ବିଧାୟକ ଶ୍ରୀ ବାଗ କହିଥିଲେ ଯେ, “ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ବୃଦ୍ଧ, ବିଧବା, ଭିନ୍ନକ୍ଷମ ଓ ଅନ୍ୟାନ୍ୟ ଅସହାୟ ବ୍ୟକ୍ତିଙ୍କ ଜୀବନକୁ ସୁରକ୍ଷିତ ଏବଂ ସହଜ କରିବାରେ ବେଶ୍ ସହାୟକ ହେଉଛି।” ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ସରକାରୀ ସହାୟତା ପହଞ୍ଚାଇବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ତୁରକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ପୂର୍ଣ୍ଣାନନ୍ଦ ପଟେଲ, ତୁରକେଲା ସରପଞ୍ଚ ତଥା ବିଧାୟକ ପ୍ରତିନିଧି ଜଳନ୍ଧର ମହାକୁଡ଼, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭବାନୀ ପଟେଲ, ତୁରକେଲା ମଣ୍ଡଳ ସଭାପତି ଆନନ୍ଦ ସାହୁ ଏବଂ ଧାମନଡଙ୍ଗା ମଣ୍ଡଳ ସଭାପତି ରଞ୍ଜନ ମାଝୀଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
ଅତିଥିମାନେ ସରକାରୀ ଯୋଜନାର ବିଭିନ୍ନ ସୁବିଧା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ମିଳିଥିବା ଆର୍ଥିକ ସହାୟତାର ସଠିକ୍ ଓ ସଦୁପଯୋଗ କରିବାକୁ ହିତାଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବହୁ ଦିନର ପ୍ରତୀକ୍ଷା ପରେ ନୂତନ ଭତ୍ତା ପାଇଥିବାରୁ ହିତାଧିକାରୀମାନେ ନିଜ ନିଜର ସନ୍ତୋଷ ବ୍ୟକ୍ତ କରିବା ସହ ସରକାରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories