ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ‘CHC’ ମାନ୍ୟତା ଦାବି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କଲେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପ୍ରସାଦ ଦାନୀ
ଜମନକିରା : ସମ୍ବଲପୁର ଜିଲ୍ଲାର ସବୁଠାରୁ ବୃହତ୍ତମ ବ୍ଲକ ଭାବେ ପରିଚିତ ଜମନକିରା ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC) ଉପରେ ହଜାର ହଜାର ଜନସାଧାରଣ ନିର୍ଭର କରୁଥିଲେ ହେଁ, ଆବଶ୍ୟକୀୟ ଭିତ୍ତିଭୂମି ଓ ଆଧୁନିକ ଚିକିତ୍ସା ସୁବିଧା ଅଭାବରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତୁରନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ଭାବେ ଉନ୍ନୀତ କରିବା ପାଇଁ ଦାବି ଜୋର ଧରିଛି। ବ୍ଲକ ଆଞ୍ଚଳିକ ବିକାଶ ସମିତି ମଞ୍ଚର ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପ୍ରସାଦ ଦାନୀ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଏକ ସ୍ମାରକପତ୍ର ଜରିଆରେ ଦୃଢ ଦାବି ଉପସ୍ଥାପନ କରିଛନ୍ତି। ଭୌଗୋଳିକ ଦୃଷ୍ଟିକୋଣରୁ ଜମନକିରା ବ୍ଲକର ଅବସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଅଞ୍ଚଳ ଦେଇ ଓଡ଼ିଶାର ଚାରି ପ୍ରମୁଖ ଜିଲ୍ଲା ଯଥା- ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାକୁ ସ୍ଥଳପଥ ସଂଯୋଗ ରହିଛି। ଏହା ସହିତ କଲିକତାରୁ ମୁମ୍ବାଇକୁ ସଂଯୋଗ କରୁଥିବା ୬ ନମ୍ବର ( ଜାତୀୟ ରାଜପଥ ୬ ( ଜାତୀୟ ରାଜପଥ ୫୩) ଏହି ବ୍ଲକ ମଧ୍ୟ ଦେଇ ଗତି କରିଛି। ଫଳରେ ଦିନରାତି ଏଠାରେ ଶହ ଶହ ସଂଖ୍ୟାରେ ଭାରିଯାନ, ବସ୍, କାର୍ ଓ ବାଇକ୍ ଆଦି ଅତି ଦ୍ରୁତଗତିରେ ଯାତାୟାତ କରୁଛି। ରାଜପଥରେ ପ୍ରତିଦିନ ଛୋଟବଡ଼ ସଡ଼କ ଦୁର୍ଘଟଣା ଘଟିବା ଏକ ନିତିଦିନିଆ ଘଟଣା ପାଲଟିଛି। ମାତ୍ର ଦୁର୍ଘଟଣା ସମୟରେ ଗୁରୁତର ଆହତମାନଙ୍କୁ ବଞ୍ଚାଇବା ପାଇଁ ଯେଉଁ ଜରୁରୀକାଳୀନ ‘ଆଶୁ ଚିକିତ୍ସା’ (Emergency Care) ଆବଶ୍ୟକ, ତାହା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ନାହିଁ। ଫଳରେ ଉପଯୁକ୍ତ ଚିକିତ୍ସା ଅଭାବରୁ ଅନେକ ଯାତ୍ରୀ ଏବଂ ସ୍ଥାନୀୟ ଲୋକ ଡାକ୍ତରଖାନା ଆସୁ ଆସୁ ରାସ୍ତାରେ ହିଁ ଅକାଳରେ ପ୍ରାଣ ହରାଉଛନ୍ତି। ଜମନକିରା ବ୍ଲକ ସଦର ମହକୁମା ବୃହତ ପେଣ୍ଠସ୍ଥଳୀ ହୋଇଥିବାରୁ ଏଠାରେ ସମସ୍ତ ପ୍ରମୁଖ ସରକାରୀ କାର୍ଯ୍ୟାଳୟ, ବେସରକାରୀ ପ୍ରତିଷ୍ଠାନ, ବ୍ୟାଙ୍କ, ସ୍କୁଲ ଓ ପ୍ରତିଷ୍ଠିତ କଲେଜମାନ ରହିଛି। ପ୍ରତିଦିନ ହଜାର ହଜାର ଲୋକ ନିଜର ବିଭିନ୍ନ ବ୍ୟକ୍ତିଗତ ଓ ସରକାରୀ କାର୍ଯ୍ୟ ପାଇଁ ଏହି ସହର ଉପରେ ନିର୍ଭର କରିଥାନ୍ତି। ଜନସଂଖ୍ୟା ଓ ଗହଳି ଦିନକୁ ଦିନ ବଢୁଥିବା ବେଳେ ଏଠାରେ ଥିବା ଡାକ୍ତରଖାନାରେ ଡାକ୍ତର ଓ ଆଧୁନିକ ଚିକିତ୍ସା ସରଞ୍ଜାମର ଘୋର ଅଭାବ ରହିଛି। ସାଧାରଣ ରୋଗୀଟିଏ ମଧ୍ୟ ଉତ୍ତମ ଚିକିତ୍ସା ସେବାରୁ ବଞ୍ଚିତ ହେଉଛି। ଏହି ବ୍ଲକ ଅଧୀନରେ ଥିବା ଅଧିକାଂଶ ଗ୍ରାମାଞ୍ଚଳ ଗରିବ ଆଦିବାସୀ ବହୁଳ ଅଟେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସାମାନ୍ୟ ଜଟିଳ ରୋଗ ପାଇଁ ଏହି ଗରିବ ଲୋକମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ବୁର୍ଲା ବଡ଼ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏଥିପାଇଁ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି, ଯାହା ସେମାନଙ୍କ ସାମର୍ଥ୍ୟ ବାହାରେ। ଅନେକ ସମୟରେ ଗରିବ ଶ୍ରେଣୀର ଲୋକେ ଉପଯୁକ୍ତ ଅର୍ଥ ଅଭାବରୁ ବାହାର ସହରକୁ ଯାଇନପାରି ଘରେ ରହି ମୃତ୍ୟୁବରଣ କରୁଥିବା ଭଳି ଦୁଃଖଦ ଚିତ୍ର ସାମ୍ନାକୁ ଆସୁଛି।ବରିଷ୍ଠ ସାମ୍ବାଦିକ ଶ୍ରୀ ଦାନୀ ନିଜ ଦାବିପତ୍ରରେ ଦର୍ଶାଇଛନ୍ତି ଯେ, ସମ୍ବଲପୁର ଜିଲ୍ଲାର ବାମରା ବ୍ଲକରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ଯେଭଳି CHC-1 ଏବଂ CHC-2 ର ବ୍ୟବସ୍ଥା କରାଯାଇଛି, ସେହି ସମାନ ନୀତିରେ ଜମନକିରା ବ୍ଲକରେ ମଧ୍ୟ CHC-1 ଏବଂ CHC-2 ସ୍ଥାପନ କରାଯାଉ। ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମିକୁ ବଢ଼ାଇ ଏହାକୁ ତୁରନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ର ମାନ୍ୟତା ଦିଆଗଲେ, ଏଠାରେ ୨୪ ଘଣ୍ଟିଆ ଜରୁରୀକାଳୀନ ସେବା, ଅଧିକ ବିଶେଷଜ୍ଞ ଡାକ୍ତର ଓ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇପାରିବ।
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆଦିବାସୀ ବହୁଳ ଅଞ୍ଚଳର ବୃହତ୍ତର ସ୍ୱାର୍ଥକୁ ବିଚାରକୁ ନେଇ ଜମନକିରା PHC କୁ CHC ମାନ୍ୟତା ଦେବା ପାଇଁ ଶୀଘ୍ର ପଦକ୍ଷେପ ନେବେ ବୋଲି ବ୍ଲକ ଆଞ୍ଚଳିକ ବିକାଶ ସମିତି ମଞ୍ଚ ସମେତ ସମଗ୍ର ଜମନକିରା ଅଞ୍ଚଳବାସୀ ଚାତକ ଭଳି ଚାହିଁ ରହିଛନ୍ତି।

