Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିପଦସଙ୍କୁଳ ଅବସ୍ଥାରେ ଟାଙ୍ଗରାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଅତି ପୁରୁଣା ଚାଳଛପର କୋଠରୀରେ ପାଠପଢ଼ା, ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ

ଜମନକିରା : ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ପାଇଁ ସରକାର ବିଦ୍ୟାଳୟର ରୂପାନ୍ତରଣ ଓ ୫-ଟି ଯୋଜନା ଜରିଆରେ ପୂର୍ବ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ଓ ଡିଣ୍ଡିମ ପିଟିଥିବା ବେଳେ ବର୍ତ୍ତମାନ ସରକାର ଅନୁରୂପ ଭାବେ ସ୍କୁଲ ଗୁଡିକକୁ ଅଣଦେଖା କରୁଛନ୍ତି। ଏଭଳି କିଛି ଗ୍ରାମାଞ୍ଚଳ ବିଦ୍ୟାଳୟର ବାସ୍ତବ ଚିତ୍ର ଏବେ ବି ଅତ୍ୟନ୍ତ ନିରାଶାଜନକ ସାଜିଛି। ଏମିତି ଏକ ନଗ୍ନଚିତ୍ର ଦେଖିବାକୁ ମିଳୁଛି, ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଲ ପଞ୍ଚାୟତ ଟାଙ୍ଗରାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା। ସ୍କୁଲଟି ଅତି ପୁରୁଣା ହୋଇଥିବା ବେଳେ ଶ୍ରେଣୀ କୋଠରୀ ଗୁଡ଼ିକ ତିଆରି ହୋଇଛି ଚାଳଛପର ରେ। ଚାଳଛପର ଶ୍ରେଣୀ କୋଠରୀ ଗୁଡ଼ିକ ଏବେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ପହଞ୍ଚି ଥିବାରୁ, କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ପ୍ରତିମୁହୂର୍ତ୍ତରେ ବିପଦ ସୃଷ୍ଟି ହୋଇଛି।୧୯୬୧ ମସିହାରୁ ନିର୍ମିତ ଏହି ସ୍କୁଲରେ ଶିଶୁ ବାଟିକା ଠାରୁ ଆରମ୍ଭ କରି ୮ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। କହିବାକୁ ଗଲେ ୯ ଟି ଶ୍ରେଣୀ କୋଠରୀ ରହିବା କଥା କିନ୍ତୁ ମାତ୍ର ୨ ଟି କୋଠରୀ କେବଳ ଟିକିଏ ଭଲ ରହିଛି। ବାକି ସବି ଶ୍ରେଣୀ କୋଠରୀ ଗୁଡ଼ିକ ବିପଦ ସଙ୍କୁଳ ଅବସ୍ଥାରେ। ଭଙ୍ଗାରୁଜା ଚାଳଛପର ଘର, ଝଡ଼-ବର୍ଷାରେ ଜୀବନ ରହିଛି ଅସୁରକ୍ଷିତ।
ମିଳିଥିବା ସୂଚନା ଅନୁଯାୟୀ, ଟାଙ୍ଗରାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ କୋଠରୀ ଗୁଡ଼ିକ ବହୁ ବର୍ଷର ପୁରୁଣା ଚାଳଛପର ଘର ହୋଇଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏହା ସମ୍ପୂର୍ଣ୍ଣ ଭଙ୍ଗାରୁଜା ହୋଇପଡ଼ିଛି। ଚାଳଛପର ଘରଗୁଡ଼ିକ ନଷ୍ଟ ହୋଇଯାଇଥିବାରୁ ସାମାନ୍ୟ ବର୍ଷା ହେଲେ ବି ଶ୍ରେଣୀ କୋଠରୀ ଭିତରେ ପାଣି ଗଳୁଛି। ପାଠପଢ଼ା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ଚାଳଛପର ଘରର ପୁରୁଣା କାନ୍ଥ ଗୁଡ଼ିକରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି। କେତେବେଳେ ଯେ ଏହା ଭୁଶୁଡ଼ି ପଡ଼ିବ, ସେ ନେଇ ଆଶଙ୍କା ପ୍ରକାଶ ପାଇଛି। କୋଠରୀ ଗୁଡ଼ିକ କୁ କାଠ ବଳି ସାହାଯ୍ୟରେ ଠେକା ଦିଆଯାଇ ଛାତ ଓ ଖମ୍ୱ ଗୁଡ଼ିକ କୁ ରୋକା ଯାଇଛି। ପୁରୁଣା ଚାଳଛପର ଛାତ ଓ କୋଠରୀ ହୋଇଥିବାରୁ ବର୍ଷା ଦିନରେ ସେଥିରେ ସାପ, ବିଛା ଓ ଅନ୍ୟାନ୍ୟ ବିଷାକ୍ତ କୀଟପତଙ୍ଗ ରହିବାର ବିଶେଷ ଭୟ ପ୍ରତି ମୁହୂର୍ତ୍ତରେ ରହୁଛି। ସ୍କୁଲର ଏଭଳି ସ୍ଥିତି ଯୋଗୁଁ ଆତଙ୍କିତ ଅଭିଭାବକ ଓ ଆଶଙ୍କାରେ ଶିକ୍ଷକ ରହିଛନ୍ତି। ଏହି ପୁରୁଣା ଛପର ଘରେ ପିଲାମାନେ ବସି ପାଠ ପଢ଼ୁଥିବାରୁ ଅଭିଭାବକମାନେ ସେମାନଙ୍କୁ ସ୍କୁଲ ପଠାଇବାକୁ ଭୟ କରୁଛନ୍ତି। ଟିକିଏ ପବନ କିମ୍ବା ବର୍ଷା ହେଲେ ପିଲାଙ୍କ ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତିତ ହୋଇ ପଡ଼ୁଛନ୍ତି। ଅତି ପୁରୁଣା ଚାଳଛପର ଘରଟି କେତେ ବେଳେ ଯେ, ଭାଙ୍ଗି ପଡ଼ିବ ତାହାର କିଛି ଠିକଣା ନାହିଁ। ପିଲାମାନଙ୍କୁ ସ୍କୁଲ ପଠାଇ ଅଭିଭାବକ ମାନେ ସଦାସର୍ବଦା ଭୟଭୀତ ରହୁଛନ୍ତି। ଯଦି କୌଣସି ଅଘଟଣ ଘଟେ, ତେବେ ଏଥିପାଇଁ ଶିକ୍ଷା ବିଭାଗ ଦାୟୀ ରହିବେ ବୋଲି ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି। ବାରମ୍ବାର ଅଭିଯୋଗ କଲା ପରେ ବି, ନିଦ୍ରାବୃତ ପ୍ରଶାସନ।
ଏହି ପୁରୁଣା ଛପର ଘର ସମସ୍ୟା ସମ୍ପର୍କରେ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି (SMC) ଏବଂ ଶିକ୍ଷକମାନଙ୍କ ତରଫରୁ ସ୍ଥାନୀୟ ଶିକ୍ଷା ଅଧିକାରୀ (BEO) ଓ ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଛି। ତଥାପି ବିଭାଗୀୟ କର୍ତ୍ତୃପକ୍ଷ କେବଳ ପ୍ରତିଶ୍ରୁତି ଦେଇ ଦାୟିତ୍ୱ ସାରିଦେଉଥିବା ଅଭିଯୋଗ ହୋଇଛି।
ସୁରକ୍ଷା ଦୃଷ୍ଟିରୁ ଏହି ପୁରୁଣା ଚାଳଛପର ଶ୍ରେଣୀ କୋଠରୀକୁ ତୁରନ୍ତ ଭାଙ୍ଗି ସେଠାରେ ନୂତନ ଛାତ କୋଠରୀ (ପକ୍କା ଘର) ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଯଦି ପ୍ରଶାସନ ଅତି ଶୀଘ୍ର ଏହି ବିଦ୍ୟାଳୟର ନୂତନ କୋଠରୀ ନିର୍ମାଣ ପାଇଁ ପଦକ୍ଷେପ ନନିଏ, ତେବେ ଆଗାମୀ ଦିନରେ ଗ୍ରାମବାସୀ ଓ ଅଭିଭାବକମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଏସଂକ୍ରାନ୍ତରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କୁ ଯୋଗାଯୋଗ କରି ପଚାରିବାରୁ, ସ୍କୁଲ ଘର ହେବା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଖୁବ୍ ଶୀଘ୍ର ନୂତନ ଗୃହ ନିର୍ମାଣ କରାଯିବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories