କଣ୍ଟାବାଞ୍ଜି ରଥଯାତ୍ରାରେ ଚୋରଙ୍କ ରାଜ୍: ଭିଡ଼ର ସୁଯୋଗ ନେଇ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍, ଥାନାରେ ଏତଲା ।
ବଲାଙ୍ଗୀର,୧୮।୭: ସହରରେ ଚାଲିଥିବା ପବିତ୍ର ରଥଯାତ୍ରା ମହୋତ୍ସବ ସମୟରେ ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥାକୁ ଖୁଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା। ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ର ସୁଯୋଗ ନେଇ ଜଣେ ମହିଳାଙ୍କ ଗଳାରୁ ସୁନା ଚେନ୍ ଚୋରି ହୋଇଥିବା ନେଇ କଣ୍ଟାବାଞ୍ଜି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। କେବଳ ଏହି ଗୋଟିଏ ଘଟଣା ନୁହେଁ, ବରଂ ଚଳିତ ରଥଯାତ୍ରାରେ ପ୍ରାୟ ୭ରୁ ଅଧିକ ସୁନା ଗହଣା ଏବଂ ମୋବାଇଲ୍ ଚୋରି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁସାରେ, କଣ୍ଟାବାଞ୍ଜି ସହରର ବାସିନ୍ଦା ଶ୍ରୀମତୀ ଗୋୟଲ ଶିବାଙ୍ଗ ରମେଶ ଗତ ୧୬ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ନିଜ ପରିବାର ସହ ରୋଡ୍ ନମ୍ବର–୪ ସ୍ଥିତ ଅର୍ଣ୍ଣାପୁରା ହୋଟେଲ ନିକଟରେ ରଥଟଣା ଦେଖୁଥିଲେ। ଏହି ସମୟରେ ପ୍ରବଳ ଭିଡ଼ର ଫାଇଦା ନେଇ କିଛି ସନ୍ଦିଗ୍ଧ ଅଜଣା ମହିଳା ତାଙ୍କୁ ଚତୁରତାର ସହ ଘେରି ଯାଇଥିଲେ। ଏହାର ସୁଯୋଗ ନେଇ କୌଣସି ଜଣେ ଦୁର୍ବୃତ୍ତ ତାଙ୍କ ଗଳାରୁ ସୁନା ଚେନ୍ଟିକୁ ଝାମ୍ପି ନେଇ ଚମ୍ପଟ ମାରିଥିଲା। କିଛି ସମୟ ପରେ ବେକରେ ଚେନ୍ ନଥିବା ଜାଣିବା ପରେ ଶ୍ରୀମତୀ ଗୋୟଲ ଚୋରି ସମ୍ପର୍କରେ ସନ୍ଦେହ କରିଥିଲେ। ଏନେଇ ସେ କଣ୍ଟାବାଞ୍ଜି ଥାନାରେ ଲିଖିତ ଏତଲା ଦେଇ ଘଟଣାର ତଦନ୍ତ ସହ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଅନୁରୋଧ କରିଛନ୍ତି।
ଚଳିତ ବର୍ଷ ରଥଯାତ୍ରାରେ ଚୋର ମାନେ କଣ୍ଟାବାଞ୍ଜିକୁ ଏକ ସୁରକ୍ଷିତ ସ୍ଥାନ ଭାବେ ବାଛି ଏକାଧିକ ଚୋରି ଘଟଣାକୁ ରୂପରେଖ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ମଧ୍ୟ ରଥଯାତ୍ରା ସମୟରେ ବିଜେପିର ବରିଷ୍ଠ ସଦସ୍ୟ ଅଜୟ ଶର୍ମାଙ୍କ ବେକରୁ ସୁନା ଚେନ୍ କାଟି ଚୋରି କରାଯାଇଥିଲା, ଯାହାକୁ ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପରପର ଦୁଇ ବର୍ଷ ଧରି ସମାନ ଢଙ୍ଗରେ ବଡ଼ ଧରଣର ଚୋରି ହେବା ପୋଲିସର ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସେପଟେ ପୀଡ଼ିତାଙ୍କ ଅଭିଯୋଗକୁ ଗ୍ରହଣ କରି କଣ୍ଟାବାଞ୍ଜି ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି। ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଆଧାର କରି ଚୋର ମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ପ୍ରୟାସ ଚଳାଇଥିବା ସୂଚନା ମିଳିଛି।
ପାର୍ବଣ ଓ ଜନଗହଳି ସମୟରେ ସହରକୁ ଆସୁଥିବା ବାହାର ଅଞ୍ଚଳର ପେସାଦାର ଚୋର ଗ୍ୟାଙ୍ଗ୍ ଏଭଳି କାଣ୍ଡ ଭିଆଉଥିବା ସନ୍ଦେହ କରାଯାଉଛି। ପୋଲିସ ପ୍ରଶାସନ ସାଧା ପୋଷାକଧାରୀ ସୁରକ୍ଷାକର୍ମୀ ମୁତୟନ କରି ଏହି ଚୋର ଗ୍ୟାଙ୍ଗ୍କୁ ଧରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

