କାନ୍ଧରେ ମୃତ ପୁଅର ଶବ ବୋହିନେଲେ ବାପା: କଣ୍ଟାବାଞ୍ଜିରେ ସମ୍ବେଦନଶୀଳ ଦୃଶ୍ୟ, ବୁଝାସୁଝା ପରେ ମହାପ୍ରୟାଣ ଗାଡ଼ିରେ ପଠାଗଲା ମୃତଦେହ ।
ବଲାଙ୍ଗୀର,୨୨।୭: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନା ପରିସରରୁ ଏକ ହୃଦୟବିଦାରକ ଓ ସମ୍ବେଦନଶୀଳ ଦୃଶ୍ୟ ସାମ୍ନାକୁ ଆସିଛି। ନିଜର ୯ ବର୍ଷର ମୃତ ପୁଅକୁ କାନ୍ଧରେ ବୋହି ବାପା ଡାକ୍ତରଖାନା ବାହାରକୁ ନେଇଯାଉଥିବାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ହସ୍ପିଟାଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସର ତୁରନ୍ତ ହସ୍ତକ୍ଷେପ ଫଳରେ ପରିବାର ଲୋକଙ୍କୁ ବୁଝାସୁଝା କରାଯାଇ ମହାପ୍ରୟାଣ ଗାଡ଼ି ମାଧ୍ୟମରେ ମୃତଦେହକୁ ନିଜ ଗାଁକୁ ପଠାଯାଇଛି।
ସୂଚନା ଅନୁସାରେ, ବଙ୍ଗୋମୁଣ୍ଡା ବ୍ଲକ୍ ଅଞ୍ଚଳରେ ରହୁଥିବା ଛତିଶଗଡ଼ର ମୂଳ ନିବାସୀ ଇମ୍ରାନ ଦେବାରୀଙ୍କ ୯ ବର୍ଷର ପୁଅ କିଛି ଦିନ ହେବ ଗୁରୁତର ଅସୁସ୍ଥ ଥିଲେ। ଗୁରୁତର ନିମୋନିଆ ଓ ଛାତିରେ କଫ ଜମିବା କାରଣରୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ କଣ୍ଟାବାଞ୍ଜି ମେଡିକାଲକୁ ଅଣାଯାଇଥିଲା। ମାତ୍ର ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ହିଁ ଶିଶୁଟିର ପ୍ରାଣବାୟୁ ଉଡ଼ିଯାଇଥିଲା। ଡାକ୍ତର ତାଙ୍କୁ ନିରୀକ୍ଷଣ କରିବା ପରେ ‘ବ୍ରୋଟ୍ ଡେଡ୍’ (ଆଣିବା ପୂର୍ବରୁ ମୃତ) ଘୋଷଣା କରିଥିଲେ।
ଡାକ୍ତରଖାନା ନିୟମାନୁସାରେ ଅଚାନକ ମୃତ୍ୟୁ ଘଟିଥିବାରୁ ଏହାକୁ ମେଡିକୋ-ଲିଗାଲ କେସ୍ (MLC) ଭାବେ ଦର୍ଜ କରାଯାଇ ଶବ ବ୍ୟବଚ୍ଛେଦ (ପୋଷ୍ଟମୋର୍ଟମ) ପାଇଁ ପୋଲିସକୁ ସୂଚନା ଦିଆଯାଇଥିଲା। ମାତ୍ର ମୃତକଙ୍କ ବାପା ଓ ପରିବାର ଲୋକେ ନିଜ ଜାତିଗତ ନିୟମ ଓ ପରମ୍ପରାର ଦୋହାଈ ଦେଇ ଶବ ବ୍ୟବଚ୍ଛେଦ କରିବାକୁ ସିଧାସଳଖ ମନା କରିଦେଇଥିଲେ। ପୋଷ୍ଟମୋର୍ଟମ କଲେ ସେମାନଙ୍କୁ ସମାଜ ଓ ଜାତିରୁ ବାସନ୍ଦ କରାଯିବାର ଭୟ ଥିବାରୁ, ପରିବାର ଲୋକେ ଆଇନଗତ ପ୍ରକ୍ରିୟାକୁ ଏଡ଼ାଇବା ପାଇଁ ମୃତଦେହକୁ କାନ୍ଧରେ ବୋହି ହସ୍ପିଟାଲରୁ ଚାଲିଯିବାକୁ ଉଦ୍ୟମ କରିଥିଲେ।
ଏହି ଦୃଶ୍ୟ ଦେଖି ହସ୍ପିଟାଲ କର୍ମଚାରୀ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ଅଟକାଇଥିଲେ। ପୋଲିସ ଓ ଡାକ୍ତରଙ୍କ ମିଳିତ କାଉନସେଲିଂ ପରେ ପରିବାର ଲୋକଙ୍କ ଲିଖିତ ଅସମ୍ମତି ଏବଂ ସ୍ୱାକ୍ଷର ଗ୍ରହଣ କରାଯାଇଥିଲା। ଏହାପରେ ସରକାରୀ ନିୟମାନୁଯାୟୀ ଏକ ସ୍ୱତନ୍ତ୍ର ମହାପ୍ରୟାଣ ଶବବାହକ ଗାଡ଼ି (ନଂ – OD 03 E 0857) ଯୋଗାଇ ଦିଆଯାଇ ସମ୍ପୂର୍ଣ୍ଣ ବିନାମୂଲ୍ୟରେ ମୃତଦେହକୁ ବଙ୍ଗୋମୁଣ୍ଡା ପଠାଯାଇଥିଲା।
ଏନେଇ ମୃତକ ନାବାଳକଙ୍କ ବାପା “ଆମ ପରମ୍ପରା ଓ ଜାତିଗତ ନିୟମ ଅନୁସାରେ ମୃତଦେହ କାଟଛାଟ (ପୋଷ୍ଟମୋର୍ଟମ) କରିବା ନିଷେଧ। ଯଦି ଆମେ ପୋଷ୍ଟମୋର୍ଟମ କରାଉ, ତେବେ ଆମ ସମାଜ ଆମକୁ ଜାତିରୁ ବାସନ୍ଦ କରିଦେବ। ସେଥିପାଇଁ ଆମେ ମନା କରି ନିଜେ ନେଇଯାଉଥିଲୁ।” ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ବଲାଙ୍ଗୀର ସିଡିଏମ୍ଓ ଡାକ୍ତର ପୁଷ୍ପାଞ୍ଜଳି ପଣ୍ଡା “ଶିଶୁଟି ଡାକ୍ତରଖାନାକୁ ଆସିବା ବେଳକୁ ମୃତ ଥିଲା। ନିୟମାନୁସାରେ MLC କେସ୍ ରଜିଷ୍ଟର କରି ପୋଲିସକୁ ଜଣାଯାଇଥିଲା। ହେଲେ ପରିବାର ଲୋକେ ପୋଷ୍ଟମୋର୍ଟମ ପାଇଁ ରାଜି ନହୋଇ ବାହାରି ଯାଉଥିଲେ। ପୋଲିସ ସହାୟତାରେ ସେମାନଙ୍କୁ କାଉନସେଲିଂ କରାଯାଇ ଲିଖିତ ସମ୍ମତି ନିଆଗଲା ଏବଂ ସରକାରୀ ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯାଇ ମୃତଦେହକୁ ସମ୍ମାନର ସହ ଗାଁକୁ ପଠାଯାଇଛି।” ବୋଲି କହିଛନ୍ତି ।
“ପୋଲିସରୁ ସୂଚନା ପାଇବା ପରେ ମୁଁ ତୁରନ୍ତ ଗାଡ଼ି ନେଇ ପହଞ୍ଚିଥିଲି। ପ୍ରଶାସନିକ ନିର୍ଦ୍ଦେଶକ୍ରମେ ମୃତଦେହକୁ ବଙ୍ଗୋମୁଣ୍ଡା ବ୍ଲକ୍ ସାମ୍ନାରେ ରହୁଥିବା ସେମାନଙ୍କ ବାସସ୍ଥଳୀରେ ସୁରକ୍ଷିତ ଭାବେ ଛାଡ଼ି ଦେଇଛି।”

