କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ବୈଦିକ ରୀତିନୀତିରେ ଭୂମି ପରୀକ୍ଷା ସମ୍ପନ୍ନ
ଜମନକିରା : ଗତ ୯ ବର୍ଷ ଧରି ସ୍ଥାନୀୟ ଅଞ୍ଚଳର ଆଧ୍ୟାତ୍ମିକ ଓ ଧାର୍ମିକ ଚେତନାର କେନ୍ଦ୍ରବିନ୍ଦୁ ସାଜିଥିବା କୁସୁମୀ-ଗୁଦଗୁଦା ରାସ୍ତାସ୍ଥିତ ରାମଲୀଳା ପଡ଼ିଆରେ ଏବେ ଏକ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଶନିବାର ଦିନ ମା’ ସମଲେଶ୍ୱରୀ ମନ୍ଦିର ନିକଟସ୍ଥ ଏହି ପବିତ୍ର ପଡ଼ିଆରେ ମନ୍ଦିର ନିର୍ମାଣ ପୂର୍ବରୁ ବାସ୍ତୁ ଦୋଷ ନିରାକରଣ ଓ ପବିତ୍ରତା ରକ୍ଷା ହେତୁ ବୈଦିକ ରୀତିନୀତି ଅନୁସାରେ ଭୂମି ପରୀକ୍ଷା ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସୂଚନା ଯୋଗ୍ୟ ଯେ, ପ୍ରତିବର୍ଷ ଚୈତ୍ର ମାସରେ ଏହି ପଡ଼ିଆରେ ସାତ ଦିନ ବ୍ୟାପୀ ସ୍ଥାନୀୟ ଅଞ୍ଚଳର କଳାକାରମାନଙ୍କ ଦ୍ୱାରା ରାମାୟଣର ସପ୍ତ କାଣ୍ଡ ଆଧାରିତ ମନୋରମ ରାମଲୀଳା ନାଟକ ପରିବେଷିତ ହୋଇଆସୁଛି। ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଗଭୀର ଆସ୍ଥା ଓ ନିରବଚ୍ଛିନ୍ନ ସହଯୋଗ ହେତୁ ଏହି ସ୍ଥାନଟି ସ୍ଥାନୀୟ ଅଞ୍ଚଳରେ ଏକ ନୂତନ ଧାର୍ମିକ ଚିହ୍ନଟ ହାସଲ କରିଛି। ଭକ୍ତଙ୍କ ଶ୍ରଦ୍ଧା ଯୋଗୁଁ ଏବେ ଏହି ସ୍ଥାନ “ରାମଲୀଳା ପଡ଼ିଆ” ନାମରେ ଗୁଗଲ୍ ମ୍ୟାପ୍ ରେ ମଧ୍ୟ ସ୍ୱୀକୃତି ଓ ପରିଚୟ ପାଇସାରିଛି। ମନ୍ଦିର ନିର୍ମାଣର ଆଦ୍ୟ ପର୍ଯ୍ୟାୟ ଭାବେ ଆୟୋଜିତ ଏହି ଭୂମି ପରୀକ୍ଷା ଉତ୍ସବ ତିଗିରିଆ ନିବାସୀ ତଥା ପଞ୍ଚଗାଁର ପ୍ରସିଦ୍ଧ ପଣ୍ଡିତ ନିରୋଦ କୁମାର ଦାସଙ୍କ ପୌରୋହିତ୍ୟରେ ପୁରୋହିତ କର୍ମ ସମ୍ପନ୍ନ ହୋଇଥିଲା। ବୈଦିକ ମନ୍ତ୍ରୋଚାରଣ, ଶାନ୍ତି ପାଠ, ସର୍ବ ଦେବାଦେବୀଙ୍କ ଆବାହନ ଓ ଆଶୀର୍ବାଦ ଭିକ୍ଷା ସହ ନିଷ୍ଠାର ସହ ହୋମଯଜ୍ଞ କରାଯାଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ବିଭୂତି କଲ୍ୟାଣ ପଟେଲ ନିଷ୍ଠାର ସହ ଦାୟିତ୍ୱ ତୁଲେଇ ଥିଲେ। ଏହି ପବିତ୍ର ଅବସରରେ ଆଦିତ୍ୟ ପଟେଲ, ସତ୍ୟ ନାରାୟଣ ହୋତା, ମିତ୍ରଭାନୁ ନାଏକ, ଚନ୍ଦ୍ରଭାନୁ ନାଏକ, ସୁରୀ ମହାକୁଲ, ଚନ୍ଦ୍ରହାସ କର୍ଣ୍ଣ, ମାନସ ମହାନ୍ତି, ସୁଲୋଚନା ଦାସ, ଜ୍ୟୋତି ପଟେଲ, ଲିଲିମା ପଟେଲ, ଅରୁଣ ନାଏକ, ଦୀପକ ସାହୁ, ସୁବାସ ପଟେଲ, ଅନୁପ ପଧାନ, ସଞ୍ଜୀବ ପଟେଲ, ତାପସ ମହାନ୍ତିଙ୍କ ସମେତ ବହୁ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରଭୁ ଶ୍ରୀରାମଙ୍କ କୃପା ଭିକ୍ଷା କରିଥିଲେ। ଆୟୋଜକ କମିଟିର ସୂଚନା ଅନୁସାରେ, ଆଗାମୀ ଦିନରେ ଏକ ଶୁଭ ତିଥି ଓ ନକ୍ଷତ୍ର ଦେଖି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ (ଶିଳାନ୍ୟାସ) କରାଯିବ। କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମଙ୍କ ସ୍ୱତନ୍ତ୍ର ମନ୍ଦିର ନିର୍ମାଣ ନିଷ୍ପତ୍ତିକୁ ନେଇ କୁସୁମୀ, ଜମନକିରା ଓ ଆଖପାଖ ଅଞ୍ଚଳରେ ଆଧ୍ୟାତ୍ମିକ ଶିହରଣ ସୃଷ୍ଟି ହୋଇଛି। ଏହି ମନ୍ଦିର ନିର୍ମାଣ ଦ୍ୱାରା ଆଞ୍ଚଳିକ ସଂସ୍କୃତି ଓ ଧାର୍ମିକ ପରମ୍ପରା ଆହୁରି ସମୃଦ୍ଧ ଓ ସୁଦୃଢ଼ ହେବ ବୋଲି ସ୍ଥାନୀୟ ଜନସାଧାରଣ ଆଶା ପ୍ରକାଶ କରିଛନ୍ତି।

