Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାଦନ ଶ୍ରମିକଙ୍କ ନାବାଳିକା ଝିଅକୁ ଘରୁ ଅପହରଣ କରି ଜଙ୍ଗଲରେ ଦୁଷ୍କର୍ମ: ଅଭିଯୁକ୍ତ ଯୁବକକୁ ଗିରଫ କଲା ତୁରେକେଲା ପୋଲିସ ।

ବଲାଙ୍ଗୀର,୨୦।୭: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଲର୍କି ଗ୍ରାମରେ ଏକ ଅଭାବନୀୟ ତଥା ମାନବିକତାକୁ ସାର ଅପମାନିତ କଲାଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ଅସହାୟ ଦାଦନ ଶ୍ରମିକଙ୍କ ନାବାଳିକା ଝିଅକୁ ଘରୁ ଜୋର-ଜବରଦସ୍ତ ଅପହରଣ କରି ଜଙ୍ଗଲରେ ଏବଂ ପରେ ନିଜ ଘରକୁ ନେଇ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ସମ୍ବେଦନଶୀଳ ମାମଲାରେ ତୁରେକେଲା ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ଅଭିଯୁକ୍ତ ଜଣକ ହେଲେ ଲର୍କି ଗ୍ରାମର ରିଙ୍କୁ ପରାଭଏ। ଏ ନେଇ ପୋଲିସ ତୁରେକେଲା ଥାନା କେସ୍ ନମ୍ବର ୧୧୮/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତାବକ, ପୀଡ଼ିତା ନାବାଳିକାଙ୍କ ବାପା ଓ ମାଆ ପେଟ ବିକଳରେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଥିଲେ। ନାବାଳିକା ଜଣକ ଘରେ ଏକାକୀ ଥିବାର ସୁଯୋଗ ନେଇ ଗତ ୧୬ ତାରିଖ ଦିନ ଅଭିଯୁକ୍ତ ରିଙ୍କୁ ପରାଭଏ ତାଙ୍କ ଘରେ ପହଞ୍ଚିଥିଲା। ସେ କବାଟ ବାଡ଼େଇବା ପରେ ନାବାଳିକା ଜଣକ ଦ୍ଵାର ଖୋଲିବା ମାତ୍ରେ ଅଭିଯୁକ୍ତ ତାଙ୍କୁ ଜୋର-ଜବରଦସ୍ତ ବଳପୂର୍ବକ ଉଠାଇ ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲା। ସେଠାରେ ଭୟଭୀତ ନାବାଳିକାଙ୍କ ସହ ସେ ଦୁଷ୍କର୍ମ କରିଥିଲା। ଏତିକିରେ ଅଭିଯୁକ୍ତର ମନ ଭରିନଥିଲା, ସେ ପୀଡ଼ିତାଙ୍କୁ ନିଜ ଘରକୁ ନେଇ ସେଠାରେ ମଧ୍ୟ ବାରମ୍ବାର ଶାରୀରିକ ନିର୍ଯାତନା ଦେଇଥିଲା।
ଘଟଣା ସେତିକିବେଳେ ଅଧିକ ଜଟିଳ ରୂପ ନେଇଥିଲା, ଯେତେବେଳେ ଅଭିଯୁକ୍ତ ରିଙ୍କୁର ପରିବାର ଲୋକେ ଏହା ବିଷୟରେ ଜାଣିବାକୁ ପାଇଥିଲେ। ସେମାନେ ପୀଡ଼ିତା ନାବାଳିକାଙ୍କୁ ଆପଣେଇବା ପରିବର୍ତ୍ତେ ଓଲଟା ଜାତିଆଣ ଆକ୍ଷେପ କରିବା ସହ ଅମାନୁଷିକ ଭାବେ ମାଡ଼ପିଟ୍ କରିଥିଲେ। “ତତେ ଆମେ ଘରେ ରଖିବୁ ନାହିଁ” ବୋଲି କହି ସେମାନେ ପୀଡ଼ିତାଙ୍କୁ ଅତି ଦୟନୀୟ ଅବସ୍ଥାରେ ଘରୁ ତଡ଼ି ଦେଇଥିଲେ।
ଝିଅ ସହ ହୋଇଥିବା ଏହି ବର୍ବରତା ବିଷୟରେ ଖବର ପାଇ ବାପା ମାଆ ବାହାର ରାଜ୍ୟରୁ ତୁରନ୍ତ ଗାଁକୁ ଫେରିଥିଲେ। ପ୍ରଥମେ ସେମାନେ ନ୍ୟାୟ ଆଶାରେ ତୁରେକେଲା ଥାନାର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ସେଠାରେ ସେମାନଙ୍କୁ କୌଣସି ସହଯୋଗ ମିଳିନଥିଲା। ପୋଲିସର ନିଷ୍କ୍ରିୟତାରେ ନିରାଶ ହୋଇ ଶେଷରେ ପୀଡ଼ିତାଙ୍କ ପରିବାର ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP) ଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ଦୁଃଖ ଜଣାଇଥିଲେ। ଜିଲ୍ଲା ଏସପି ଘଟଣାର ଗମ୍ଭୀରତାକୁ ବୁଝି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତୁରେକେଲା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ।
ଏସପିଙ୍କ କଡ଼ା ନିର୍ଦ୍ଦେଶ ପରେ ହରକତକୁ ଆସିଥିବା ତୁରେକେଲା ପୋଲିସ ତୁରନ୍ତ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ରିଙ୍କୁ ପରାଭଏକୁ ଗିରଫ କରିଥିଲା। ପରେ ତାକୁ କଣ୍ଟାବାଞ୍ଜି କୋର୍ଟରେ ହାଜର କରାଯାଇଥିଲା। ଅଦାଲତରେ ଅଭିଯୁକ୍ତର ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାକୁ ବିଚାର ବିଭାଗୀୟ ହାଜତ (ଜେଲ୍) କୁ ପଠାଇ ଦିଆଯାଇଛି। ପୋଲିସ ପକ୍ଷରୁ ମାମଲାର ଅଧିକ ତଦନ୍ତ ଜାରି ରହିଛି। ପୀଡ଼ିତା ନାବାଳିକା ଏବଂ ତାଙ୍କ ପରିବାର ପକ୍ଷରୁ ଅଭିଯୁକ୍ତକୁ କଠୋରରୁ କଠୋରତମ ଦଣ୍ଡ ଦେବାକୁ ଦାବି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories