୫ ବର୍ଷ ବିତିଗଲା, ହେଲେ ଆରମ୍ଭ ହୋଇପାରିଲାନି କାମ: କାଗଜପତ୍ର ଓ ବିଭାଗୀୟ ଟାଳଟୁଳ ନୀତିରେ ଅଟକିଛି ଜମନକିରା ‘ଏକଲବ୍ୟ ଆବାସିକ ବିଦ୍ୟାଳୟ’ର ଭବିଷ୍ୟତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମାରେ ଆଦିବାସୀ ଓ ଅବହେଳିତ ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ପ୍ରତିଶ୍ରୁତି ସହ ସରକାରଙ୍କ ତରଫରୁ ବଡ଼ ଧୁମଧାମରେ ‘ଏକଲବ୍ୟ ମୋଡେଲ ରେସିଡେନ୍ସିଆଲ ସ୍କୁଲ’ (EMRS) ନିର୍ମାଣ ପାଇଁ ଘୋଷଣା କରାଯାଇଥିଲା। ହେଲେ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ବାସ୍ତବରେ ତାହା ଏକ ପ୍ରହସନରେ ପରିଣତ ହୋଇଛି। ପ୍ରଶାସନିକ ଉଦାସୀନତା ଓ ବିଭାଗ ଗୁଡ଼ିକ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଆଜି ବି ଏହି ଯୋଜନା କେବଳ ଫାଇଲ ଭିତରେ ହିଁ ବାନ୍ଧିହୋଇ ରହିଛି।ଫାଇଲ ଟଣା ଓଟରା ଓ ଦୋଷ ଲଦା ଲଦିରେ ପ୍ରଶାସନ ଆଖି ଠାର ମାରି ବସିଛି। କିଏ ସତ କହୁଛି, କିଏ ମିଛ କହୁଛି, ସାଧାରଣ ଲୋକଙ୍କ ପକ୍ଷରେ ଜାଣିବା ବଡ଼ ଜଟିଳ।
ମିଳିଥିବା ସୂଚନା ଅନୁଯାୟୀ, ୨୦୨୧ ମସିହା ମାର୍ଚ୍ଚ ମାସରେ ସମ୍ବଲପୁର ଜିଲ୍ଲା କଲ୍ୟାଣ ଅଧିକାରୀ (DWO)ଙ୍କ କାର୍ଯ୍ୟାଳୟରୁ ଜମନକିରା ତହସିଲଦାରଙ୍କୁ ଜମି ଚିହ୍ନଟ ପ୍ରକ୍ରିୟା ପାଇଁ ଆନୁଷ୍ଠାନିକ ଚିଠି ପଠାଯାଇଥିଲା। ହେଲେ ୫ ବର୍ଷ ପରେ ବି ପ୍ରକଳ୍ପ ସ୍ଥାନରେ ଗୋଟିଏ ବି ଇଟା ପଡ଼ିପାରିନାହିଁ କି ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇ ପାରି ନାହିଁ।
ଏହି ବିଳମ୍ବ ସମ୍ପର୍କରେ ଯେତେବେଳେ ଖୋଳତାଡ଼ କରାଗଲା, ବିଭାଗଗୁଡ଼ିକର ଦାୟିତ୍ୱହୀନ ଉତ୍ତର ଓ ପରସ୍ପର ଉପରକୁ ଦୋଷ ଲଦିବାର ମନୋଭାବ ସାମ୍ନାକୁ ଆସିଛି। ଜମନକିରା ତହସିଲଦାର ପ୍ରବୀଣା ବିଳୁଙ୍ଗ ଙ୍କୁ ପଚାରିବାରୁ ସେ, ସମସ୍ତ ଜମି ସମ୍ପର୍କିତ ସମସ୍ତ ପ୍ରସ୍ତାବ ଓ କାଗଜପତ୍ର ଜିଲ୍ଲା କଲ୍ୟାଣ ଅଧିକାରୀ (DWO)ଙ୍କ କାର୍ଯ୍ୟାଳୟକୁ ପଠାଇ ସାରିଛନ୍ତି ବୋଲି କହିଥିବା ବେଳେ ଜିଲ୍ଲା କଲ୍ୟାଣ ଅଧିକାରୀ (DWO) କାର୍ଯ୍ୟାଳୟ ପକ୍ଷରୁ ଦାୟିତ୍ୱରେ ଥିବା ଅଧିକାରୀଙ୍କ କହିବା ଅନୁସାରେ, ସେମାନେ ମଧ୍ୟ ନିଜ ସ୍ତରରୁ ଆବଶ୍ୟକୀୟ ଫାଇଲ ଆଗକୁ ବଢ଼ାଇ ଥିବା କଥା କହିଥିଲେ। ଅପର ପକ୍ଷରେ, ଜଙ୍ଗଲ ପ୍ରଶୋଧନ କିମ୍ବା ଜମି ମଞ୍ଜୁରୀ ନେଇ ଡିଏଫଓ ବିକ୍ରମ କେଶରୀ ପଟ୍ଟନାୟକଙ୍କୁ ପଚାରିବାରୁ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ତାଙ୍କ ପାଖକୁ ସେଭଳି କିଛି ଦସ୍ତାବିଜ୍ ଆସିନାହିଁ ବୋଲି କହିଥିଲେ। ସରକାରୀ ଦପ୍ତର ଗୁଡ଼ିକର ଏହିପରି ଭୁଲ୍-ଭାଲ୍ ତଥ୍ୟ ଓ ଦାୟିତ୍ୱ ହୀନତା ପ୍ରମାଣିତ କରୁଛି ଯେ ଆଦିବାସୀ ପିଲାଙ୍କ ଶିକ୍ଷା ଓ ଅଧିକାରକୁ ନେଇ ପ୍ରଶାସନ କେତେ ଦୂର ସଂବେଦନଶୀଳ। ବଞ୍ଚିତ ହେଉଛନ୍ତି ଶହ ଶହ ଆଦିବାସୀ ଛାତ୍ରଛାତ୍ରୀ।
ଗୋଟିଏ ପଟେ ସରକାର ଆଦିବାସୀ ସମାଜର ବିକାଶ ଓ ସେମାନଙ୍କ ପାଇଁ ଶିକ୍ଷାର ସୁଯୋଗ ସୃଷ୍ଟି କରିବା ନେଇ ବଡ଼ ବଡ଼ ଦାବି କରୁଛନ୍ତି, ଅନ୍ୟପଟେ ଜମନକିରା ଭଳି ଗୁରୁତ୍ୱପୂର୍ଣ୍ଣ ଆଦିବାସୀ ବହୁଳ ବ୍ଲକରେ ଖଣ୍ଡିଏ ଜମି ଚିହ୍ନଟ କରି ନପାରିବା ପ୍ରଶାସନିକ ଅକର୍ମଣ୍ୟତାର ଚରମ ନମୁନା ଏଠାରେ ସ୍ପଷ୍ଟ ପ୍ରଦର୍ଶିତ ହେଉଛି। ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ବର୍ଷ ବର୍ଷ ଧରି ଜମନକିରା ବ୍ଲକର ଶହ ଶହ ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା, ଆବାସିକ ସୁବିଧା ଓ ହଷ୍ଟେଲ ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି। ଅଞ୍ଚଳବାସୀଙ୍କ ଚେତାବନୀ ହେଉଛି, ପ୍ରଶାସନିକ ଅବହେଳା ଯୋଗୁଁ ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ, ସମାଜସେବୀ ଓ ଆଦିବାସୀ ସମାଜ ମଧ୍ୟରେ ତୀବ୍ର କ୍ଷୋଭ ପ୍ରକାଶ ପାଇଛି। ଯଦି ଆଗାମୀ ଦିନରେ ତୁରନ୍ତ ତ୍ରିପାକ୍ଷିକ ଆଲୋଚନା କରି ଜମି ହସ୍ତାନ୍ତର ପ୍ରକ୍ରିୟା ଶେଷ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ନହୁଏ, ତେବେ ଜମନକିରା ତହସିଲ ଓ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ଜନ-ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ପ୍ରକାଶ କରୁଛନ୍ତି। ଏବେ ଦେଖିବାକୁ ବାକି ରହିଲା, ଏହି ସରକାରୀ ଫାଇଲ ଟଣା ଓଟରା ମଧ୍ୟରୁ ପ୍ରଶାସନ କେବେ ବାହାରି ଜମନକିରା ବ୍ଲକର ପିଲାମାନଙ୍କୁ ସେମାନଙ୍କର ପ୍ରାପ୍ୟ ହକ୍ ଓ ଶିକ୍ଷାର ଅଧିକାର ଦେଉଛି।

