Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ନୁହେଁ ସସାନ: କାଦୁଅ ପଚପଚ ରାସ୍ତାରେ ଛେଣ୍ଡିବନ୍ଧ ଡିମିରିମୁଣ୍ଡା ଗ୍ରାମବାସୀ, ପ୍ରଶାସନ ଓ ଜନପ୍ରତିନିଧିଙ୍କ ବିରୋଧରେ ଚେତାବନୀ

ଜମନକିରା : ଆଜିର ଆଧୁନିକ ଯୁଗରେ ଗୋଟିଏ ପଟେ ସରକାର ‘ବିକାଶ’ର ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ କାଦୁଅ ଓ ଚିକଟା ମାଟି ମଧ୍ୟରେ ନର୍କଯନ୍ତ୍ରଣା ଭୋଗୁଛନ୍ତି ଛେଣ୍ଡିବନ୍ଧ ଡିମିରିମୁଣ୍ଡା ଗ୍ରାମର ନିରୀହ ଗ୍ରାମବାସୀ। ଗାଁର ମୁଖ୍ୟରାସ୍ତା ଆଜି କାଦୁଅ ପଚପଚ ହୋଇ ପଡ଼ିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଆମ୍ବୁଲାନ୍ସ ପହଞ୍ଚିବା ତ ଦୂରର କଥା, ଗୋଡ଼ କାଢ଼ି ଚାଲିବା ବି କାଠିକର ପାଠ ହୋଇପଡ଼ିଛି।
ସୂଚନା ଯୋଗ୍ୟ ଯେ, ଏହି ଗ୍ରାମରେ ୪୪ ପରିବାରର ପାଖାପାଖି ୨୫୦ ଜଣ ଲୋକ ବସବାସ କରନ୍ତି। ଗାଁର ସରପଞ୍ଚ ପ୍ରହଲ୍ଲାଦ ଧୁରୁଆ ଏବଂ ୱାର୍ଡ ସଭ୍ୟା ତଥା ନାଏବ ସରପଞ୍ଚ ପ୍ରମିଳା କିସାନ ଦାୟିତ୍ୱରେ ଥିଲେ ସୁଦ୍ଧା ଲୋକଙ୍କର ଏହି ମୌଳିକ ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି। ଭୋଟ ବେଳେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ଜିତିବା ପରେ ଜନପ୍ରତିନିଧି ମାନେ ନିଜ ସ୍ୱାର୍ଥରେ ମାତିଛନ୍ତି ଏବଂ ଗ୍ରାମବାସୀଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲି ଦେଇଛନ୍ତି। ସରପଞ୍ଚଙ୍କ ଘର ସମ୍ମୁଖରେ ରାସ୍ତାର ସ୍ଥିତି ଏଭଳି ହୋଇଥିବା ବେଳେ ସେ ବି ହାତ ଟେକି ବସିଥିବା ଲୋକେ ଅଭିଯୋଗ କରିଛନ୍ତି। ସେହିପରି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କର ନିଷ୍କ୍ରିୟତା ଓ ଚରମ ଅବହେଳା ଯୋଗୁଁ ଆଜି ଏହି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ପ୍ରଶାସନ ଏବଂ କ୍ଷମତାସୀନ ଜନପ୍ରତିନିଧିଙ୍କ ଏହିପରି ଆପୋଷାଘାତୀ ଓ ବାହାନାବାଜି ଚାଲି ଆସୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଜନଅସନ୍ତୋଷ ସୃଷ୍ଟି ହୋଇଛି। ଗାଁର ଜତି ପଲେଇ, ରବୀନ୍ଦ୍ର ପଲେଇ, ଶିବାନୀ ଶବର, ଅଲେଖ ବାରିକ, ଭୁବନ ସିଂ ଓ ଉମେଶ ମହାକୁଲଙ୍କ ସମେତ ବହୁ ଗ୍ରାମବାସୀ ଏକଜୁଟ ହୋଇ କଡ଼ା ଚେତାବନୀ ଦେଇଛନ୍ତି।
ସେମାନେ ସ୍ପଷ୍ଟ ଭାବେ ଦାବି କରିଛନ୍ତି ଯେ, ଆଗାମୀ ୧୫ ଦିନ ମଧ୍ୟରେ ଯଦି ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ ନହୁଏ, ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ବ୍ୟାପକ ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଛନ୍ତି ।ଏହି ସ୍ଥିତି ପାଇଁ ସ୍ଥାନୀୟ ସରପଞ୍ଚ, ନାଏବ ସରପଞ୍ଚ ଏବଂ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଗ୍ରାମବାସୀ କହିଛନ୍ତି। ଦେଖିବାକୁ ବାକି ରହିଲା, ଏହି ଚେତାବନୀ ପରେ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ପ୍ରଶାସନ ଓ ଶୋଇ ପଡ଼ିଥିବା ଜନପ୍ରତିନିଧିଙ୍କ ଚେତା ଫେରୁଛି ନା ଗ୍ରାମବାସୀ ବାଧ୍ୟ ହୋଇ ଉଗ୍ର ଆନ୍ଦୋଳନର ବାଟ ଆପଣାଉଛନ୍ତି ଦେଖିବାକୁ ରହିଲା।
ଏସଂକ୍ରାନ୍ତରେ ସରପଞ୍ଚ ପ୍ରହଲ୍ଲାଦ ଧୁରୂଆଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଗାଁ ଚାରିପଟେ ରାସ୍ତା ବହୁତ୍ ଖରାପ୍ ଥିଲା, କଂକ୍ରିଟ ରାସ୍ତା କରାଯାଇଛି। ଖୁବ୍ ଶୀଘ୍ର ବାକିଥିବା ଖରାପ ରାସ୍ତା କୁ କଂକ୍ରିଟ କରାଯିବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories